ଗଞ୍ଜେଇ ସହ ୨ ଗାଡ଼ି ଜବତ, ୫ ଗିରଫ

ଭଞ୍ଜନଗର: ଖୋଦ୍‍ କନ୍ଧମାଳ ଜିଲ୍ଲା ଚୋରା ଗଞ୍ଜେଇ ଚାଷର ଭୂସର୍ଗ ପାଲଟିଛି। ସମଗ୍ର ରାଜ୍ୟ ଓ ରାଜ୍ୟ ବାହାରକୁ ବିଭିନ୍ନ ରାସ୍ତାରେ ବିପୁଳ ପରିମାଣରେ ଗଞ୍ଜେଇ ଚୋରାରେ ଚାଲାଣ ହୋଇ ପୁଲିସ୍‍ ଓ ଅବକାରୀ ବିଭାଗର ଆଖିରୁ ନିଦ ହଜେଇ ଦେଇଥିବା ବେଳେ ଉଭୟ ବିଭାଗ ତରଫରୁ ଧରପଗଡ ପ୍ରକ୍ରିୟା ଜୋରଦାର ଚାଲୁ ରହିଛି। ଅଥଚ ଚୋରା ଗଞ୍ଜେଇ କାରବାର କମିବାର ନା’ ଧରୁନି। ଭଂଜନଗର ଠାରୁ ମାତ୍ର ୨୫ କି.ମି ଦୂର ଫୁଲବାଣୀ ରାସ୍ତାର ଦୂର୍ଗାପ୍ରସାଦ ଠାରେ ଗୋଟିଏ ବୋଲେରୋ ଓ ଗୋଟିଏ ମାରୁତି କାରରେ ୪୦.୫ କି.ଗ୍ରା ବୋଝେଇ ହୋଇ ଯାଉଥିବା ବେଳେ ପୁଲିସ୍‍ ଜବତ କରିଛି। ଉଭୟ ଗାଡିରେ ୫ ଜଣ ଗଞ୍ଜେଇ ମାଫିଆ କନ୍ଧମାଳ ଜିଲ୍ଲାରୁ ଭଂଜନଗର ଅଭିମୁଖେ ଆସି ଭୁବନେଶ୍ୱର ଅଭିମୁଖେ ଚୋରାରେ ଚାଲଣ କରୁଥିବା ବେଳେ ଭଂଜନଗର ପୁଲିସ୍‍ ଏମାନଙ୍କୁ କାବୁ କରିବାେରେ ସକ୍ଷମ ହୋଇଥିଲେ। ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁଙ୍କ ନେତୃତ୍ୱରେ ପୁଲିସ୍‍ ଟିମ୍‍ ଏମାନଙ୍କୁ ଗିରଫ କରିବା ସହ ଜବତ ଗଂଜେଇ ଓ ଗାଡି ଦୁଇଟିକୁ ଭଂଜନଗର ଥାନା ପରିସରକୁ ନେଇ ଆସିଥିଲେ। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଅଜିତ୍‍ କୁମାର ନାୟକ, ବେଲେଶ୍ୱର ଗଇନ୍ତିଆ, ଅରୁଣ ଦିଗାଲ, ବିପିନ ମଳ୍ଲିକ ଓ ଶମ୍ଭୁ ଦିଗାଲ ବୋଲି ପୁଲିସ୍‍ ପ୍ରକାଶ କରିଛି। ଏମାନଙ୍କର ସମସ୍ତଙ୍କ ଘର କନ୍ଧମାଳ ଜିଲ୍ଲା ବୋଲି ଜଣାପଡିଛି।

Comments are closed.