୪ର୍ଥ ଟି୨୦- ଭାରତ ବିଜୟୀ

ଅହମ୍ମଦାବାଦ: ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରଭାବଶାଳୀ ପ୍ରଦର୍ଶନ କରି ୪ର୍ଥ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି। ଏହି କର ବା ମର ମ୍ୟାଚ୍‌ରେ ମାତ୍ର ୮ ରନ୍‌ରେ ଇଂଲଣ୍ଡକୁ ଭାରତ ପରାସ୍ତ କରିଛି। ଫଳରେ ସିରିଜ୍ ପରାଜୟରୁ ବର୍ତ୍ତିବା ସହ ଭାରତ ସିରିଜ୍‌କୁ ୨-୨ ସ୍ଥିତିକୁ ଆଣିପାରିଛି। ଶନିବାର ନିର୍ଣ୍ଣାୟକ ୫ମ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ ଖେଳାଯିବ। ପଦାର୍ପଣ ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ଶ୍ରେୟାସ ଆୟର ଓ ଋଷଭ ପନ୍ତ୍‌ଙ୍କ ଉପଯୋଗୀ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ଭାରତ ୮ ୱିକେଟରେ ୧୮୫ ରନ୍ କରି ପାରିଥିଲା। ପରେ ଜେସନ୍ ରୟ ଓ ବେନ୍‌ ଷ୍ଟୋକ୍‌ସଙ୍କ ଆକର୍ଷଣୀୟ ଇନିଂସ ସତ୍ତ୍ବେ ଇଂଲଣ୍ଡ ୮ ୱିକେଟରେ ୧୭୭ ରନ୍ କରି ପାରିଥିଲା।

ଇଂଲଣ୍ଡ ୧୮୬ ରନ୍‌ର ପିଛା କରିଥିବା ବେଳେ ଭାରତକୁ ବଡ଼ ସଫଳତା ମିଳିଥିଲା; ଯେତେବେଳେ ଗତ ମ୍ୟାଚ୍‌ର ହିରୋ ଜୋସ୍ ବଟ୍‌ଲର ୧୭ ବଲ୍‌ରୁ ୧୪ ରନ୍‌କରି ବିଦାୟ ନେଇଥିଲେ। ଅନାକର୍ଷଣୀୟ ଇନିଂସ ଖେଳି ଡାୱିଡ୍‌ ମାଲାନ୍ ୧୭ ବଲ୍‌ରୁ ୧୪ ରନ୍‌କରି ବିଦାୟ ନେଇଥିଲେ। ଭଲ ଇନିଂସ ଖେଳିଥିବା ଜେସନ୍ ରୟ ୨୭ ବଲ୍‌ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୪୦ ରନ୍‌କରି ଆଉଟ ହୋଇଥିଲେ। ୬୬ ରନ୍‌ରେ ୩ଟି ୱିକେଟ ପଡ଼ିଯିବା ପରେ ଜନି ବେୟାରଷ୍ଟୋ ଓ ବେନ୍ ଷ୍ଟୋକ୍‌ସ ଷ୍ଟ୍ରୋକ୍‌ ଖେଳିବା ଆରମ୍ଭ କରିଥିଲେ। ଦୁହେଁ ୩୬ ବଲ୍‌ରୁ ୬୫ ରନ୍ ଯୋଡ଼ିଥିଲେ। ବେୟାରଷ୍ଟୋ ୧୯ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୫ ରନ୍ କରିଥିଲେ। ୪ ଓଭରରେ ୪୬ ରନ୍ ଆବଶ୍ୟକ ଥିବା ବେଳେ ସାର୍ଦ୍ଦୁଳ ଠାକୁର କ୍ରମାଗତ ୨ଟି ବଲ୍‌ରେ ୨ଟି ୱିକେଟ ନେଇ ଭାରତକୁ ବିଜୟପଥକୁ ଆଣିଥିଲେ। ବିସ୍ଫୋରକ ବ୍ୟାଟିଂକରି ବେନ୍ ଷ୍ଟୋକ୍‌ସ ୨୩ ବଲ୍‌ରୁ ୩ଟି ଛକା ଓ ୪ଟି ଚୌକା ସହ ୪୬ ରନ୍‌କରି ଆଉଟ୍‌ ହୋଇଥିଲେ। ପରବର୍ତ୍ତୀ ବଲ୍‌ରେ ଅଧିନାୟକ ଇଓନ୍ ମୋର୍ଗାନ୍ ୪ ରନ୍‌କରି ବିଦାୟ ନେଇଥିଲେ। ସାମ୍ କରନ୍ ୩ ରନ୍ କରିଥିଲେ। ସାର୍ଦ୍ଦୁଳ ଠାକୁର ୩ଟି ଏବଂ ହାର୍ଦିକ ପାଣ୍ଡ୍ୟା ଓ ରାହୁଲ ଚହର ୨ଟି ଲେଖାଏଁ ୱିକେଟ ନେଇଥିଲେ।

