୭୪ ତମ ସ୍ୱାଧୀନତା ଦିବସ, ଦେଶବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଆଜି ସାରା ଦେଶ ନିରାଡ଼ମ୍ବର ଭାବେ ୭୪ତମ ସ୍ୱତନ୍ତ୍ରତା ଦିବସ ପାଳନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଐତିହାସିକ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଥମେ ରାଜଘାଟ ଯାଇ ସେଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ଲାଲକିଲ୍ଲାରେ ପହଂଚିଥିଲେ। ସେଠାରେ ଶ୍ରୀ ମୋଦୀ ଗାର୍ଡ ଅଫ ଅନର ଗ୍ରହଣ କରିବା ପରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ମୋର ପ୍ରିୟ ଦେଶବାସୀ, ଏହି ପବିତ୍ର ପର୍ବରେ ଆପଣ ସମସ୍ତଙ୍କୁ ଶୁଭେଚ୍ଛା ଏବଂ ଅନେକ ଅନେକ ଅଭିନନ୍ଦନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ମାତା ଭାରତୀଙ୍କ ଲକ୍ଷ ଲକ୍ଷ ପୁଅ ଓ ଝିଅଙ୍କ ବଳିଦାନ ଏବଂ ଉତ୍ସର୍ଗ ଯୋଗୁ ଆମେ ଆଜି ସ୍ୱାଧୀନ ଭାରତରେ ନିଶ୍ୱାସ ନେଉଛୁ। ଆଜି ସାହସୀ ବୀରଙ୍କୁ ଅଭିବାଦନ କରିବାର ପର୍ବ। ଆମର ସେନା, ପାରାମିଲିଟାରୀ ଫୋର୍ସ, ପୁଲିସ୍ କର୍ମଚାରୀ ଓ ସୁରକ୍ଷା ବାହିନୀ ସମସ୍ତେ ମାତା ଭାରତୀଙ୍କୁ ସୁରକ୍ଷା ଦେବାରେ ନିୟୋଜିତ ଅଛନ୍ତି। ଆଜି ମଧ୍ୟ ତାଙ୍କ ସେବାକୁ ପ୍ରଣାମ କରିବାର ପର୍ବ। ଆଜି ଅରବିନ୍ଦ ଘୋଷଙ୍କ ଜୟନ୍ତୀ। ସେ ଜଣେ ବିପ୍ଲବୀ ତଥା ଆଧ୍ୟାତ୍ମିକ ଋଷି ଥିଲେ। ଆଜି ମଧ୍ୟ ତାଙ୍କୁ ସ୍ମରଣ କରିବାର ଦିନ। କରୋନା ଯୋଗୁ ଆଜି ପିଲାମାନେ ଦେଖାଯାଉନାହାଁନ୍ତି। କରୋନା ସଙ୍କଟରେ ମୁଁ କରୋନା ଯୋଦ୍ଧାଙ୍କୁ ପ୍ରଣାମ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସ୍ୱାଧୀନତାର ବୀରମାନଙ୍କୁ ମନେ ପକାଇବା ଭିତରେ ଏକ ନୂତନ ଶକ୍ତିର ସଂକଳ୍ପ ଅଛି। ଏହା ଆମକୁ ନୂଆ ପ୍ରେରଣା ଓ ନୂତନ ଉତ୍ସାହ ଦେଉଛି। ଏହି ଅବସରରେ ନୂଆ ସଂକଳ୍ପ ଗ୍ରହଣ କରିବା ଜରୁରୀ ଅଟେ। ଆସନ୍ତା ବର୍ଷ ଆମେ ୭୫ତମ ବର୍ଷରେ ପ୍ରବେଶ କରିବା। ତେଣୁ ଏହା ଏକ ବଡ଼ ସୁଯୋଗ। ଆସନ୍ତା ଦୁଇ ବର୍ଷ ପାଇଁ ଆମକୁ ଦୃଢ ସଂକଳ୍ପ ସହିତ ଅଗ୍ରସର ହେବାକୁ ପଡିବ। ଯେତେବେଳେ ଆମେ ସ୍ୱାଧୀନତାର ୭୫ ବର୍ଷରେ ପ୍ରବେଶ କରିବା ଓ ୭୫ ବର୍ଷ ପୁରଣ କରିବା, ସେତେବେଳେ ଆମେ ଆମର ସଂକଳ୍ପ ପୂରଣ କରିବା ପାଇଁ ଏହାକୁ ମହାପର୍ବ ଭାବରେ ପାଳନ କରିବା।