ଅପହଞ୍ଚ ଇଲାକାକୁ ବିକାଶ ସାତସପନ, ଭୋଟ ବର୍ଜନ ପାଇଁ ଚେତାବନୀ

ହରଭଙ୍ଗା ବ୍ଲକର ୫ଟି ଗ୍ରାମ ପାଲଟିଛି ଅଭିଶପ୍ତ

ହରଭଙ୍ଗା :  ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଆଡ଼େଣିଗଡ଼ ପଞ୍ଚାୟତର କଣ୍ଡରା, କୁଚୁପାଜୁ, ବାଙ୍କପାଜୁ, ସୁଲକେଟି ଏବଂ ସାରୁପଦର ପ୍ରଭୃତି ପାଞ୍ଚାଟି ଗାଁକୁ ବିକାଶ ସାତ ସପନ ହୋଇଥିବାବେଳେ ସବୁ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଅଭିଶପ୍ତ ପାଲଟି ଯାଇଛି । ଜିଲା ସଦର ମହକୁମାଠାରୁ ଖୋର୍ଦ୍ଧା-ବଲାଙ୍ଗିର ୫୭ନମ୍ବର ଜାତୀୟ ରାଜପଥରେ ୪୮କିଲୋମିଟର ଦୂର ଗଲେ ପଡ଼େ ଆଡେଣିଗଡ ପଞ୍ଚାୟତ। ସେଠାରୁ ଉକ୍ତ ୫ଟି ଗାଁର ଦୂରତା ପ୍ରାୟ ୧୦ କିଲୋମିଟର। ତେବେ ସେଠାରେ ପହଞ୍ଚିବାକୁ ହେଲେ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲ, ଗାଞ୍ଜିବାଡା, ଭାଲୁମୁଣ୍ଡିଆ, ଧନୁଗାଢା ଆଦି ଚାରିପାଞ୍ଚଟି ଜଙ୍ଗଲ ଓ ପାହାଡ଼ ସହ ଅତିକ୍ରମ କରିବାକୁ ହୁଏ କେନ୍ଦୁଘାଟି, ପାଞ୍ଚଟଙ୍କିଆ ଘାଟି, ଏସ.ଗୋଲେଇ ଓ ବସାଙ୍ଗି ପ୍ରଭୃତି ଛଅସାତଟି ଘାଟି ା ଏହି ପାହାଡ଼ିଆ ଦୁର୍ଗମ ରାସ୍ତା ଡେଇଁବା ପରେ ଦୃଷ୍ଟିଗୋଚର ହୁଏ ପାହାଡ଼ ଶୀର୍ଷରେ ଥିବା ଉକ୍ତ ୫ଟି ଗାଁ। ପଞ୍ଚାୟତର ୧୩ ନମ୍ବର ଓାର୍ଡରେ କଣ୍ଡରା ଓ ସାରୁପଦର ଭଳି ଦୁଇଟି ଗାଁରେ ୫୦ରୁ ଅଧିକ ଏବଂ ୭ ନମ୍ବର ୱାର୍ଡ଼ରେ କୁଚୁପାଜୁ,ବାଙ୍କପାଜୁ ଓ ସୁଲକେଟି ଭଳି ତିନିଟି ଗାଁରେ ଶହେରୁ ଅଧିକ ହରିଜନ, ଆଦିବାସୀ ପରିବାର ବସବାସ କରୁଛନ୍ତି । ଚାଷ ସେମାନଙ୍କ ମୁଖ୍ୟ ଜୀବିକା। ଯାତାୟାତ ସୁବିଧା ଅଭାବରୁ ବଜାର ପ୍ରାଙ୍ଗଣକୁ ଧାନ ନେବା ସେମାନଙ୍କ ପାଇଁ ଅସମ୍ଭବ ପ୍ରାୟ। ତେଣୁ ସେମାନେ ଧାନଚାଷ ବନ୍ଦ କରିଦେଇଛନ୍ତି।
ବିଭିନ୍ନ ଯୋଜନାରେ ସରକାର ଯୋଗାଇ ଦେଉଥିବା ଭତ୍ତା, ଚାଉଳ, ଗହମ ପ୍ରଭୃତି ନେବା ପାଇଁ ସେମାନଙ୍କୁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିବାକୁ ପଡ଼େ। ଆଗରୁ ବୃଦ୍ଧ, ବୃଦ୍ଧା ଅନ୍ୟ ଗ୍ରାମବାସୀ ବା ପଡ଼ୋଶୀଙ୍କ ସହାୟତାରେ ସେ ସବୁ ସଂଗ୍ରହ କରିନେଉଥିଲେ। ଏବେ ବାୟୋମେଟ୍ରିକ ପଦ୍ଧତି ଲାଗୁ କରାଯାଇଥିବାରୁ ସେମାନେ ପ୍ରତିମାସ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିପାରୁ ନାହାନ୍ତି।
ବର୍ଷାଋତୁରେ ଉକ୍ତ ଗ୍ରାମଗୁଡ଼ିକ ବିଚ୍ଛିନ୍ନାଞ୍ଚଳରେ ପରିଣତ ହୁଏ। ରୋଗୀ ଏବଂ ପ୍ରସୂତୀଙ୍କ ଠିକ୍‌ ସମୟରେ ଡାକ୍ତରଖାନା ପହଞ୍ଚାଇବା ଅସମ୍ଭବ ହୋଇପଡ଼େ। ରାସ୍ତା ନ ଥିବାରୁ ସରକାରୀ ଯୋଜନାଗୁଡ଼ିକ ମଧ୍ୟ ସେମାନଙ୍କ ପାଖରେ ପହଞ୍ଚିପାରୁ ନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନେ ଘର ନିର୍ମାଣ ସାମଗ୍ରୀ ପାଇପାରୁ ନାହାନ୍ତି।

