ଉତ୍ତରପ୍ରଦେଶର ୫ ବଡ଼ ମାଫିଆ ଡ଼ନ୍: ଯେଉଁମାନଙ୍କ ନାଁ ଶୁଣି ଲୋକମାନେ ଭୟରେ ଥରହର

କାନପୁରରେ ୮ ଜଣ ପୁଲିସଙ୍କୁ ହତ୍ୟା ଘଟଣାରେ ଫେରାର ବିକାଶ ଦୁବେକୁ ଖୋଜୁଛି ପୁଲିସ । ପୁଲିସର ୧୦୦ଟି ଟିମ୍ ବିକାଶ ପଛରେ ପଡ଼ିଛି । ମାତ୍ର ତାକୁ ଗିରଫ କରାଯାଇ ପାରିନାହିଁ । ଏହା ମଧ୍ୟରେ ସରକାର ୩୩ ବଡ଼ ଅପରାଧୀଙ୍କ ତାଲିକା ଜାରି କରିଛି । ଏଥିରେ କିଛି ବାହୁବଳୀ ନେତା ସାମିଲ ଅଛନ୍ତି । ତେବେ ଉତ୍ତରପ୍ରଦେଶର ୫ ଏମିତି କୁଖ୍ୟାତ ବାହୁବଳୀ ନେତା ଅଛନ୍ତି ଯେଉଁମାନଙ୍କୁ ଏଯାଏ ଧରିବା ପୁଲିସ ପାଇଁ କାଠିକର ପାଠ ହୋଇଛି । କେବଳ ଅପରାଧ ନୁହେଁ କ୍ଷମତା କେନ୍ଦ୍ର ପାଲଟିଛନ୍ତି ଏହି ବାହୁବଳୀମାନେ ।

ବଦନ ସିଂହ ବଦ୍ଦୋ: ୬ ପୁଲିସ କର୍ମଚାରୀଙ୍କୁ ହତ୍ୟା କରି ଫେରାର 

ମିରଟ ଅଞ୍ଚଳର କୁଖ୍ୟାତ ଅପରାଧୀ ବଦନ ସିଂହ ଉପରେ ଲାଗିଛି ୨.୫ ଲକ୍ଷ ଟଙ୍କାର ପୁରସ୍କାର ରାଶି । ଗତ ୧୫ ମାସ ମଧ୍ୟରେ ତାର କୌଣସି ସୂଚନା ମିଳୁନାହିଁ । ୨୦୧୯ ମାର୍ଚ ମାସରେ ସେ ପୂର୍ବାଞ୍ଚଳ ଜେଲରୁ କୋର୍ଟକୁ ନିଆଯିବା ବେଳେ ସେ ୬ଜଣ ପୁଲିସ କର୍ମଚାରୀଙ୍କୁ ମଦ ପିଆଇ ଫେରାର ହୋଇ ଯାଇଥିଲା । ଏହା ପୂର୍ବରୁ ତାର ଗୋଷ୍ଠୀ ପ୍ରସ୍ତୁତ ହୋଇଥିଲେ । ଫେରାର ହେବା ବେଳେ ପୁଲିସ ଓ ବଦନ ସିଂହ ଗୋଷ୍ଠୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା, ଏଥିରେ ୬ ଜଣ ପୁଲିସ ସହିଦ ହୋଇ ଯାଇଥିଲେ । ତାକୁ ଗିରଫ କରିବା ପାଇଁ ଲୁକଆଉଟ ନୋଟିସ ଜାରି କରାଯାଇଥିଲା । ଏହା ସତ୍ବେ ତାକୁ ଗିରଫ କରାଯାଇ ନାହିଁ । ତା ନାମରେ ୪୦ରୁ ଅଧିକ ମାମଲା ରହିଛି । ବଦ୍ଦୋର ବାପା ୧୯୭୦ରେ ପଞ୍ଜାବରୁ ମିରଟ ଆସିଥିଲେ ଓ ଏକ ଟ୍ରାନ୍ସପୋର୍ଟ କମ୍ପାନୀରେ କାମ କରିବା ଆରମ୍ଭ କରିଥିଲେ । ବଦ୍ଦୋ ଓ ତାର ୭ ଭାଇ ସେଠାରେ ଅପରାଧୀଙ୍କ ସଂସ୍ପର୍ଶରେ ଆସିଥିଲେ ଓ କୁଖ୍ୟାତ ଅପରାଧୀ ରବୀନ୍ଦ୍ର ଗୋଷ୍ଠୀରେ ସାମିଲ ହୋଇଥିଲେ । ବଦ୍ଦୋ ଉପରେ ୧୯୮୮ରେ ହତ୍ୟା ମାମଲା ରୁଜୁ ହୋଇଥିଲା । ବ୍ୟବସାୟିକ ଗଣ୍ଡଗୋଳ ପାଇଁ ସେ ଦିନ ଦି ପହରେ ରାଜକୁମାର ନାମକ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ଦେଇଥିଲା । ଏହାପରେ ସେ ୧୯୯୬ରେ ଜଣେ ଓକିଲଙ୍କୁ ହତ୍ୟା କରିଥିଲା । ୨୦୧୭ ଅକ୍ଟୋବରରେ ତାକୁ ଆଜୀବନ କାରାବାସ ଦଣ୍ଡ ଦିଆଯାଇଥିଲା । ମାତ୍ର ଏହାପରେ ସେ ଫେରାର ହୋଇ ଯାଇଥିଲା ।

