ଦାନ୍ତେୱାଡାରେ ମାଓବାଦୀଙ୍କ ଆକ୍ରମଣ; ବିଧାୟକ ମୃତ, ୩ ଯବାନ ସହିଦ

ଦାନ୍ତେୱାଡା/ମାଲକାନଗିରି : ଲୋକସଭା ନିର୍ବାଚନ ପ୍ରଥମ ପ୍ରର୍ଯ୍ୟାୟ ମତଦାନର ଦୁଇ ଦିନ ପୂର୍ବରୁ ମଙ୍ଗଳବାର ଅପରାହ୍ଣରେ ମାଓବାଦୀମାନେ ଛତିଶଗଡ଼ ଦାନ୍ତେୱାଡାରେ ବଡ଼ଧରଣର ଆକ୍ରମଣ କରିଛନ୍ତି। ଏଥିରେ ସ୍ଥାନୀୟ ବିଧାୟକଙ୍କ ମୃତ୍ୟୁ ଘଟିଥିବାବେଳେ ୩ ଜଣ ଯବାନ ସହିଦ ହୋଇଛନ୍ତି।
ସୂଚନା ଅନୁସାରେ ମଙ୍ଗଳବାର ଅପରାହ୍ଣରେ ସ୍ଥାନୀୟ ବିଜେପି ବିଧାୟକ ଭୀମା ମାଣ୍ଡାଭି ଦଳୀୟ ସମର୍ଥକ ଓ କର୍ମୀଙ୍କ ସହ ନକୁଲନାରରେ ନିର୍ବାଚନୀ ପ୍ରଚାର ସାରି ଫେରୁଥିଲେ। ତେବେ ସେଠାରୁ ପ୍ରାୟ ଦୁଇ କିଲୋମିଟର ଦୂର ଶ୍ୟାମାଗିରି ଠାରେ ଏକ ଆଇଇଡି ବିସ୍ଫୋରଣରେ ବିଧାୟକଙ୍କ ଗାଡ଼ିଟି ଉଡ଼ିଯାଇଥିଲା। ଘଟଣାସ୍ଥଳରେ ବିଧାୟକଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ସୁରକ୍ଷାରେ ମୁତୟନ ୩ ଯବାନ ସହିଦ ହୋଇଛନ୍ତି।

ଡିଆଇଜି (ମାଓବାଦୀ ଅଭିଯାନ) ପି. ସୁନ୍ଦରରାଜ କହିଛନ୍ତି ଯେ ବିଧାୟକ ନିର୍ବାଚନ ପ୍ରଚାର ସାରି ଫେରୁଥିବାବେଳେ ଆଇଇଡି ବିସ୍ଫୋରଣ ଶିକାର ହୋଇଛନ୍ତି। ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ଦାନ୍ତେୱାଡାରେ ଦିନ ୩ଟା ମଧ୍ୟରେ ନିର୍ବାଚନୀ ପ୍ରଚାର ଶେଷ ହୋଇଯାଇଥିଲା। ମାଣ୍ଡାଭି ବୁଲେଟପ୍ରୁଫ ଗାଡ଼ିରେ ଫେରୁଥିଲେ ଓ ତାଙ୍କ ଗାଡିରେ ସୁରକ୍ଷା କର୍ମୀ ବି ଥିଲେ। ରାସ୍ତାରେ ଆଇଇଡି ବିସ୍ଫୋରଣରେ ବିଧାୟକଙ୍କ ଗାଡ଼ିଟି ନଷ୍ଟ ହୋଇଯାଇଥିଲା। ଘଟଣାସ୍ଥଳରେ ବିଧାୟକ ମୃତ୍ୟୁ ଘଟିଥିଲା। ୩ ସୁରକ୍ଷା କର୍ମୀ ବି ସହିଦ ହୋଇଛନ୍ତି।
ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଅଭିଯାନ ଆରମ୍ଭ ହୋଇଛି। କେତେଜଣ ଆହତ ହୋଇଛନ୍ତି ତାର ସ୍ପଷ୍ଟ ସୂଚନା ମିଳିନାହିଁ।

Comments are closed.