ବର୍ଷା ବିତ୍ପାତ : ରାଜ୍ୟରେ ୫ଜଣଙ୍କ ମୃତ୍ୟୁ

୭ଦିନରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲାପାଳଙ୍କୁ ନିର୍ଦେଶ

ଭୁବନେଶ୍ବର : ଲଘୁଚାପ ଜନିତ ଲଗାଣ ବର୍ଷା ଦ୍ବାରା ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇପଡ଼ିବା ସହିତ ନଦୀରେ ଭାସିଯାଇ ଏବଂ କାନ୍ଥପଡ଼ିଯିବାରୁ ମୋଟ ୫ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। କାନ୍ଥପଡ଼ିଯିବା ଦ୍ବାରା ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଘୁଙ୍ଗୁଟିପାଲି ଗ୍ରାମର ଦୀପା ବରାଲେଣ୍ଡିଆ ଗତ ୧୬ତାରିଖରେ ପ୍ରାଣ ହରାଇ ଥିବାବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଗଣ୍ଡଗୁହାଳି ଗ୍ରାମର ବୁଦ୍ଧେଶ୍ବର ମାଝି ଏବଂ ମଙ୍ଗଳ ମାରାଣ୍ଡି ଗତ ୧୯ତାରିଖରେ ନଦୀରେ ଭାସିଯାଇ ପ୍ରାଣ ହରାଇଛନ୍ତି। ଏହି ଜିଲାର କୁଳିଅଣା ବ୍ଲକ କୁଚେଇ ଗ୍ରାମର ବାସନ୍ତୀ ମୁଖୀଙ୍କର ଆଜି କାନ୍ଥ ପଡ଼ିଯିବାରୁ ମୃତ୍ୟୁ ହୋଇଛି। ସେହିପରି ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ଦେହୁରିପାଲି ଗ୍ରାମର ଗୋପାଳ ଗାରିଆଙ୍କର ଆଜି କାନ୍ଥ ପଡ଼ି ମୃତ୍ୟୁ ହୋଇଛି।

ବର୍ଷାରେ କେତେ ସଂଖ୍ୟାରେ ବାସଗୃହ କ୍ଷତିଗ୍ରସ୍ତ ହୋଇଛି, କେତେ ପରିମାଣରେ ଚାଷଜମି ନଷ୍ଟ ହୋଇଛି ତଥା ବାଲି ଚରିଯାଇଛି ସେ ସମ୍ପର୍କରେ ୭ଦିନ ଭିତରେ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ ପାଇଁ ଜିଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ରିପୋର୍ଟ ମିଳିବା ପରେ କ୍ଷତିଗ୍ରସ୍ତ ପରିବାରଙ୍କୁ ଆବଶ୍ୟକ ସହାୟତା ରାଶି ଯୋଗାଇ ଦିଆଯିବ ବୋଲି ଏସଆରସିଙ୍କ ‌କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଗତ ୨୪ଘଣ୍ଟାରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହୋଇଛି ଏବଂ ରାଜ୍ୟରେ ହାରାହାରି ୧୬ମିମି ବର୍ଷା ରେକର୍ଡ଼ କରାଯାଇଛି। ମାଲକାନଗିରିର ପଡ଼ିଆ ବ୍ଲକରେ ୧୧୨.୩ ଓ ନବରଙ୍ଗପୁରର କୋଷାଗୁମୁଡା ବ୍ଲକରେ ୧୨୬.୨ମିମି ବର୍ଷା ହୋଇଥିବାବେଳେ ପ୍ରାୟ ୨୨ଟି ବ୍ଳକରେ ୫୦ମିମିରୁ ଅଧିକ ଏବଂ ୫୯ଟି ବ୍ଲକରେ ୨୦ରୁ ୫୦ମିମି ମଧ୍ୟରେ ବର୍ଷା ରେକର୍ଡ଼ ହୋଇଛି।

ବୈତରଣୀର ଜଳସ୍ତର ଆଖୁଆପଦାଠାରେ ବିପଦ ସଙ୍କେତର ସାମାନ୍ୟ ଉପରେ ପ୍ରବାହିତ ହେଉଛି। ଏଠାରେ ବିପଦସଙ୍କେତ ୧୭.୮୩ମିଟର ଥିବାବେଳେ ମଧ୍ୟାହ୍ନ ସୁଦ୍ଧା ନଦୀର ଜଳସ୍ତର ୧୭.୯୪ମିଟର ଥିଲା। ବାଲେଶ୍ବର ଜିଲା ବସ୍ତା ବ୍ଲକର ମଥାନିଠାରେ ଜଳକା ଜଳସ୍ତର ବିପଦସଙ୍କେତ ଉପରେ ଥଲେ ବି ଏହା ସ୍ଥିର ରହିଛି। ତେବେ ଏଠାରେ ବନ୍ୟା ପରିସ୍ଥିତି ଉପୁଜି ନାହିଁ।
ନବରଙ୍ଗପୁର ଜିଲାରେ ବୃଷ୍ଟିପାତ ଯୋଗୁଁ କୋରାପୁଟ ଜିଲାର କୋଟପାଡ ବ୍ଲକ ଅନ୍ତର୍ଗତ ସୁରଲିଠାରେ ଜାତୀୟ ରାଜପଥ ୨୬ର ପୋଲ ଉପରେ ବର୍ଷା ଜଳ ପ୍ରବାହିତ ହେବା ଯୋଗୁଁ ବୋରିଗମ୍ମାଠାରୁ ଜଗଦଳପୁର ରାସ୍ତା ବିଚ୍ଛିନ୍ନ ହୋଇଛି। ସେଠାରେ ପୁଲିସ ଅଗ୍ନିଶମ ବାହିନୀ, ଓଡ଼୍ରାଫ, ବ୍ଲକ ଓ ତହସିଲ କର୍ମଚାରୀ ମୁତୟନ ଅଛନ୍ତି। ବୃଷ୍ଟିପାତ ଫଳରେ ଏହି ଜିଲାର ୧୨୦ଟି ବାସଗୃହ ଓ ଗୋଟିଏ ଗୁହାଳ କ୍ଷତିଗ୍ରସ୍ତ ହୋଇଛି।