କୁଚୁପାଜୁରେ ଏକ ପ୍ରାଥମିକ ବିଦ୍ୟାଳୟ ଅଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ୍‌ ୩୫ଜଣ ପିଲା ପାଠ ପଢ଼ୁଛନ୍ତି। ପଢ଼ାଇବା ପାଇଁ ଅଛନ୍ତି ୪ଜଣ ଶିକ୍ଷକା। ଅଙ୍ଗନବାଡ଼ି କେନ୍ଦ୍ର ଥିଲେ ମଧ୍ୟ ତାହା ପ୍ରାୟତଃ ବନ୍ଦ ରହୁଥିବା ଅଭିଯୋଗ ହେଉଛି ା ପାନୀୟ ଜଳର ବ୍ୟବସ୍ଥା ନଥିବାରୁ ସେମାନେ ଖରାଦିନରେ ଦୂଷିତ କୂଅ ଓ ଚୁଆପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି।
ଏହି ସବୁ ସମସ୍ୟାର ଏକମାତ୍ର କାରଣ ହେଉଛି ରାସ୍ତା। ତେଣୁ ଏଥି ପ୍ରତି ଦୃଷ୍ଟି ଦେଇ ଖୁବଶୀଘ୍ର ଏକ ଦୀର୍ଘସ୍ଥାୟୀ ପକ୍କାରାସ୍ତା ନିର୍ମାଣ କରାଯିବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି ା ଏ ନେଇ ଏକ ଦାବିପତ୍ର ବୌଦ୍ଧ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ରାସ୍ତା ନିର୍ମାଣ ନହେଲେ ଏହି ଅଞ୍ଚଳର ପ୍ରାୟ ୫ଶହ ଭୋଟର ଏଥର ନିର୍ବାଚନ ବର୍ଜନ କରିବେ ବୋଲି ମହେଶ୍ୱର ଦେହୁରୀ, ସତ୍ୟ ନାରାୟଣ ଦେହୁରୀ, ପ୍ରଶାନ୍ତ ବେହେରା, ଅଗସ୍ତି ମଲ୍ଲିକ, ଅଚ୍ୟୁତାନନ୍ଦ ବେହେରା, ତ୍ରିପୁରା ବେହେରା, ବାଳକୃଷ୍ଣ ବେହେରା ପ୍ରମୁଖ ଚେତାବନୀ ଦେଇଛନ୍ତି।
ଅଶ୍ୱିନୀ କୁମାର ଦେହୁରୀ କହନ୍ତି, ରାସ୍ତା ଅଭାବରୁ ରୋଗୀ ଓ ପ୍ରସୂତୀଙ୍କୁ ଡାକ୍ତରଖାନା ନେଇପାରୁ ନାହୁଁ। ସରକାର ମଞ୍ଜୁର କରିଥିଲେ ମଧ୍ୟ ଘର ତିଆରି କରିପାରୁ ନାହୁଁ। ରାସ୍ତା ନିର୍ମାଣ ନହେଲେ ଭୋଟ ଦେବୁ ନାହିଁ। ମହେଶ୍ବର ଦେହୁରୀଙ୍କ କହିବା ହେଲା, ‘ମୋତେ ୭୦ ବର୍ଷ ହେଲା। ତଥାପି ଭଲ ରାସ୍ତାଟିଏ ଦେଖି ପାରିଲି ନାହିଁ। ଦେଶ କେବେଠୁ ସ୍ବାଧୀନ ହେଲାଣି, ହେଲେ ଅମେ ନିଜକୁ ପରାଧୀନ ବୋଲି ମନେ କରୁଛୁ’। ଏଥର ରାସ୍ତା ନାହିଁ ତ ଭୋଟ ନାହିଁ ବୋଲି କହିଛନ୍ତି ବଶିଆନନ୍ଦ ଦେହୁରୀ। ଅଚ୍ୟୁତାନନ୍ଦ ବେହେରାଙ୍କ କହିବା ହେଲା ସ୍ୱାଧୀନତା ପରେ ବି ଆମ ପାଖରେ ମୌଳିକ ସୁବିଧା ପହଞ୍ଚି ପାରିନାହିଁ। ରାସ୍ତା ଯୋଗୁଁ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ସବୁ ସରକାରୀ ଯୋଜନାରୁ ଆମେ ବଞ୍ଚିତ। ଭୋଟ କାହିଁକି ଦେବୁ ?

Comments are closed.