ଦୁର୍ଘଟଣା ପରେ ଟ୍ରକ ସହିତ ୨ କି.ମି. ଘୋଷାରି ହୋଇଗଲା କାର, ୫ ଗୁରୁତର

ପିପିଲି: ଭୁବନେଶ୍ବର-ପୁରୀ ଜାତୀୟ ରାଜପଥର ମଙ୍ଗଳପୁର ବଜାରଠାରେ ଶନିବାର ସକାଳେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। କାରରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ଜଣ ପୁରୁଷ, ୨ ମହିଳା ଓ ଜଣେ ଶିଶୁ ଅଛନ୍ତି। ସମସ୍ତେ ପଶ୍ଚିମବଙ୍ଗର ବାସିନ୍ଦା ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଆହତମାନେ କାର ଯୋଗେ ପଶ୍ଚିମବଙ୍ଗରୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଲାଗି ପୁରୀ ଯାଉଥିଲେ। ମଙ୍ଗଳପୁର ବଜାର ପୂର୍ବରୁ ଭୋଗୁଆବାଙ୍କଠାରେ କାରଟି ସମ୍ମୁଖରେ ଯାଉଥିବା ଏକ ଟ୍ରକ ପଛକୁ ଧକ୍କା ଦେଇଥିଲା। ଟ୍ରକରେ କାର ଫଶିଯିବା ସହିତ ପ୍ରାୟ ୨ କି.ମି. ପର୍ଯ୍ୟନ୍ତ ଘୋଷାରି ହୋଇ ଚାଲିଯାଇଥିଲା। ପରେ ମଙ୍ଗଳପୁର ବଜାର ନିକଟରେ କାରଟି ଟ୍ରକରୁ ବାହାରି ରାସ୍ତାପାର୍ଶ୍ବର ଏକ ଖାଲ ଭିତରକୁ ଖସି ପଡ଼ିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରାଯାଇ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

Comments are closed.