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେପରି ଆମର ପୂର୍ବପୁରୁଷମାନେ ନିରବଚ୍ଛିନ୍ନ ଭାବେ ଏକନିଷ୍ଠ ହୋଇ ତପସ୍ୟା ବଳରେ ଆମକୁ ସ୍ୱାଧୀନତା ଦେଇଥିଲେ, ସେମାନେ ନିଜକୁ ଦେଶ ପାଇଁ ଉତ୍ସର୍ଗ କରି ଦେଇଥିଲେ। ଆମେ ଭୁଲିଯିବା ନାହିଁ ଯେ ଦାସତ୍ୱର ସେଭଳି ଏକ ଘଡ଼ିସନ୍ଧି ସମୟରେ କୌଣସି ମୁହୂର୍ତ୍ତ କିମ୍ବା କ୍ଷେତ୍ର ନଥିଲା ଯେତେବେଳେ ସ୍ୱାଧୀନତାର ଉତ୍ସାହ ସୃଷ୍ଟି ହୋଇନଥିଲା। ସ୍ୱାଧୀନତାର ଇଚ୍ଛାକୁ ପୁରାଣ କରିବା ପାଇଁ ଏମିତି କେହି ବି ନଥିଲେ ଯେ କରି ନଥିଲେ। ସ୍ୱାଧୀନତା ହାସଲ ପାଇଁ ସେମାନେ ଯୁବାବସ୍ଥା ଜେଲରେ କାଟିଥିଲେ। ସେମାନେ ହସି ହସି ଫାଶୀଦଣ୍ଡକୁ ଆପଣେଇ ନେଇଥିଲେ। ଗୋଟିଏପଟ ସଶସ୍ତ୍ର ବିପ୍ଳବର ଅନ୍ୟପଟେ ଜନ ଆନ୍ଦୋଳନ। ବାପୁ ସ୍ୱାଧୀନତା ସଂଗ୍ରାମକୁ ଆହୁରି ସଶକ୍ତ କରିଥିଲେ। ଏହି ସ୍ୱାଧୀନତା ସଂଗ୍ରାମରେ ଭାରତର ସଂଗ୍ରାମକୁ ଅବଦମିତ କରିବା ପାଇଁ ମଧ୍ୟ ନିରନ୍ତର ଚେଷ୍ଟା କରାଯାଇଥିଲା।

ଦେଶବାସୀଙ୍କୁ ୭୪ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତକୁ ଏହାର ସଂସ୍କୃତି, ପରମ୍ପରା ଏବଂ ରୀତିନୀତିରୁ ହଟାଇବା ପାଇଁ ବହୁ ଉଦ୍ୟମ କରାଯାଇଥିଲା। ସାମ-ଦାମ-ଦଣ୍ଡ-ଭେଦ, ସବୁକିଛି ସେ ସମୟରେ ଶିଖରରେ ଥିଲା। କିଛି ଲୋକ ବିଶ୍ୱାସ କରୁଥିଲେ ଯେ ସେମାନେ ଏଠାରେ ଶାସନ କରିବାକୁ ଆସିଛନ୍ତି। କିନ୍ତୁ ସ୍ୱାଧୀନତାର ଡାକରା ସେମାନଙ୍କର ସମସ୍ତ ଯୋଜନାକୁ ପଣ୍ଡ କରିଦେଇଥିଲା। ସେମାନେ ଭାବୁଥିଲେ ଯେ ଅନେକ ରାଜ୍ୟ, ଅନେକ ଭାଷା, ଖାଦ୍ୟ, ଅନେକ ଭାଷା, ଏତେ ବିବିଧତାକୁ ନେଇ ଗଠିତ ଏତେ ବଡ ଦେଶ କେବେହେଲେ ଏକାଠି ସ୍ୱାଧୀନତା ସଂଗ୍ରାମ ଲଢ଼ି ପାରିବେ ନାହିଁ। କିନ୍ତୁ ସେମାନେ ଆମର ପ୍ରାଣଶକ୍ତିକୁ ଚିହ୍ନି