ଅତିଫ ଅହମ୍ମଦ: ଯାହାମାମଲା ଶୁଣାଣି କରିବାକୁ ୧୦ ଜଜ୍ ମନା କରିଦେଇଥିଲେ 

ପୂର୍ବତନ ସାଂସଦ ଅତିଫ ଅହମ୍ମଦ ଗତ ୩ ବର୍ଷ ହେଲା ଜେଲରେ ଅଛି । ଅତିଫ ବିରୋଧରେ ୮୩ରୁ ଅଧିକ ମାମଲା ରୁଜୁ ହୋଇଛି । ତାର ଭାଇ ଅଶରଫକୁ ମିଶାଇ ଦୁଇଜଣଙ୍କ ନାମରେ ମାମଲା ସଂଖ୍ୟା ୧୫୦ରୁ ଅଧିକ । ତା ବିରୋଧରେ ଉତ୍ତରପ୍ରଦେଶର ଲକ୍ଷ୍ନୌ, କୌଶାମ୍ବି, ଚିତ୍ରକୁଟ, ଆହ୍ଲାବାଦ ସହ ବିହାରରେ ମଧ୍ୟ ହତ୍ୟା, ଅପହରଣ, ବଟି ଆଦାୟ ମାମଲା ରୁଜୁ ହୋଇଛି । ଅପରାଧ ପରେ ଅତିଫ ରାଜନୀତିରେ ପ୍ରବେଶ କରିଥିଲା । ଗୋଟିକ ପରେ ଗୋଟିଏ ନିର୍ବାଚନ ବି ଜିତଥିଲା । ୧୯୮୯ରେ ଆହ୍ଲାବାଦ ପଶ୍ଚିମ ବିଧାନସଭା କ୍ଷେତ୍ରରୁ ସେ ବିଜୟୀ ହୋଇ ବିଧାୟକ ହୋଇଥିଲା । ସେ ୫ଥର ବିଧାୟକ ସହ ଥରେ ୟୁପିର ଫୁଲପୁରରୁ ସାଂସଦ ଭାବରେ ନିର୍ବାଚିତ ହୋଇଛି । ପ୍ରଥମେ ସେ ସ୍ବାଧୀନ ନିର୍ବାଚିତ ହୋଇଥିଲା, ପରେ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲା ।  ଆତିଫର ପିତା ଆହ୍ଲାବାଦର ଘାଟରେ ଡ଼ଙ୍ଗା ଚଲାଉଥିଲେ । ୧୯୭୯ରେ ଆତିଫ ୧୦ମ ଫେଲ ହେବା ପରେ ଅପରାଧୀମାନଙ୍କ ସଂସ୍ପର୍ଶରେ ଆସିିଥିଲା ଓ ଗୁଣ୍ଡାଗର୍ଦି ଆରମ୍ଭ କରିଥିଲା । ୧୭ ବର୍ଷ ବୟସରେ ତା ଉପରେ ହତ୍ୟା ଅଭିଯୋଗ ଆସିଥିଲା । ଏହାପରେ ସେ ଘରକୁ ଆଉ ଫେରି ନ ଥିଲା ଓ ଗ୍ୟାଙ୍ଗଷ୍ଟାର ପାଲଟିଯାଇଥିଲା ।

