ଅଖତରଙ୍କ ଉତ୍ତରାଧିକାରୀ ହାତୀ; ଲେଖିଦେଲେ ୫ କୋଟି ଟଙ୍କାର ସମ୍ପତ୍ତି

ପାଟନା: କେରଳ ହାତୀ ମୃତ୍ୟୁ ଘଟଣା ଲୋକଙ୍କ ମନରୁ ପାଶୋର ହୋଇ ନ ଥିବ । ସପୁରୀରେ ବିସ୍ଫୋରକ ଭର୍ତି କରି ଗୋଟିଏ ଗର୍ଭିଣୀ ହାତୀ ୩ ଦିନ ପାଣିରେ ଠିଆ ହୋଇ ମୃତ୍ୟୁବରଣ କରିଥିବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ମାତ୍ର ବିହାରର ପାଟନା ଅଞ୍ଚଳର ଜାନିପୁରର ଆଉ ଏକ ଘଟଣା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଜଣେ ବ୍ୟକ୍ତି ନିଜ ପୁଅ ପରିବର୍ତ୍ତେ ପାଳିଥିବା ଦୁଇ ହାତୀ ନାଁରେ ୫ କୋଟି ଟଙ୍କାର ସମ୍ପତ୍ତି ୱିଲ୍ କରିଛନ୍ତି । ତାଙ୍କ ଅନ୍ତେ ପୁଅ ନୁହେଁ ଦୁଇ ହାତୀ ରାଣୀ ଆଉ ମୋତି ଏହି ସମ୍ପତ୍ତିର ମାଲିକ ହେବେ ।

ହାତୀ ବଞ୍ଚାଇଥିଲା ଅଖତରଙ୍କ ଜୀବନ

ଅଖତର କହିଛନ୍ତି ଯେ ହାତୀ ଏକଦା ତାଙ୍କର ଜୀବନ ବଞ୍ଚାଇଛି । ଥରେ ଗୋଟିଏ ଚୋର ବନ୍ଧୁକ ଧରି ତାଙ୍କ ଘରେ ପଶିବା ବେଳେ ହାତୀ ରାଣୀ ଆଉ ମୋତି ତାକୁ ଦେଖିନେଇଥିଲେ  ଆଉ ଗର୍ଜନ କରିଥିଲେ । ଫଳରେ ତାଙ୍କର ନିଦ ଭାଙ୍ଗି ଯାଇଥିଲା । ସେ ପାଟି କରିବାରୁ ଚୋର ଦୌଡ଼ି ପଳାଇଥିଲା । ହାତୀ ଗର୍ଜନ ନ କରିଥିଲେ ସେଦିନ ଚୋର ତାଙ୍କୁ ହୁଏତ ମାରି ଦେଇଥାଆନ୍ତା । ତେଣୁ ହାତୀକୁ ସେ ବହୁତ ଭଲ ପାଆନ୍ତି । ହାତୀ ଯଦି ମୃତ୍ୟୁବରଣ କରନ୍ତି ତେବେ ପରିବାରର ଲୋକମାନେ ସମ୍ପତ୍ତିରୁ କାଣିକଉଡ଼ି ବି ପାଇବେ ନାହିଁ ।

ଅପରାଧ ପ୍ରବଣ ପୁଅ ପ୍ରତି ବିମୁଖ

ଅଖତରଙ୍କ ପୁଅ ଅପରାଧପ୍ରବଣ । ତା ନାଁରେ ମାମଲା ରହିଛି । ସେ ଭୁଲ ବାଟରେ ଯାଇଛି । ହାତୀଙ୍କୁ ବିକିବାକୁ ସେ ତସ୍କରଙ୍କ ସହ ମୂଲଚାଲ କରିଥିଲା । ସେଥିପାଇଁ ତା ଉପରେ କ୍ରୋଧିତ ହୋଇଛନ୍ତି ଅଖତର । ତାକୁ କିଛି ସମ୍ପତ୍ତି ଦେବାକୁ ଚାହିଁ ନାହାନ୍ତି । ସେ ତାଙ୍କର ମୋଟ ସମ୍ପତ୍ତିର ଅଧା ପତ୍ନୀଙ୍କ ନାମରେ ଆଉ ଅଧେ ଦୁଇ ହାତୀ ମୋତି ଓ ରାଣୀଙ୍କ ନାମରେ କରି ଦେଇଛନ୍ତି । ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟରେ ଏଥିନେଇ ସେ ଦଲିଲ କରି ଦେଇଛନ୍ତି ବୋଲି କହିଛନ୍ତି ଅଖତର । ୫କୋଟି ସମ୍ପତ୍ତି ହାତୀଙ୍କ ନାଁରେ ରହିବ। ଯାହାଫଳରେ ଦୁଇହାତୀ ସୁରକ୍ଷିତ ରହିବା ସହ ସେମାନଙ୍କର କୌଣସି ଅସୁବିଧା ହେବ ନାହିଁ।

ହାତୀ ମୃତ୍ୟୁପରେ ସମ୍ପତ୍ତି ଐରାବତ ସଙ୍ଗଠନ ପାଇବ 

ଅଖତର ଇମାମ ହାତୀମାନଙ୍କୁ ବେଶ୍ ଭଲ ପାଆନ୍ତି । ସେ ଐରାବତ ନାମକ ଏକ ସଙ୍ଗଠନ ବି ଚଳାଉଛନ୍ତି । ହାତୀମାନଙ୍କ ସୁରକ୍ଷା ନିମନ୍ତେ ଏହି ସଙ୍ଗଠନ କାମ କରିଥାଏ । ଦୀର୍ଘ ୪୦ ବର୍ଷ ହେଲା ଅଖତର ହାତୀମାନଙ୍କ ସେବା କରୁଛନ୍ତି । ସେଥିପାଇଁ ତାଙ୍କର ଘର, ବ୍ୟାଙ୍କ ଜମା ଓ ଫାର୍ମ ହାଉସ  ଅଖତର ହାତୀଙ୍କ ନାମରେ କରି ଦେଇଛନ୍ତି । ଯଦି ଉଭୟ ହାତୀ ମୃତ୍ୟୁବରଣ କରନ୍ତି, ତେବେ ଏହି ସବୁ ସମ୍ପତ୍ତି ଐରାବତ ସଂଗଠନକୁ ଚାଲିଯିବ।

Comments are closed.