ବୋଟରେ ପଡିଲା ୫ଟନ ଇଲା ମାଛ

ଧାମରା : ଧାମରା ଜେଟ୍ଟିରେ ଜାଲରୁ ମାଛ କାଢିବା ପାଇଁ ଶତାଧିକ ଲୋକ ରୁଣ୍ଡ ହୋଇଥିଲେ। ବହୁ ଦିନ ପରେ ଧାମରା ଜେଟ୍ଟିରେ ୫ଟନ ଇଲା ମାଛ ଧରାପଡିଥିଲା। ବୋଟରୁ ଜେଟ୍ଟି ପର୍ଯ୍ୟନ୍ତ ଲମ୍ବିଥିଲା ଜାଲରେ ପଡ଼ିଥିବା ଇଲା ମାଛ। ଏଡି ଇଲା ମାଛ ଦେଖିବାକୁ ଅବିକଳ ଇଲିସ ମାଛ ପରି । ଆକାରରେ ଛୋଟ  ଏବଂ ଏହାର ଦାମ  କିଲୋପ୍ରତି ୭୦ ରୁ ୧୦୦ ଟଙ୍କା ଭିତରେ। ସମୁଦ୍ରକୁ ମାଛ ମାରିବାକୁ ଯାଇଥିବାବେଳେ ଜାଲରେ ୫ଶହ କୁଇଂଟାଲ ଇଲା ମାଛ ଲାଗିଥିଲେ ବୋଲି କରଣପଲ୍ଲୀ ନିବାସୀ ବୋଟ ମାଲିକ ବିକି ମଣ୍ଡଳ ସୂଚନା ଦେଇଛନ୍ତି।  ବିକି ମଣ୍ଡଳ କହିଛନ୍ତି ଯେ  ଆଇଏନଡି ଓଆର ଜିରୋ ୱାନ ଏମଏମ-୫୪୪ ମା ଶିତଳା-୩୪ ନାମକ ଗିଲେଟିଙ୍ଗ ବୋଟ ଗତକାଲି ଗଭୀର ସମୁଦ୍ରରେ ମାଛ ଧରୁଥିବା ବେଳେ ଇଲା ମାଛ ତାଙ୍କ ବୋଟରେ ଲାଗିଥିଲା।  ମାଛର ପରିମାଣ ବହୁ ଅଧିକ ଥିବାରୁ ବାଧ୍ୟ ହୋଇ ବୋଟ ଚାଳକ ଜାଲକୁ ଅଧାରୁ କାଟି ସମୁଦ୍ରରେ ଭସାଇ ଦେଇଥିଲେ ଓ ଅବଶିଷ୍ଟ ମାଛକୁ ଧରି କୂଳକୁ ଫେରିଥିଲେ।

 

ଆଜି ସକାଳ ସମୟରେ ବୋଟ ଧାମରା ମାଛ ଧରା ବନ୍ଦର ଜେଟ୍ଟିରେ ଲାଗିବା ବେଳେ ଜାଲରୁ ମାଛ କାଢିବା ପାଇଁ ଶହ ଶହ ଲୋକ ରୁଣ୍ଡ ହୋଇଥିଲେ। ଏହି ମାଛର ବଜାର ମୂଲ୍ୟ ଅଧିକ ନ ଥିବାରୁ ଖର୍ଚ୍ଚ ତୁଳନାରେ ବୋଟ ମାଲିକ ବେଶିକିଛି ଲାଭ କରିବା ସମ୍ଭବ ନୁହେଁ ବୋଲି ସେଠାରେ ଚର୍ଚ୍ଚା ହୋଇଥିଲା। ଏହି ମାଛ ଧରା ହେବା ପରେ ପଶ୍ଚିମବଙ୍ଗ ଦିଘା କଂଟାକୁ ଯିବା ପାଇଁ ପ୍ରସ୍ତୁତ କରାଯାଇଛି। ଏତେ ପରିମାଣର ମାଛ ଧାମରା ଠାରେ ବିକ୍ରି ସମ୍ଭବ ନ ଥିବାରୁ ଏହାକୁ ପଶ୍ଚିମବଙ୍ଗ କଂଟାକୁ ପଠାଯାଉଛି ବୋଲି ବୋଟ ମାଲିକ ଶ୍ରୀ ମଣ୍ଡଳ ସୁଚନା ଦେଇଛନ୍ତି।

Comments are closed.