୧୯୮୬ରୁ ୨୦୦୭ ମସିହା ମଧ୍ୟରେ ଆତିଫ ବିରୋଧରେ ଏକ ଡ଼ଜନ ମାମଲା ରୁଜୁ ହୋଇଥିଲା । ୨୦୦୪ରେ ସେ ବିଜେପି ନେତା ମୁରଲୀ ମନୋହର ଯୋଶୀଙ୍କ ଜଣେ ଘନିଷ୍ଠ ଅନୁଗତ ଅସରଫଙ୍କୁ ହତ୍ୟା କରିଥିଲା । ଏହାପରେ ନସ୍ତନ, ରାଜୁପାଲ ଆଦି ବ୍ୟକ୍ତିଙ୍କୁ ହତ୍ୟା କରିଥିଲା । ତା ବିରୋଧରେ କେହି ସାକ୍ଷୀ ଦେଉ ନ ଥିଲେ, ଯେଉଁମାନେ ସାକ୍ଷୀ ଦେଉଥିଲେ ସେମାନଙ୍କୁ ସେ ହତ୍ୟା କରି ଦେଉଥିଲା । ୨୦୧୨ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ ସେ ଜେଲରୁ ନିର୍ବାଚନ ଲଢ଼ିବାକୁ ଆବେଦନ କରିଥିଲା । ମାତ୍ର ହାଇକୋର୍ଟର ୧୦ ଜଣ ଜଜ୍ ତାର ମାମଲା ଶୁଣାଣି କରିବାକୁ ମନା କରିଦେଇଥିଲେ । ୧୧ ତମ ଜଜ୍ ତାକୁ ଜାମିନ ଦେଇଥିଲେ । ସେ ନିର୍ବାଚନରେ ଲଢ଼ିଥିଲା । ମାତ୍ର ଯେଉଁ ରାଜୁପାଲକୁ ସେ ହତ୍ୟା କରିଥିଲା, ତାର ପତ୍ନୀ ପୂଜା ପାଲ ଆତିଫକୁ ନିର୍ବାଚନରେ ପରାଜିତ କରିଥିଲେ ।

ମୁଖତାର ଅଂସାରୀ: ୫ଥର ବିଧାୟକ, ୧୫ ବର୍ଷ ହେଲା ଜେଲରେ

ଉତ୍ତରପ୍ରଦେଶ ଅପରାଧ ଦୁନିଆରେ ମୁଖତାର ଅନ୍ସାରୀ ଆଉ ଏକ ବଡ଼ ନାଁ । ତାଙ୍କୁ ବାହୁବଳୀ ନେତା ଭାବରେ ଗଣାଯାଏ । ସେ କ୍ରମାଗତ ୫ଥର ବିଧାୟକ ହୋଇଛି, ମାତ୍ର ଗତ ୧୫ ବର୍ଷ ହେଲା ଜେଲରେ ଅଛି । ତା ଉପରେ ହତ୍ୟା, ଅପହରଣ, ମୁଣ୍ଡ ଜାମିନ ରଖି ଅର୍ଥ ଆଦାୟ ପରି ୪୦ ମାମଲା ରୁଜୁ ହୋଇଛି । ସେ ଜେଲରେ ଥାଇ ନିର୍ବାଚନ ଜିଣି ପାରୁଛି, ତେଣୁ ତାର କାଟତି ଏଥିରୁ ସହଜରେ ଅନୁମେୟ । ଭୟ ଯୋଗୁଁ ତାକୁ ଲୋକମାନେ ବାଧ୍ୟ ହୋଇ ଭୋଟ ଦିଅନ୍ତି, ଯିଏ ଭୋଟ ଦିଅନ୍ତି ନାହିଁ ତାଙ୍କର ଅବସ୍ଥା ଭୟଙ୍କର ହୋଇଯାଏ । ଜେଲରୁ ସେ ତାର ଅପରାଧ ସାମ୍ରାଜ୍ୟ ଚଳାଇ ଆସିଛି ।