ପାରିଲେ ନାହିଁ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେଭଳି ଘଡ଼ିସନ୍ଧି ସମୟରେ ମଧ୍ୟ ଦେଶର ସ୍ୱାଧୀନତା ପାଇଁ ସଂଗ୍ରାମ ଜାରି ରହିଥିଲା। ସଂଗ୍ରାମୀମାନେ କଷ୍ଟ ସହି ସଂଗ୍ରାମ ଜାରି ରଖିଥିଲେ। ଭାରତର ଏହି ଲଢେଇ ବିଶ୍ୱରେ ସ୍ୱାଧୀନତା ପାଇଁ ଏକ ପରିବେଶ ସୃଷ୍ଟି କରିଥିଲା। ଭାରତର ଏହି ଶକ୍ତି ବିଶ୍ୱରେ ଏକ ପରିବର୍ତ୍ତନ ଆଣିଥିଲା। ବିସ୍ତାରବାଦ ପାଇଁ ଭାରତ ଏକ ଆହ୍ୱାନ ସୃଷ୍ଟି କରିଛି ଏବଂ ଇତିହାସ ଏହାକୁ ଅସ୍ୱୀକାର କରିପାରିବ ନାହିଁ। ସାରା ବିଶ୍ୱରେ ଭାରତ ସ୍ୱାଧୀନତା ସଂଗ୍ରାମରେ ନିଜର ଏକତାର ଶକ୍ତି, ସାମୁହିକତାର ଶକ୍ତି, ଉଜ୍ଜ୍ୱଳ ଭବିଷ୍ୟତ ପ୍ରତି ନିଜର ଦୃଢ଼ତା ଓ ପ୍ରେରଣାକୁ ପାଥେୟ କରି ଅଗ୍ରସର ହେବାରେ ଲାଗିଲା।

ସମ୍ପ୍ରତି କରୋନା ସଂକ୍ରମଣ କାଳ ମଧ୍ୟରେ ୧୩୦ କୋଟି ଭାରତୀୟ ଆତ୍ମନିର୍ଭରଶୀଳ ହେବାକୁ ସଂକଳ୍ପ ଗ୍ରହଣ କରିଛନ୍ତି। ଆତ୍ମନିର୍ଭରଶୀଳ ଭାରତ ଆଜି ପ୍ରତ୍ୟେକ ଭାରତୀୟଙ୍କ ମନରେ ନୂଆ ଆଶା ସଂଚାର କରିଛି। ଏହି ସ୍ୱପ୍ନ ଏବେ ସଂକଳ୍ପର ରୂପ ନେଇଛି। ଏହାଏ ଏବେ ୧୩୦ କୋଟି ଦେଶବାସୀଙ୍କ ପାଇଁ ଏକ ମନ୍ତ୍ର ପାଲଟିଛି। ଯେତେବେଳେ ମୁଁ ଆତ୍ମନିର୍ଭରଶୀଳତା ବିଷୟରେ କହୁଛି, ସେତେବେଳେ ଅନେକ ଲୋକ ନିଶ୍ଚୟ ଶୁଣିଥିବେ ଯେ ସେମାନେ ବର୍ତ୍ତମାନ ୨୧ ବର୍ଷର ହୋଇଗଲେଣି ଏବଂ ବର୍ତ୍ତମାନ ସେମାନଙ୍କୁ ଆତ୍ମ ନିର୍ଭର ହେବାକୁ ପଡିବ। ୨୦–୨୧ ବର୍ଷରେ ପରିବାର ଆଶା କରେ ଯେ ସେମାନଙ୍କ ପିଲାମାନେ ଆତ୍ମ ନିର୍ଭର ହେବେ। ସ୍ୱାଧୀନତାର ଏତେ ବର୍ଷ ପରେ ଆଜି ଭାରତ ଆତ୍ମନିର୍ଭରଶୀଳ ହେବା ଆବଶ୍ୟକ। ପରିବାର ପାଇଁ ଯାହା ଆବଶ୍ୟକ ତାହା ଦେଶ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଭାରତ ଏହି ସ୍ୱପ୍ନକୁ ନିଶ୍ଚୟ ପୁରାଣ କରିବ। ଏହି ଦେଶର ଶକ୍ତି, ପ୍ରତିଭା ପାଇଁ ସେ ଗର୍ବିତ ବୋଲି କହିଛନ୍ତି।

