୫ଚୋରି ବାଇକ୍ ଜବତ, ୩ ଗିରଫ

0

ପିପିଲି: ପିପିଲି ପୁଲିସ ୩ଜଣ ବାଇକ୍ ଚୋରଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୫ଟି ଚୋରି ବାଇକ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପୁରୀ ସମହରା ନୂଆସାହିର ଧନେଶ୍ୱର ପ୍ରଧାନ ,ସମ୍ବିତ ମହାନ୍ତି ଓ ପିପିଲି ଥାନା ଡାହାଙ୍ଗିରିଆ ନିକଟ ଯାଜପୁର ଗ୍ରାମର ଡୁଲୁ ଖାଁ । ସୂଚନା ଅନୁଯାଇ, ପିପିଲି ଆଇଆଇସି ଶରତ କୁମାର ସାହୁଙ୍କ ନେତୃତ୍ୱରେ ସାତଶଙ୍ଖ ଅଞ୍ଚଳରେ ପୁଲିସ ଟ୍ରାଫିକ୍ ଚେକିଂ କରୁଥିବା ବେଳେ ଉପରୋକ୍ତ ୩ ଅଭିଯୁକ୍ତ ପୁଲିସ ହାତରେ ଧରାପଡିଥିଲେ। ସେମାନେ ଏକ ବାଇକରେ ସନ୍ଦେହଜନକ ଭାବେ ଯାଉଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା। ଯାଞ୍ଚ ସମୟରେ ଉକ୍ତ ବାଇକଟି ଏକ ଚୋରା ବାଇକ୍ ବୋଲି ଜଣାପଡିଥିଲା। ସେମାନଙ୍କୁ ପୁଲିସ ଜେରା କରିବାରେ ସେମାନେ ବାଇକ୍ ଚୋର ହୋଇଥିବା ଜଣାପଡିବା ପରେ ପୁଲିସ ସେମାନଙ୍କ ତଥ୍ୟ ଅଧାରରେ ପୁରୀର ବିଭିନ୍ନ ସ୍ଥାନରୁ ଅନ୍ୟ ୪ଟି ଚୋରା ବାଇକକୁ ଜବତ କରିଛି।

ସମସ୍ତ ୫ଟି ଯାକ ବାଇକକୁ ଅଭିଯୁକ୍ତମାନେ ପୁରୀ ଅଞ୍ଚଳରୁ ଚୋରି କରିଥିବା ସଂପର୍କରେ ପୁଲିସ ନିକଟରେ ସ୍ୱିକାର କରିଛନ୍ତି। ମଙ୍ଗଳବାର ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ଓ ସେମାନଙ୍କ ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା ଆଇଆଇସି ଶ୍ରୀସାହୁ ସୂଚନା ଦେଇଛନ୍ତି।

Leave A Reply