ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ରାଜପକ୍ଷ

କଲମ୍ବୋ : ମହିନ୍ଦା ରାଜପକ୍ଷ ଚତୁର୍ଥ ଥର ପାଇଁ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରବିବାର କଲମ୍ବୋର ଉପକଣ୍ଠସ୍ଥିତ ବୌଦ୍ଧ ମନ୍ଦିରରେ ରାଜପକ୍ଷ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ଉତ୍ସବରେ ରାଜପକ୍ଷଙ୍କ ଭାଇ ତଥା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ଉପସ୍ଥିତ ରହିଥିଲେ। ଶପଥ ଗ୍ରହଣ ପରେ ରାଜପକ୍ଷ ତାଙ୍କ ଟ୍ବିଟରରେ ଲେଖିଛନ୍ତି ‘ ଲୋକଙ୍କ ସେବା କରିବାକୁ ସୁଯୋଗ ମିଳିଥିବାରୁ ମୁଁ ଖୁସି। ଶ୍ରୀଲଙ୍କାବାସୀ ମୋ ଉପରେ ଯେଉଁ ବିଶ୍ବାସ ଜାହିର କରିଛନ୍ତି ତାହା ମୋତେ ସେବା କରିବାକୁ ଉତ୍ସାହିତ କରିବ।’
ଶପଥ ଗ୍ରହଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଫୋନ କରି ଅଭିନନ୍ଦନ ଜଣାଇଛନ୍ତି। ପରେ ମୋଦୀ ଟ୍ବିଟରରେ ଲେଖିଛନ୍ତି ‘ ଧନ୍ୟବାଦ ପ୍ରଧାନମନ୍ତ୍ରୀ ରାଜପକ୍ଷ। ତୁମ ସହିତ କଥା ହୋଇ ମୁଁ ଆନନ୍ଦିତ। ପୁଣି ଥରେ ଅଭିନନ୍ଦନ ଜଣାଉଛି। ଆଗାମୀ ଦିନରେ ଆମେ ଦ୍ବିପାକ୍ଷିକ ସହଯୋଗ ଓ ସମନ୍ବୟକୁ ମଜଭୁତ କରିବା ଦିଗରେ କାର୍ଯ୍ୟ କରିବା। ଆମର ସ୍ବତନ୍ତ୍ର ସମ୍ପର୍କକୁ ନୂଆ ଶିଖରରେ ପହଞ୍ଚାଇବା।
ରାଜପକ୍ଷ ପ୍ରଥମେ ୨୦୦୪ ଏପ୍ରିଲରୁ ୨୦୦୫ ନଭେମ୍ବର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିଥିଲେ। ଏହା ପରେ ୨୦୧୮ ଅକ୍ଟୋବର ୨୬ରୁ ୨୦୧୮ ଡିସେମ୍ବର ୧୫ ଏବଂ ୨୦୧୯ ନମ୍ବେଭମ୍ବରରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହା ସହିତ ୨୦୦୫ରୁ ୨୦୧୫ ପର୍ଯ୍ୟନ୍ତ ସେ ଶ୍ରୀଲଙ୍କାର ରାଷ୍ଟ୍ରପତି ରହିଥିଲେ।

Comments are closed.