ପିଏମ ଫସଲ ବୀମା ଯୋଜନାକୁ ପୁରିଲା ୫ ବର୍ଷ, କୋଟି କୋଟି କୃଷକ ଉପକୃତ ହୋଇଛନ୍ତି କହିଲେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ପରିଶ୍ରମୀ କୃଷକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ଯୋଜନାର ପାଞ୍ଚ ବର୍ଷ ପୂରଣ ହୋଇଥିବାରୁ ସମସ୍ତ ହିତାଧିକାରୀଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଯୋଜନା ଅନ୍ତର୍ଗତ ସୀମା ବୃଦ୍ଧି କରାଯିବ ଫଳରେ ଦେଶର କୋଟି କୋଟି କୃଷକ ଉପକୃତ ହୋଇଛନ୍ତି।

କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପାଞ୍ଚ ବର୍ଷ ସଫଳତାର ସହ ସମାପ୍ତ ହୋଇଛି। କୃଷକମାନଙ୍କୁ ଫସଲଜନିତ ବିପଦରୁ ରକ୍ଷା କରିବା ଦିଗରେ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ୨୦୧୬ ଜାନୁୟାରୀ ୧୩ରେ ଏହି ଯୋଜନାକୁ ଅନୁମୋଦନ ଦେଇଛନ୍ତି। ସର୍ବନିମ୍ନ ପ୍ରିମିୟମ ଦେଇ କୃଷକମାନେ ଫସଲ ହାନି ଜନିତ ବିପଦରୁ ରକ୍ଷା ପାଇପାରିବେ ବୋଲି ଏହି ଯୋଜନା ପରିକଳ୍ପନା କରାଯାଇଥିଲା। ଏହି ଯୋଜନା ଅଧୀନରେ କେନ୍ଦ୍ର ଓ ରାଜ୍ୟ ସରକାର କୃଷକଙ୍କ ପ୍ରିମିୟମ ମୂଲ୍ୟ ବହନ କରୁଛନ୍ତି।

କୃଷି ମନ୍ତ୍ରଣାଳୟ କହିଛି ଯେ ଏହି ଯୋଜନା ପୂର୍ବରୁ ହେକ୍ଟର ପ୍ରତି ହାରାହାରି ବୀମା ପରିମାଣ ୧୫ ହଜାର ଏକ ଶହ ଟଙ୍କା ଥିଲା, ଯାହା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ୪୦ ହଜାର ସାତଶହକୁ ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଲାଭ ଉଠାଇବାକୁ କେନ୍ଦ୍ର ସରକାର କୃଷକମାନଙ୍କୁ ନିବେଦନ କରିଛନ୍ତି। କୃଷି ମନ୍ତ୍ରଣାଳୟ ଏକ ବିଜ୍ଞପ୍ତିରେ କହିଛି ଯେ ଏହି ଯୋଜନା ଆରମ୍ଭ ହେବା ଦିନଠାରୁ ଚାଷୀଙ୍କୁ ୯୦ ହଜାର କୋଟି ଟଙ୍କା ବଣ୍ଟନ କରାଯାଇଛି।

Comments are closed.