କରୋନା ସଙ୍କଟ ସମୟରେ ଆମେ ବିଶ୍ୱ ସମ୍ମୁଖୀନ ହେଉଥିବା ଅସୁବିଧା ଆମେ ଦେଖିଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆମେ ଅନେକ ଆବଶ୍ୟକ ଜିନିଷର ଅଭାବ ମଧ୍ୟ ଅନୁଭବ କରିଛେ। ଆମ ଦେଶରେ ଏନ-୯୫ ମାସ୍କ ତିଆରି ହେଉନଥିଲା, ପିପିଏ କିଟ୍ ତିଆରି ହେଉନଥିଲା, ଭେଣ୍ଟିଲେଟର ତିଆରି ହେଉନଥିଲା କିନ୍ତୁ ଏବେ ସେଗୁଡ଼ିକ ତିଆରି କରାଯାଉଛି। ଆଜି ଆମେ ଚିନ୍ତା କରୁଛୁ ଯେ ଆତ୍ମନିର୍ଭରଶୀଳ ଭାରତ କିପରି ବିଶ୍ୱକୁ ସାହାଯ୍ୟ କରିପାରିବ। ସ୍ୱାଧୀନ ଭାରତର ମାନସିକତା କ’ଣ ହେବା ଉଚିତ୍। ସ୍ଥାନୀୟ ଉତ୍ପାଦଗୁଡିକ ପାଇଁ ଆମେ ଆଜି ଗୌରବାନ୍ୱିତ ମନେ କରୁଛୁ। ଯଦି ଏହା ନ କରିବା, ତେବେ ସେମାନଙ୍କର ସାହସ ବୃଦ୍ଧି ପାଇବ ନାହିଁ। ଆମେ ସଂକଳ୍ପ ନେବା ଯେ ଯେତେବେଳେ ଆମେ ସ୍ୱାଧୀନତାର ୭୫ ବର୍ଷ ଆଡକୁ ଗତି କରୁଛୁ, ସେଥିପାଇଁ ଆମକୁ ଭୋକାଲ୍ ଫ୍ରମ ଲୋକାଲ ମନ୍ତ୍ର ଗ୍ରହଣ କରିବାକୁ ପଡିବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମ ଦେଶ କିପରି ଚମତ୍କାର କରିପାରେ ଏବଂ ଅଗ୍ରସର ହୁଏ ତାହା ଆମେ ବୁଝିପାରୁ। କିଏ କଳ୍ପନା କରିଥିଲା ଯେ ଲକ୍ଷ ଲକ୍ଷ କୋଟି ଟଙ୍କା ସିଧାସଳଖ ଗରିବଙ୍କ ଜନଧନ ଆକାଉଣ୍ଟକୁ ହସ୍ତାନ୍ତର ହେବ। କିଏ ଭାବିଥିଲା ଯେ କୃଷକଙ୍କ ସୁବିଧା ପାଇଁ ଆଇନରେ ପରିବର୍ତ୍ତନ ହେବ। କିଏ ଭାବିଥିଲା ଯେ ଆମ ମହାକାଶ କ୍ଷେତ୍ର ଆମ ଦେଶର ଯୁବକମାନଙ୍କ ପାଇଁ ଉନ୍ମୁକ୍ତ ହେବ। ଏକ ଜାତୀୟ ଶିକ୍ଷା ନୀତି ହେଉ କି ଗୋଟିଏ ଦେଶ ଗୋଟିଏ କାର୍ଡହେଉ, ଗୋଟିଏ ରାଷ୍ଟ୍ର ଗୋଟିଏ ଗ୍ରୀଡ ହେଉ କି ଗୋଟିଏ ରାଷ୍ଟ୍ର ଗୋଟିଏ କର ବ୍ୟବସ୍ଥା ହେଉ ବା ବ୍ୟାଙ୍କ ମିଶ୍ରଣ ହେଉ, ସବୁଥିରେ ହେଉଥିବା ସଂସ୍କାର ଓ ପରିବର୍ତ୍ତନ ସାରା ଦୁନିଆ ଦେଖୁଛି।

ସେ କହିଛନ୍ତି ଯେ ଗତ ବର୍ଷ ଭାରତରେ ପ୍ରତ୍ୟେକ୍ଷ ପୁଞ୍ଜି ବିନିଯୋଗ ଏପର୍ଯ୍ୟନ୍ତ ସମସ୍ତ ରେକର୍ଡ ଭାଙ୍ଗିଛି। ଗତ ବର୍ଷ ଭାରତରେ ଏଫଡିଆଇ ୧୮% ବୃଦ୍ଧି ପାଇଛି। ସେଥିପାଇଁ ଦୁନିଆର ବଡ ବଡ କମ୍ପାନୀ ମଧ୍ୟ କରୋନା ଅବଧିରେ ଭାରତ ଆଡକୁ ମୁହାଁଉଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ବିଶ୍ୱାସ ଆସିନଥିଲା। ଏଥିପାଇଁ ଭାରତ ନିଜର ନୀତି ତଥା ଗଣତନ୍ତ୍ରକୁ ଦୃଢ କରିବା ଉପରେ କାର୍ଯ୍ୟ କରିଛି ଯାହା ଫଳରେ ଏହି ଆତ୍ମବିଶ୍ୱାସ ସୃଷ୍ଟି ହୋଇପାରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ମୁଖ୍ୟାଂଶ –
