ଇଞ୍ଜିନୟରିଂ କଲେଜରେ ନାମଲେଖା ଅବଧି ଆଉ ୫ ଦିନ ବୃଦ୍ଧି

ଭୁବନେଶ୍ବର :  ରାଜ୍ୟର ସରକାରୀ ଓ ଘରୋଇ ଇଞ୍ଜିନୟରିଂ କଲେଜଗୁଡ଼ିକରେ ନାମଲେଖା ଅବଧିକୁ ଆଉ ୫ ଦିନ ବୃଦ୍ଧି କରାଯାଇଛି । ଶନିବାର ପୂର୍ବାହ୍ନରେ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥ କାର୍ଯ୍ୟାଳୟରେ ଏ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରୁ ଜଣାପଡ଼ିଛି ବର୍ତ୍ତମାନ ସୁଦ୍ଧା ସରକାରୀ ଓ ବେସରକାରୀ ଇଂଜିନିୟରିଂ କଲେଜଗୁଡ଼ିକରେ ୧୨ ହଜାର ୫୩୬ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ଗତବର୍ଷ ଇଂଜିନିୟରିଂ ପାଠ୍ୟକ୍ରମରେ ନାମଲେଖାଇଥିବା ଛାତ୍ରଛାତ୍ରୀଙ୍କଠାରୁ ଚଳିତ ବର୍ଷ ୪ ହଜାର ଅଧିକ ବିଦ୍ୟାର୍ଥୀ ନାମ ଲେଖାଇଥିଲେ ମଧ୍ୟ ୬୦ ଦଶମିକ ୩୭ ପ୍ରତିଶତ ସ୍ଥାନ ଖାଲି ରହିଛି ।
ଏହାକୁ ଦୃଷ୍ଟିରେ ରଖି ଅଧିକ ଛାତ୍ରଛାତ୍ରୀଙ୍କୁ ଏହି ପାଠ୍ୟକ୍ରମରେ ନାମଲେଖାଇବାର ସୁଯୋଗ ଦେବା ପାଇଁ ନାମଲେଖା ଅବଧିକୁ ୫ ଦିନ ବୃଦ୍ଧି କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁସାରେ ନାମଲେଖା ଅବଧି ଆସନ୍ତାକାଲି ଶେଷ ହେବାକୁ ଥିବାବେଳେ ବୃଦ୍ଧିପରେ ଏହି ପ୍ରକ୍ରିୟା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ।

Comments are closed.