ମାଲକାନଗିରିରେ ଗତ ୨୪ଘଣ୍ଟାରେ ୬୨.୫ମିମି ବର୍ଷା ହେବା ଦ୍ବାରା କଙ୍ଗାରୁକୋଣ୍ଡା, କନ୍ୟାଶ୍ରମ, ​‌କୋରକୁଣ୍ଡା ପୋଲ ଉପରେ ବର୍ଷା ଜଳ ପ୍ରବାହିତ ହେଉଛି। ଏମଭି-୯୦, ଏମଭି-୯୬ ପୋଲ ତଳେ ବନ୍ୟା ଜଳସ୍ତର କମିବାରେ ଲାଗିଛି। ମାଥିଲି ବ୍ଲକର ପଙ୍ଗାମ ‌ଓ ସାବେରୀ ପୋଲ ତଳେ ବନ୍ୟଜଳ ପ୍ରବାହିତ ହେଉଛି। ଗତକାଲି ରାତିରେ ମାଥିଲି ବ୍ଲକର ୧୬୯ଜଣ ଓ କାଲିମେଳା ବ୍ଲକର ୮୧ଜଣ ବ୍ୟକ୍ତିଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି।

ଝାରସୁଗୁଡ଼ା ଜିଲାରେ ଲଖନପୁର ତହସିଲର ୪ଟି ପରିବାରର କଚ୍ଚ ଘର କ୍ଷତିଗ୍ରସ୍ତ ହୋଇଛି । ସେମାନଙ୍କୁ ପଲିଥିନ ଯୋଗାଇ ଦିଆଯାଇଛି। ଖୋର୍ଦ୍ଧା ଜିଲାରେ ଜଟଣୀ ବ୍ଲକର ବେଣାପଞ୍ଜୁରୀ ପଞ୍ଚାୟତରେ ଚାଷ ଜମି ବର୍ଷା ଜଳରେ ବୁଡ଼ିରହିଛି। ମଲାଗୁଣି ନଦୀରେ ବର୍ଷା ଜଳ ଆସିବାରୁ ଖୋର୍ଦ୍ଧା ବ୍ଲକର ଓରବରସିଂ ପଞ୍ଚାୟତର ହିରମଲ ଗ୍ରାମର ଚାଷଜମି ବୁଡ଼ି ରହିଛି। ମୟୂରଭଞ୍ଜରେ ବଡ଼ସାହି ବ୍ଲକର ଗଙ୍ଗାହାର ନଦୀର ଜଳସ୍ତର ହ୍ରାସ ପାଉଛି।

ଗତ ଜୁନରୁ ଆଜି ସୁଦ୍ଧା ରାଜ୍ୟରେ ବୃଷ୍ଟିପାତ ସ୍ବାଭାବିକଠାରୁ ୧.୩ପ୍ରତିଶତ ଅଧିକ ହୋଇଛି। ବୃଷ୍ଟିପାତ ଜୁନରେ ସ୍ବାଭାବିକଠାରୁ ଶତକଡ଼ା ୯.୩ ଅଧିକ, ଜୁଲାଇରେ ୩୪.୯ପ୍ରତିଶତ କମ ଏବଂ ଅଗଷ୍ଟରେ ୪୫.୨ପ୍ରତିଶତରୁ ଅଧିକ ବର୍ଷା ହୋଇଛି। ଜୁଲାଇରେ ଯେଉଁ ଜିଲାଗୁଡ଼ିକରେ ବୃଷ୍ଟିପାତ କମିଥିଲା ତାହା ଅଗଷ୍ଟରେ ପୂରଣ ହୋଇଛି। ଅଗଷ୍ଟରେ ୧୭ଟି ଜିଲାରେ ବୃଷ୍ଟିପାତ ସ୍ବାଭାବିକଠାରୁ ୧୯ପ୍ରତିଶତ ଅଧିକ ହୋଇଥିବାବେଳେ ୧୨୩ଟି ଜିଲାରେ ସ୍ବାଭାବିକ ହୋଇଛି। ୬ଟି ଜିଲାରେ ୧୦୫ରୁ ୧୭୬ପ୍ରତିଶତ ପର୍ଯ୍ୟନ୍ତ ଅଧିକ ବର୍ଷା ହୋଇଛି। କେବଳ ନୂଆପଡ଼ା ଜିଲାରେ ୩୧.୯ପ୍ରତିଶତ ବର୍ଷା ନିଅଣ୍ଟ ରହିଛି।

Comments
Loading...