କିଟ୍‌ରେ ଆଜିଠାରୁ ବିଶ୍ୱ କବି ମହାକୁମ୍ଭ

୮୨ଦେଶରୁ ୧୦୦୦, ଓଡ଼ିଶାରୁ ୫୦୦ ଯୋଗଦେବେ

ଭୁବନେଶ୍ବର :  କିଟ୍‌ ପରିସରରେ ଅକ୍ଟୋବର ୨(ଆଜିଠାରୁ) ୬ ତାରିଖ ପର୍ଯ୍ୟନ୍ତ ବିଶ୍ୱ କବି ମହାକୁମ୍ଭ ଅନୁଷ୍ଠିତ ହେଉଛି। କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମ କ୍ରମେ ତୃତୀୟ ଥର ଲାଗି ଭାରତରେ ଓ ପ୍ରଥମ ଥର ପାଇଁ ଓଡ଼ିଶାରେ ବିଶ୍ୱ କବି ସମ୍ମିଳନୀ ଆୟୋଜନ ହେଉଛି। ଓଡ଼ିଶାର ପର୍ଯ୍ୟଟନକୁ ବିଶ୍ୱବିଦିତ କରିବା ପାଇଁ ୩୯ତମ ବିଶ୍ୱ କବି ସମ୍ମିଳନୀକୁ ଏକ ନିଆରା ଢ଼ଙ୍ଗରେ ଆୟୋଜନ କରିବା ପାଇଁ ବ୍ୟବସ୍ଥା ହୋଇଛି। ୨ ତାରିଖରେ ବିଶ୍ୱ କବି ସମ୍ମିଳନୀର ଉଦ୍‌ଘାଟନୀ ଉତ୍ସବ ସହ ଦୟା କବିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେହିପରି ୩ ତାରିଖରେ ଭୁବନେଶ୍ୱରରେ ବୌଦ୍ଧିକ କବିତା ପାଠ ହେବାକୁ ଥିବାବେଳେ ୪ ତାରିଖରେ କୋଣାର୍କରେ ପର୍ଯ୍ୟଟନ କବିତା, ୫ ତାରିଖରେ ପୁରୀରେ ଆଧ୍ୟାତ୍ମିକ କବିତା ଓ ୬ତାରିଖ ଉଦ୍‌ଯାପନୀ ଉତ୍ସବ ସହ ପ୍ରତିଫଳନ କବିତା ପାଠ ଆୟୋଜନ ହେବ। ଏଥିରେ ଓଡ଼ିଶାରୁ ୫୦୦ କବି ଓ ସାହିତ୍ୟିକଙ୍କ ବ୍ୟତୀତ ୮୨ଟି ଦେଶରୁ ୧୦୦୦ କବି ଓ ପ୍ରତିନିଧି ଯୋଗଦେବେ। ଚଳିତବର୍ଷ ୱାଲ୍‌ର୍ଡ କଂଗ୍ରେସ୍‌ ଅଫ୍‌ ପୋଏଟ୍‌ସ (ଡବ୍ଲୁସିପି)ର ସ୍ୱର୍ଣ୍ଣ ଜୟନ୍ତୀ ବର୍ଷ ହୋଇଥିବାରୁ ଏହାକୁ କିଟ୍‌ରେ ସ୍ୱତନ୍ତ୍ର ଭାବେ ପାଳନ କରାଯାଉଛି। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ବର୍ଷକୁ ଦୃଷ୍ଟିରେ ରଖି ୩୯ତମ ବିଶ୍ୱ କବି ସମ୍ମିଳନୀର ବିଷୟ ବସ୍ତୁ ରଖାଯାଇଛି ‘କବିତା ମାଧ୍ୟମରେ ଦୟା’। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୯ତମ ବିଶ୍ୱ କବି ସମ୍ମିଳନୀକୁ ଉଦ୍‌ଘାଟନ କରିବେ ଏବଂ ଉଦ୍‌ଯାପନୀ ଉତ୍ସବର ମୁଖ୍ୟଅତିଥି ଭାବେ ଯୋଗଦେବେ ଭାରତର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ଏହି ଅବସରରେ ୬ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଭାଷା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ଡବ୍ଲୁସିପି ପକ୍ଷରୁ ସମ୍ମାନସୂଚକ ଡିଲିଟ୍‌ ପ୍ରଦାନ କରାଯିବ। ସେହିପରି ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ୫ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନସୂଚକ ଡିପ୍ଲୋମା ସମ୍ମାନ ପ୍ରଦାନ କରାଯିବ। ବିଶ୍ୱ କବି ସମ୍ମିଳନୀର ସଭାପତି ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଡବ୍ଲୁସିପିର ସର୍ବୋଚ୍ଚ ସମ୍ମାନ ଗୋଲ୍‌ଡେନ୍‌ ଗ୍ୟାବେଲ୍‌ ପ୍ରଦାନ କରାଯିବ। ସେହିପରି ପ୍ରଫେସର ଆଚାର୍ଯ୍ୟ ଭାବାନନ୍ଦଙ୍କୁ ସାହିତ୍ୟ ପାଇଁ ଗାନ୍ଧୀ ପୁରସ୍କାର ପ୍ରଦାନ କରାଯିବ। ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ମହାତ୍ମା ଗାନ୍ଧୀଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ଭାରତ ସମେତ ୮୨ଟି ଦେଶରୁ ଆସିଥିବା କବି ପ୍ରତିନିଧି ଉନ୍ମୋଚନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ସେମାନେ କିସ୍‌ର ୨୭,୫୦୦ ଜନଜାତି ଛାତ୍ରଛାତ୍ରୀଙ୍କ ସହ ଗାନ୍ଧୀ ଜୟନ୍ତୀ ପାଳନ କରିବେ। ଏହା ବ୍ୟତୀତ ଗାନ୍ଧୀଙ୍କ ସ୍ମୃତିରେ ନିର୍ମାଣ କରାଯାଇଥିବା ଏକ ଅତ୍ୟାଧୁନିକ ସର୍ବସାଧାରଣ ପାଠାଗାରକୁ ସେମାନେ ମଧ୍ୟ ଉଦ୍‌ଘାଟନ କରିବେ।

Comments are closed.