ଆରଟିଆଇ କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲା : ୨ ସୁପାରୀ କିଲରଙ୍କ ସମେତ ୫ ଗିରଫ

କନ୍ଧମାଳ : ଆରଟିଆଇ କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲାରେ ବାଲିଗୁଡା ପୁଲିସ ୨ଜଣ ସୁପାରୀ କିଲରଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି । କନ୍ଧମାଳ ଏସପି ପ୍ରତୀକ ସିଂହ ରବିବାର ଏକ ସାମ୍ବାଦିକ ସମ୍ମଳନୀରେ କହିଛନ୍ତି ଯେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେ. ବିଶ୍ବଜିତ ପାତ୍ର ସମସ୍ତ ଷଡଯନ୍ତ୍ର କରିଥିଲେ। ଦୁଇ ଲକ୍ଷ ଟଙ୍କା ଦେଇ ଦୁଇ ସୁପରୀ କିଲରଙ୍କୁ ହତ୍ୟା ପାଇଁ ନିୟୋଜିତ କରିଥିଲେ । ମନ୍ଦିର ପରିଚାଳନା ଓ ଦୋକାନ ଘର ଆବଣ୍ଟନକୁ ନେଇ ଅଭିମନ୍ୟୁଙ୍କ ସହ ତାଙ୍କର ବିବାଦ ସୃଷ୍ଟି ହୋଇଥିଲା।

ଏହି ଘଟଣାରେ ସଂପୃକ୍ତ ଅନ୍ୟ ଦୁଇଜଣଙ୍କୁ ଧରିବା ପାଇଁ ପୁଲିସ ପ୍ରୟାସ ଜାରି ରଖିଛି ବୋଲି ଏସପି କହିଛନ୍ତି । ତେବେ ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ୩ ରାଉଣ୍ଡ ଗୁଳି, ୩ଟି ମୋବାଇଲ, ବାଇକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ଗତ ୧୦ ତାରିଖରେ ନିଜ ଘର ବାଲିଗୁଡାରେ ଅଭିମନ୍ୟୁ ପଣ୍ଡାଙ୍କୁ ହତ୍ୟା କରାଯାଇଥିଲା । ଏନେଇ ଲୋକେ ୫୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିବା ସହିତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦାବି କରିଥିଲେ । ପୁଲିସ ଏନେଇ ୫ଟି ଟିମ୍ ଗଠନ କରି ତଦନ୍ତ ଚଳାଇଥିଲା।

ଗିରଫ ୫ ଅଭିଯୁକ୍ତମାନଙ୍କୁ ପରେ କୋର୍ଟ ଚାଲାଣ କରାଯାଇଛି ।

 

Comments are closed.