ବଲାଙ୍ଗିର ଜିଲାରେ ସ୍ବାସ୍ଥ୍ୟ ବିଭାଗର ଛଟେଇ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ଦୁଃଖ ବୁଝିବ କିଏ?

‘ଆଉ  ବୟସ ନାହିଁ, ଚାକିରୀ କରିବୁ କେଉଁଠି’

ବଲାଙ୍ଗିର: ଆଉ ସେ ବୟସ ନାହିଁ, ଚାକିରୀ କରିବୁ କେଉଁଠି। ଏ ବୟସରେ କିଏ ଆମକୁ ବର୍ତ୍ତମାନ ଚାକିରୀ ଦେବ। ଦୁଇ ପଇସା ରୋଜଗାର ନକଲେ ପରିବାର ପ୍ରତିପୋଷଣ କରିବୁ କେମିତି। ଦୀର୍ଘ ଦିନ ହେଲା ଏ ଅଫିସରୁ ସେ ଅଫିସ ଧାଉଁଥିବା ବେଳେ ସେଭଳି କିଛି ସୁଫଳ ମିଳିନାହିଁ। ଏବେ ଚାକିରୀ ଚିନ୍ତା ଘାରିଥିବା ବେଳେ ଛଟେଇ ପରେ ଥଇଥାନ ପାଇଁ ପ୍ରତିଶ୍ରୃତି ଦେଇଥିଲେ ତତ୍କାଳୀନ ଜିଲାପାଳ। ପଡୋଶୀ ଜିଲାରେ ଛଟେଇ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବା ବେଳେ ବଲାଙ୍ଗିରରେ କେବେ ହେବ ବୋଲି ବଲାଙ୍ଗିର ଜିଲା ସ୍ୱାସ୍ଥ୍ୟ ବିଭାଗରେ ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ପ୍ରଶ୍ନ କରିଛନ୍ତି।
ଏ ନେଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଉକ୍ତ କର୍ମଚାରୀମାନେ। ଅଧିକାଂଶ କର୍ମଚାରୀ ସଫେଇ ଆଟାଣ୍ଟାଣ୍ଡ, ଅଫିସ ଆଟାଣ୍ଟାଣ୍ଡ, ଆମ୍ବୁଲାନ୍ସ ଡ୍ରାଇଭର ଭଳି ଜିଲାର ବିଭିନ୍ନ ଡାକ୍ତରଖାନାରେ ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ଥିଲେ। କିନ୍ତୁ ସ୍ୱାସ୍ଥ୍ୟ ବିଭାଗର ୟୁଜର୍ସ ଫି ଅସୁଲି ବନ୍ଦ ହୋଇଯିବା ପରେ ହତାଠ୍‍ ତାଙ୍କୁ କାଢି ଦିଆଯାଇଥିଲା। ଯାହା ସେମାନଙ୍କ ପାଇଁ ସମ୍ପୁର୍ଣ୍ଣ ଭାବେ ଅନ୍ୟାୟ ବୋଲି ଜିଲାପାଳଙ୍କ ଠାରେ ଦାବି କରିଛନ୍ତି। ତେଣୁ ଯଥାଶୀଘ୍ର ଥଇଥାନ କରିବାକୁ ଦାବି ରଖିଛନ୍ତି କର୍ମଚାରୀ। ଅନ୍ୟମାନଙ୍କ ମଧ୍ୟରେ କୁମୁଦ ନିଆଲ, ଲମ୍ବୋଦର ପାତ୍ର, ଚନ୍ଦ୍ର ସୁନା, ନିମାଇଁ ଚରଣ ପଧାନ, ସମ୍ଭୁ ସାହୁ, ବେଣୁଧର ସୁନା, ରାଜ କିଶୋର ସେଠ୍‍ଙ୍କ ସମେତ ଅନ୍ୟ ଛଟେଇ କର୍ମଚାରୀମାନେ ଉପସ୍ଥିତ ଥିଲେ।

Comments are closed.