ଆତଙ୍କବାଦୀଙ୍କ ସହ ସମ୍ପୃକ୍ତି ଅଭିଯୋଗ : ୪ ଛାତ୍ର ଗିରଫ

0

ଜଳନ୍ଧର : କାଶ୍ମୀର ଆତଙ୍କବାଦୀ ସଂଗଠନ ଅନସାର ଝାଜୱାତ-ଉଲ-ହିନ୍ଦ ସହିତ ସମ୍ପୃକ୍ତି ଅଭିଯୋଗରେ ୪ ଜଣ ଛାତ୍ରଙ୍କୁ ଗିରଫ କରାଯାଇଛି। ପଞ୍ଜାବ ପୁଲିସ ଓ ଜାମ୍ମୁ-କାଶ୍ମୀର ସ୍ୱତନ୍ତ୍ର ବାହିନୀ ବୁଧବାର ମିଳିତ ଚଢଉ କରି ଜଳନ୍ଧରଠାରୁ ସେମାନଙ୍କୁ ଗିରଫ କରିଛି। ସମସ୍ତ ଛାତ୍ର ଜାମ୍ମୁ-କାଶ୍ମୀର ପୁଲୱାମା ଜିଲାର ବାସିନ୍ଦା। ଜଳନ୍ଧରସ୍ଥିତ ସିଟି ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଇଞ୍ଜିନିୟରିଂ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜିର ଛାତ୍ରାବାସରୁ ସେମାନଙ୍କୁ ଗିରଫ କରାଯାଇଥିବା ପୁଲିସ ମହାନିର୍ଦେଶକ ସୁରେଶ ଆରୋରା କହିଛନ୍ତି। ସିଭିଲ ଇଞ୍ଜିନିୟରିଂ ପଢ଼ୁଥିବା ଜାହିଦ ଗୁଲଜାରର ପ୍ରକୋଷ୍ଠରୁ ଦୁଇଟି ବନ୍ଧୁକ ଏବଂ ବିସ୍ଫୋରକ ଜବତ କରାଯାଇଛି। ଗିରଫ ଅନ୍ୟ ଛାତ୍ରମାନେ ହେଲେ ମହମ୍ମଦ ଇର୍ଦିସ ଶାହ, ନଦୀମ ଏବଂ ୟୁସୁଫ ରାଫିକ ଭଟ୍ଟ। ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‍ଆଇ ଭାରତର ପଶ୍ଚିମାଞ୍ଚଳରେ ଆତଙ୍କବାଦର ପ୍ରସାର କରିବାକୁ ଉଦ୍ୟମ କରୁଥିବା ଏହି ଛାତ୍ରଙ୍କ ଗିରଫ ଘଟଣାରୁ ପ୍ରମାଣ ମିଳିଛି। ସ୍ୱତନ୍ତ୍ର ପୁଲିସ ଅଧିକାରୀ (ଏସ୍‍ପିଓ) ଅନିଲ ବଶିର ନିଖୋଜ ଘଟଣାରେ ଗତ ସପ୍ତାହରେ ପଞ୍ଜାବ ପୁଲିସ ଜଣେ କାଶ୍ମୀର ଛାତ୍ର ଘାଜି ଅହମ୍ମଦ ମଲ୍ଲିକଙ୍କୁ ଗିରଫ କରିଥିଲା।

Leave A Reply