ଦୁର୍ବଳ ହେଉଛି ଲାଲୁଙ୍କ ଆରଜେଡ଼ି: ଦଳ ଛାଡ଼ି ଜେଡ଼ିୟୁରେ ମିଶିଲେ ୫ ବିଧାନ ପରିଷଦ ସଦସ୍ୟ

ଲାଲୁ ଜେଲରେ । ପୁଅ ତେଜସ୍ବୀ ହାତରେ ଆରଜେଡ଼ି ମଙ୍ଗ । ହେଲେ ଦଳର ବରିଷ୍ଠ ନେତା ତେଜସ୍ବୀଙ୍କୁ ପୁରାମାତ୍ରାରେ ନେତା ରୂପରେ ଗ୍ରହଣ କରିବାକୁ ନାରାଜ । ଆଗକୁ ବିଧାନସଭା ନିର୍ବାଚନ ଥିବାବେଳେ ଦଳର ୫ ବିଧାନ ପରିଷଦ ସଦସ୍ୟ ଆରଜେଡ଼ି ଛାଡ଼ି ନୀତିଶକୁମାରଙ୍କ ଜେଡ଼ିୟୁରେ ଯୋଗ ଦେଇଛନ୍ତି । ସେମାନଙ୍କ ଯୋଗଦାନକୁ ସ୍ବାଗତ କରିଛନ୍ତି ଜେଡ଼ିୟୁ । ମାତ୍ର ଆରଜେଡ଼ି ନେତାମାନଙ୍କର ଏପରି ପଦକ୍ଷେପକୁ କଟୁ ସମାଲୋଚନା କରିଛନ୍ତି ତେଜସ୍ବୀ ଯାଦବ । ମୁଖ୍ୟମନ୍ତ୍ରୀ ନୀତିଶକୁମାରଙ୍କୁ ମଧ୍ୟ ସେ ସମାଲୋଚନା କରିବାକୁ ପଛାଇ ନାହାନ୍ତି । ମୁଖ୍ୟମନ୍ତ୍ରୀ ଗୋଟିଏ ଗଠନମୂଳକ କାର୍ଯ୍ୟ କରିଛନ୍ତି ବୋଲି କଟାକ୍ଷ କରିଛନ୍ତି ତେଜସ୍ବୀ ।


ବିହାର ବିଧାନ ପରିଷଦରେ ଆରଜେଡିର ୮ ଜଣ ସଦସ୍ୟ ଥିଲେ । ଏମାନଙ୍କ ମଧ୍ୟରୁ କମଲ ଆଲମ, ସଞ୍ଜୟ ପ୍ରସାଦ, ରାଧା ଚରଣ ସେଠ, ଦିଲ୍ଲୀପ ରାୟ, ରଣବିଜୟ ସିଂହ ଦଳରୁ ଇସ୍ତଫା ଦେଇ ଜେଡିୟୁରେ ମିଶିଛନ୍ତି । ଫଳରେ ବିଧାନ ପରିଷଦରେ ଜେଡିୟୁ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି । ତେଜସ୍ୱୀ କହିଛନ୍ତି, ମୁଁ ଏନେଇ ନୀତୀଶ ଜୀଙ୍କୁ ଶୁଭେଚ୍ଛା ଜଣାଉଛି । ସେ ଏକ ଗଠନମୂଳକ କାର୍ଯ୍ୟ କରିଛନ୍ତି । ତେବେ ନୀତୀଶଙ୍କ ଏପରି କାମରେ ବିହାର ଲୋକଙ୍କର କୌଣସି ଲାଭ ହେବ ନାହିଁ । ଏଥିରେ ମୁଖ୍ୟମନ୍ତ୍ରୀଙ୍କର ହିଁ ଲାଭ ହେବ ବୋଲି କହିଛନ୍ତି ତେଜସ୍ୱୀ । ସେହିପରି ଗତ ୩ ମାସ ହେଲା ଦେଶ କୋରୋନା ମୁକାବିଲା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି କାମରେ ଲିପ୍ତ ଥିଲେ ବୋଲି ତେଜସ୍ୱୀ କହିଛନ୍ତି । 

Comments are closed.