ମୁଖତାର ଜନ୍ମ ଗାଜିପୁରରେ ହୋଇଥିଲା । ତାର ଜେଜେବାପା କଂଗ୍ରେସ ଆଉ ବାପା କମ୍ୟୁନିଷ୍ଟ ଥିଲେ । ମୁଖତାର ଛାତ୍ର ଜୀବନରୁ ଦାଦାଗିରି କରୁଥିଲା । ୧୯୮୮ ମସିହାରେ ତାର ନାମ ଏକ ହତ୍ୟା ମାମଲାରେ ସାମିଲ ହୋଇଥିଲା । ମାତ୍ର ପ୍ରମାଣ ଅଭାବରୁ ସେ ଖସି ଯାଇଥିଲା । ଏହାପରେ ୯୦ ଦଶକରେ ସେ ଅପରାଧ ଦୁନିଆରେ ଏକ ବଡ଼ ନାଁ ଭାବରେ ଉଭା ହୋଇଥିଲା । ୨୦୦୫ରେ ବିଜେପି ବିଧାୟକ କୃଷ୍ଣାନନ୍ଦ ରାୟଙ୍କ ହତ୍ୟା ପଛରେ ଅନ୍ସାରୀର ସମ୍ପୃକ୍ତି ଥିବା ମଧ୍ୟ ଅଭିଯୋଗ ହୋଇଥିଲା ।  ୧୯୯୬ ମସିହାରେ ମୁଖତାର ପ୍ରଥଥର ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲା । ଏହି ସମୟରେ ଅନ୍ୟଏକ ଅପରାଧୀ ଗୋଷ୍ଠୀର ନେତା ବ୍ରିଜେଶ ସିଂହ ମୁଖତାର ଉପରେ ଆକ୍ରମଣ କରିଥିଲେ ହେଁ ସେ ବଞ୍ଚି ଯାଇଥିଲା । କୁହାଯାଏ ମୁଖତାରର ହତ୍ୟା ପାଇଁ ଲମ୍ବୁ ଶର୍ମା ନାମକ ଅପରାଧୀକୁ ୬ କୋଟି ଟଙ୍କା ସୁପାରି ଦିଆଯାଇଥିଲା । ଲମ୍ବୁଶର୍ମା ଗିରଫ ହେବା ପରେ ଏହା ଜଣା ପଡ଼ିଥିଲା । ୨୦୦୫ରେ ମଉରେ ହିଂସା ପରେ ମୁଖତାର ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲା । ମୁଖତାର ଜେଲରେ ଥାଇ ମଧ୍ୟ ସରକାରୀ ଠିକାକୁ ନିୟନ୍ତ୍ରଣ କରିଥାଏ । ତାର ଭାଇ ଅଫଜଲ ଅନ୍ସାରୀ ଏବେ ଗାଜିପୁର ସାଂସଦ ।

ବ୍ରିଜେଶ ସିଂହ : ବାପାଙ୍କ ହତ୍ୟା ପ୍ରତିଶୋଧ ପାଇଁ କରିଥିଲା ୬ ହତ୍ୟା 

ବ୍ରିଜେଶ ସିଂହ ପୂର୍ବାଞ୍ଚଳର ବଡ଼ ମାଫିଆ ଭାବରେ ଜଣାଶୁଣା । ସେ ବର୍ତମାନ ବାରଣାସୀରୁ ନିଦ୍ଦଳୀୟ ବିଧାୟକ । ତା ଉପରେ ୩୦ରୁ ଅଧିକ ମାମଲା ରହିଛି । ହତ୍ୟା, ଅପହରଣ, ହତ୍ୟାଉଦ୍ୟମ, ହତ୍ୟା ଷଡ଼ଯନ୍ତ୍ରଠାରୁ ଆରମ୍ଭ କରି ଦଙ୍ଗା ସୃଷ୍ଟି, ଜମି ଆତ୍ମସାତ ପରି ମାମଲା ତା ଉପରେ ରହିଛି । ୨୦୦୦ ମସିହା ପର୍ଯ୍ୟନ୍ତ ସେ ଫେରାର ଥିଲା ଓ ତାଙ୍କ ଉପରେ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା ।