– ଦେଶର ଅର୍ଥନୀତିକୁ ଯଥାଶୀଘ୍ର କରୋନା ପ୍ରଭାବରୁ ବାହାରକୁ ଆଣିବା ପ୍ରାଥମିକତା
– ଜାତୀୟ ଭିତ୍ତିଭୂମି ପ୍ରକଳ୍ପ ପାଇଁ ୧୧୦ ଲକ୍ଷ କୋଟିରୁ ଅଧିକ ଖର୍ଚ୍ଚ ହେବ
– ଜାତୀୟ ଭିତ୍ତିଭୂମି ପ୍ରକଳ୍ପ ପାଇଁ ବିଭିନ୍ନ କ୍ଷେତ୍ରରେ ୭ ହଜାର ପ୍ରକଳ୍ପ ଚିହ୍ନଟ
– କୃଷି ଭିତ୍ତିଭୂମି ପାଇଁ ଏକ ଲକ୍ଷ କୋଟି ଟଙ୍କା ଆବଣ୍ଟନ
– ଗ୍ରାମାଞ୍ଚଳରେ ଗଠନ କରାଯିବ ଅର୍ଥନୈତିକ କ୍ଲଷ୍ଟର
– ପ୍ରତିଦିନ ୧ ଲକ୍ଷରୁ ଅଧିକ ଘରକୁ ପାଇପ ଯୋଗେ ଜଳ ବିତରଣ ହେଉଛି
– ଗୃହ ନିର୍ମାଣ ପାଇଁ ୨୫ ହଜାର କୋଟିର ଏକ ପାଣ୍ଠି ସୃଷ୍ଟି କରିଛୁ |
– ତିନି ଦଶନ୍ଧି ପରେ ଦେଶକୁ ଏକ ନୂତନ ଜାତୀୟ ଶିକ୍ଷା ନୀତି ଦେବାରେ ସଫଳ କଲେ
– ଅନଲାଇନ୍ ଡିଜିଟାଲ୍ କାରବାର ମଧ୍ୟ ବୃଦ୍ଧି ପାଉଛି
– ଏକ ମାସ ମଧ୍ୟରେ ଭାରତ ଭଳି ଦେଶରେ ୩ ଲକ୍ଷ କୋଟି ଡିଜିଟାଲ୍ କାରବାର ହୋଇଛି
– ୫ ବର୍ଷରେ ୧.୫ ଲକ୍ଷ ପଞ୍ଚାୟତରେ ପହଞ୍ଚିଛି ଅପ୍ଟିକାଲ ଫାଇବର
– ଆସନ୍ତା ଏକ ହଜାର ଦିନରେ ଦେଶର ୬ ଲକ୍ଷରୁ ଅଧିକ ଗାଁରେ ଅପ୍ଟିକାଲ ଫାଇବର ସଂଯୋଗ
– ୪୦ କୋଟି ଜନଧନ ଆକାଉଣ୍ଟ ମଧ୍ୟରୁ ୨୨ କୋଟି ଆକାଉଣ୍ଟ ମହିଳାଙ୍କର ଅଟେ
– ୨୫ କୋଟି ମୁଦ୍ରା ଋଣ ମଧ୍ୟରୁ ୭୦% ମହିଳାଙ୍କୁ ଦିଆଯାଇଛି
– ୬ ହଜାର ଜନ ଔଷଧି କେନ୍ଦ୍ରରେ ୧ ଟଙ୍କାରେ ୫ କୋଟିରୁ ଅଧିକ ସାନିଟାରୀ ପ୍ୟାଡ୍ ଯୋଗାଇ ଦିଆଯାଇଛି
– ଦେଶରେ କରୋନା ପରୀକ୍ଷା ପାଇଁ ୧୪୦୦ ଲ୍ୟାବ ଅଛି, ଗୋଟିଏ ଦିନରେ ୭ ଲକ୍ଷରୁ ଅଧିକ ପରୀକ୍ଷା ହେଉଛି
– ଦେଶରେ ନୂତନ ଏମ୍ସ ଏବଂ ନୂତନ ମେଡିକାଲ କଲେଜ ନିର୍ମାଣ କରାଯାଉଛି
– ୫ ବର୍ଷରେ ଏମବିବିଏସ ଏବଂ ଏମଡିରେ ୪୫ ହଜାରରୁ ଅଧିକ ସିଟ୍ ବୃଦ୍ଧି
– ଆଜିଠାରୁ ଆରମ୍ଭ ହେଉଛି ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ

Comments are closed.