ହିଜବୁଲ ମୁଜାହିଦ୍ଦିନର ୫ ସମର୍ଥକ ଗିରଫ

ଶ୍ରୀନଗର: ଜାମ୍ମୁ-କାଶ୍ମୀର ପୁଲିସ ମଙ୍ଗଳବାର ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ୫ଜଣ ସମର୍ଥକଙ୍କୁ ସୋପିଆନ ଅଞ୍ଚଳରୁ ଗିରଫ କରିଛି। ଏହି ଗିରଫ ଦ୍ୱାରା ବଡ ଧରଣର ଆତଙ୍କବାଦୀ ଆକ୍ରମଣକୁ ଏଡାଇ ଦିଆଯାଇଛି। ଗିରଫ ସମର୍ଥକମାନେ ହେଲେ ଆକିବ ନାଜିର ରାଥର, ଅମିର ମାଜିଦ ୱାନି, ସମୀର ଅହମ୍ମଦ ଭଟ୍ଟ, ଫୈଜଲ ଫାରୁକ ଆହଙ୍ଗର ଓ ରିଆସ ଅହମ୍ମଦ ଗନାନି। ଜେରା ସମୟରେ ସେମାନେ କହିଛନ୍ତି ଯେ ହିଜବୁଲ ମୁଜାହିଦ୍ଦିନ ପୁଲିସ ଓ ସୁରକ୍ଷାକର୍ମୀଙ୍କୁ ନିଶାଣ କରି ଆଇଇଡି ବିସ୍ଫୋରଣ ଘଟାଇବାକୁ​‌ ଯୋଜନା କରିଛି। ଗିରଫ ଆତଙ୍କବାଦୀ ଠାରୁ ଅତ୍ୟାଧୁନିକ ଆଇଇଡି ଜବତ କରାଯାଇଛି।

ଗୁଇନ୍ଦା ଏଜେନ୍ସି ଠାରୁ ମିଳିଥିବା ସୂଚନା ଅନୁଯାୟୀ ପାକିସ୍ତାନସ୍ଥିତ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା ଓ ଜୈସ-ଇ-ମହମ୍ମଦ ଭାରତର ସାମରିକ ପ୍ରତିଷ୍ଠାନ ଓ ସୁରକ୍ଷାକର୍ମୀ ଗାଡିକୁ ଆକ୍ରମଣ ଯୋଜନା କରିଛନ୍ତି। ଶ୍ରୀନଗର-କୁପୱାଡା ରାଜପଥରେ ସୁରକ୍ଷାବାହିନୀ ଗାଡିକୁ ଲକ୍ଷ୍ୟ କରି ଆତଙ୍କବାଦୀମାନେ ଆକ୍ରମଣ ଘଟାଇବା ନେଇ ଗୁଇନ୍ଦା ବିଭାଗ ସତର୍କ ସୂଚନା ଜାରି କରିଛନ୍ତି। ଏହା ସହିତ ନିୟନ୍ତ୍ରଣ ରେଖା ନିକଟରେ ମୁତୟନ ସୁରକ୍ଷାକର୍ମୀଙ୍କୁ ମଧ୍ୟ ଆତଙ୍କବାଦୀମାନେ ନିଶାଣ କରିବାର ଆଶଙ୍କା ରହିଛି। ନିକଟରେ ପାକିସ୍ତାନ ମଧ୍ୟ ଅନୁରୂପ ଗୁଇନ୍ଦା ସୂଚନା ଭାରତକୁ ଦେଇଥିଲା। ପାକିସ୍ତାନର ଗୁଇନ୍ଦା ସୂଚନା ଅନୁଯାୟୀ ଦକ୍ଷିଣ କାଶ୍ମୀରରେ ପୁଲୱାମା ଭଳି ଆକ୍ରମଣ ହେବାର ଆଶଙ୍କା ରହିଛି। ସୋମବାର ଆତଙ୍କବାଦୀମାନେ ସେନାର ଏକ ଗାଡି ଉପରେ ଆଇଇଡି ବିସ୍ଫୋରଣ ଘଟାଇଥିଲେ। ଏଥିରେ ଦୁଇଜଣ ଯବାନ ସହିଦ ହେବା ସହ ୭ଜଣ ଆହତ ହୋଇଥିଲେ।

Comments are closed.