ବନାରସର ଧରହରା ଗାଁରେ ରହୁଥିବା ବ୍ରିଜେଶଙ୍କ ନାମ ପ୍ରଥମେ ୧୯୮୪ରେ ହତ୍ୟା ମାମଲରେ ଯୋଡ଼ା ଯାଇଥିଲା । ନିଜ ବାପାଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ସେ ହତିଆର ଉଠାଇଥିଲା ଓ ଜଣକୁ ହତ୍ୟା କରି  ସେ ଫେରାର ହୋଇ ଯାଇଥିଲା। ୧୯୮୬ ମସିହାରେ ସିକରୌରା ଗାଁରେ ସେ ୫ ଜଣଙ୍କୁ ଗୁଳି କରି ହତ୍ୟା କରିଥିଲା । ଜେଲରେ ରହିବା ସମୟରେ ତାର ଅନେକ ଅପରାଧୀଙ୍କ ସହ ପରିଚୟ ହୋଇଥିଲା । ସେମାନଙ୍କୁ ଧରି ସେ ଅପରାଧୀ ଗୋଷ୍ଠୀ ସୃଷ୍ଟି କରିଥିଲା । ୧୯୯୬ରେ ମୁଖତାର ଅନସାରୀ ସହ ତାର ଗଣ୍ଡଗୋଳ ହୋଇଥଇଲା ଓ ମୁଖତାରକୁ ହତ୍ୟା ପାଇଁ ସେ ୬ କୋଟି ଟଙ୍କା ସୁପାରି ଦେଇଥିଲା। ୨୦୦୩ରେ କୋଇଲା ମାଫିଆ ସୂର୍ଯଦେବ ସିଂହର ପୁଅ ରାଜୀବ ରଞ୍ଜନ ସିଂହର ହତ୍ୟା ପଛରେ ବ୍ରିଜେଶ ସମ୍ପୃକ୍ତି ଥିବା ଚର୍ଚା ହୁଏ । ମାତ୍ର ବ୍ରିଜେଶର ନାଁ ଗ୍ୟାଙ୍ଗଷ୍ଟାର ଓ ଡ଼ନ୍ ଭାବରେ ସେତେବେଳେ ପରିଚିତ ହୋଇଥିଲା ଯେତେବେଳେ ଜେଜେ ହସପିଟାଲ ସୁଟଆଉଟ ଘଟଣାରେ ତାର ନାଁ ଯୋଡ଼ା ଯାଇଥିଲା । ମାତ୍ର ପ୍ରମାଣ ଅଭାବରୁ ସେ ବଞ୍ଚି ଯାଇଥିଲା । ସେ ୨୦୦୮ ମସିହାରୁ ଓଡ଼ିଶାରୁ ଗିରଫ ହୋଇଥିଲା ଓ ସେବେଠାରୁ ଜେଲରେ ଅଛି । ସେ ଓ ତାର ପରିବାର ସଦସ୍ୟ ବାରଣାସୀରୁ ୪ଥର ନିର୍ବାଚିତ ହୋଇଛନ୍ତି ।

ଧନଞ୍ଜୟ ସିଂହ: ୨ଥର ବିଧାୟକ, ଥରେ ସାଂସଦ, ୪୦ ମାମଲା 

ପୂର୍ବାଞ୍ଚଳର ଆଉଜଣେ ବାହୁବଳୀ ନେତା ଧନଞ୍ଜୟ ସିଂହ । ତାଙ୍କ ଉପରେ ୪୦ରୁ ଅଧିକ ମାମଲା ରହିଛି । ମାତ୍ର ସେ ୨ଥର ବିଧାୟକ ନିର୍ବାଚିତ ହୋଇଛନ୍ତି ଓ ଥରେ ସାଂସଦ ମଧ୍ୟ । ସେ ଛାତ୍ର ରାଜନୀତିରୁ ଅପରାଧ ଦୁନିଆରେ ପ୍ରବେଶ କରିଥିଲେ ଓ ସରକାରୀ ଟେଣ୍ଡର ମାମଲାରେ ତାଙ୍କ ଉପରେ ୧୨ରୁ ଅଧିକ ମାମଲା ରୁଜୁ ହୋଇଛି ।  ୧୯୯୮ ମସିହା ପର୍ଯ୍ୟନ୍ତ ଧନଞ୍ଜୟ ବିରୋଧରେ ୧୨ ମାମଲା ରୁଜୁ ହୋଇଥିଲା ଓ ତାଙ୍କୁ ଧରାଇ ଦେବା ପାଇଁ ୫୦ ହଜାର ଟଙ୍କା ପୁରସ୍କାର ଘୋଷଣା ହୋଇଥିଲା । ତାଙ୍କର ପ୍ରଥମ ପତ୍ନୀ ବିବାହର ୯ ମାସ ପରେ ଆତ୍ମହତ୍ୟା କରିଦେଇଥିଲା ଓ ଦ୍ବିତୀୟ ପତ୍ନୀ ଛାଡ଼ପତ୍ର ଦେଇଥିଲା । ପରେ ସେ ୩ୟ ବିବାହ କରିଥିଲେ ।  ଧନଞ୍ଜୟ ୨୭ ବର୍ଷ ବୟସରେ ରାରୀ ବିଧାନସଭା କ୍ଷେତ୍ରରୁ ୨୦୦୨ ମସିହାରେ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚିତ  ହୋଇଥିଲେ । ଏହାପରେ ସେ ପରେ ଜେଡ଼ିୟୁ ଟିକେଟରେ ବିଜୟୀ ହୋଇଥିଲେ । ୨୦୦୯ରେ ବସପା ଟିକେଟରେ ଜୌନପୁରରୁ ସାଂସଦ ନିର୍ବାଚିତ ହୋଇଥିଲେ, ମାତ୍ର ୨୦୧୪ରେ ସେ ପରାଜିତ ହୋଇଥିଲେ ।

Comments are closed.