ଟସ୍ ଜିଣି ଇଂଲଣ୍ଡ ଫିଲ୍‌ଡିଂର ନିଷ୍ପତ୍ତି ନେବା ପରେ ଆଦିଲ ରସିଦ୍ ବୋଲିଂ କରିଥିବା ପ୍ରଥମ ଓଭରରୁ ୧୨ ରନ୍‌ ନେଇ ରୋହିତ ଶର୍ମା ଇନିଂସ ଆରମ୍ଭ କରିଥିଲେ। ୧୨ ରନ୍‌କରି ରୋହିତ ବିଦାୟ ନେଇଥିଲେ। ସେ ସମ୍ମୁଖୀନ ହୋଇଥିବା ପ୍ରଥମ ବଲ୍‌ରେ ଛକାମାରି ସୂର୍ଯ୍ୟକୁମାର ଯାଦବ ଆନ୍ତର୍ଜାତିକ କ୍ରିକେଟ୍‌ ଜୀବନ ଆରମ୍ଭ କରିଥିଲେ। ଗୋଟିଏ ପଟେ ସୂର୍ଯ୍ୟକୁମାର ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ପ୍ରଥମ ୩ଟି ମ୍ୟାଚ୍‌ରେ ବିଫଳ ହୋଇଥିବା କେ.ଏଲ୍‌. ରାହୁଲ ସେଟ୍‌ହେବା ପରି ଲାଗୁଥିଲେ ହେଁ ୧୭ ବଲ୍‌ରୁ ମାତ୍ର ୧୪ ରନ୍ କରି ପାରିଥିଲେ। ଅଧିନାୟକ ବିରାଟ କୋହଲି ଛକାମାରିବା ପ୍ରୟାସରେ ୧ ରନ୍‌କରି ଷ୍ଟମ୍ପ୍‌ଡ ଆଉଟ ହୋଇଥିଲେ। ୭୦ ରନ୍‌ରେ ୩ଟି ୱିକେଟ ପଡ଼ିଯିବା ପରେ ସୂର୍ଯ୍ୟକୁମାର ଓ ଋଷଭ ପନ୍ତ୍ ୪୦ ରନ୍ ଯୋଡ଼ିଥିଲେ।

୨୮ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିବା ସୂର୍ଯ୍ୟକୁମାର ୩୧ ବଲ୍‌ରୁ ୩ଟି ଛକା ଓ ୬ଟି ଚୌକା ସହ ୫୭ ରନ୍‌କରି ଏକ ବିବାଦୀୟ ନିଷ୍ପତ୍ତିରେ ଆଉଟ ହୋଇଥିଲେ। ଋଷଭ ପନ୍ତ୍ ୨୩ ବଲ୍‌ରୁ ୪ଟି ଚୌକା ସହ ୩୦ ରନ୍ କରି ପାରିଥିଲେ। ଭାରତ ଶେଷ ୯ ଓଭରରୁ ୧୦୬ ଓ ଶେଷ ୫ ଓଭରରୁ ୫୭ ରନ୍ ନେଇ ପାରିଥିଲା। ହାର୍ଦିକ ପାଣ୍ଡ୍ୟା ୮ ବଲ୍‌ରୁ ୧୧ ରନ୍ କରି ପାରିଥିଲେ। ଶେଷଆଡ଼କୁ ଶ୍ରେୟାସ ଆୟର ଚମତ୍କାର ବ୍ୟାଟିଂ କରିଥିଲେ। ଶେୟାସ ୧୮ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୩୭ ରନ୍ କରିଥିଲେ। ସାର୍ଦ୍ଦୁଳ ଠାକୁର ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୦ ରନ୍‌କରି ଅପରାଜିତ ଥିଲେ। ଜୋଫ୍ରା ଆର୍ଚର ୪ଟି ୱିକେଟ ନେଇଥିଲେ।

Comments are closed.