୬୯ରୁ ଅମାନତ ହରାଇଲେ ୪୭ଜଣ ପ୍ରାର୍ଥୀ

ସୁନ୍ଦରଗଡ଼: ସାଧାରଣ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇ ସୁନ୍ଦରଗଡ଼ ଜିଲାର ଗୋଟିଏ ସଂସଦୀୟ କ୍ଷେତ୍ର ଓ ୭ ବିଧାନସଭା କ୍ଷେତ୍ରରୁ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାଥୀଙ୍କ ମଧ୍ୟରୁ ବିଜୟୀ ପ୍ରାର୍ଥୀମାନେ ଇତିମଧ୍ୟରେ ଶପଥ ନେଇ ସାରିଲେଣି। ତେବେ ସେମାନଙ୍କ ମଧ୍ୟରୁ ୪୭ ଜଣ ପ୍ରାର୍ଥୀ ଅମାନତ ହରାଇ ଥିବା ଜଣାପଡିଛି। ସମ୍ପୃକ୍ତ ପ୍ରାର୍ଥୀମାନେ ୧/୬(ଏକ ଷଷ୍ଟାଂଶ) ଭୋଟ ପାଇନଥିବାରୁ ସେମାନଙ୍କ ଅମାନତ ରାଶି ଜବତ ହେବ ବୋଲି ଜିଲା ନିର୍ବାଚନ କାର୍ଯ୍ୟାଳୟରୁ ଜଣାପଡ଼ିଛି। ଅମାନତ ରାଶି ହରାଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ଜାତୀୟ ଦଳର ପ୍ରାର୍ଥୀମାନେ ମଧ୍ୟ ରହିବା ବୁଦ୍ଧିଜୀବି ମହଲରେ ଆଲୋଚନାର ବିଷୟ ହୋଇଛି। ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ର ପାଇଁ ମୋଟ ୮ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଥିବା ବେଳେ ଏହି କ୍ଷେତ୍ର ପାଇଁ ମୋଟ ୧୦ଲକ୍ଷ ୮୬ହଜାର ୪୫୪ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ ହେଲେ ଏହାର ଏକ ଷଷ୍ଟାଂଶ ୧ଲକ୍ଷ ୮୧ହଜାର ୭୫ ଭୋଟ କେବଳ ୩ଜଣ ପାଇବାରେ ସକ୍ଷମ ହୋଇଛନ୍ତି। ବିଜୟୀ ବିଜେପି ପ୍ରାର୍ଥୀ ଜୁଏଲ ଓରାମ ମୋଟ ୫ଲକ୍ଷ୫୬ ଭୋଟ ପାଇଥିବା ବେଳେ ବିଜେଡ଼ିର ପ୍ରାର୍ଥୀନୀ ସୁନିତା ବିଶ୍ବାଳ ୨ଲକ୍ଷ ୭୬ହାଜର ୨୯୧ ଭୋଟ ପାଇଥିବାର ବେଳେ କଂଗ୍ରେସ ପ୍ରାର୍ଥୀ ଜର୍ଜ ତିର୍କୀ ୨ଲକ୍ଷ ୬୮ହଜାର ୨୧୮ ଭୋଟ ପାଇଛନ୍ତି। ଅନ୍ୟ ୫ଜଣ ପ୍ରାର୍ଥୀ ଏକ ଷଷ୍ଟାଂଶ ଭୋଟ ପାଇନଥିବାରୁ ଏମାନଙ୍କ ଅମାନତ ଟଙ୍କା ଜବତ ହେବ। ଏଥିପାଇଁ ଜିଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି।

ରାଉରକେଲା ବିଧାନସଭା କ୍ଷେତ୍ରରେ ମୋଟ ୧୦ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିଲେ। ଏହି କ୍ଷେତ୍ରରେ ୧ଲକ୍ଷ ୨୭ହଜାର ୪୭୭ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିବା ବେଳେ ଏହାର ଏକ ଷଷ୍ଟାଂଶ ୨୧ହଜାର ୨୭୬ ଭୋଟ କେବଳ ୨ଜଣ ପ୍ରାର୍ଥୀ ପାଇବାରେ ସକ୍ଷମ ହୋଇଛନ୍ତି। ବିଜୟୀ ବିଜେଡ଼ି ପ୍ରାର୍ଥୀ ସାରଦା ନାୟକ ୬୦୭୦୫ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ନିହାର ରାଏ ୫୦୨୭୫ ଭୋଟ ପାଇଛନ୍ତି। ଜାତୀୟ ଦଳ କଂଗ୍ରେସ ପ୍ରାର୍ଥୀ ସମେତ ୮ଜଣ ସେମାନଙ୍କ ଅମାନତ ରାଶି ହରାଇବେ​‌ ବୋଲି ଜଣାପଡ଼ିଛି। ସେହିପରି ରଘୁନାଥପାଲି ବିଧାନସଭା କ୍ଷେତ୍ରରେ ମୋଟ ୯ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ଏହି କ୍ଷେତ୍ରରେ ୧ଲକ୍ଷ ୮୩ହଜାର ୩୬୯ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ଏହାର ଏକ ଷଷ୍ଟାଂଶ ଅର୍ଥାତ ୧୮୦୬୧ ଭୋଟ କେବଳ ୩ଜଣ ପାଇବାରେ ସକ୍ଷମ ହୋଇଛନ୍ତି। ବିଜୟୀ ବିଜେଡ଼ି ପ୍ରାର୍ଥୀ ସୁବ୍ରତ ତରାଇ, ପରାଜିତ ବିଜେପି ପ୍ରାର୍ଥୀ ଜଗବନ୍ଧୁ ବେହେରା, କଂଗ୍ରେସ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ପ୍ରମୁଖ ଏଥିରେ ଅନ୍ତର୍ଭୁକ୍ତ। ଅନ୍ୟ ୬ଜଣ ଏହି ସଂଖ୍ୟା ପାଇବାରେ ବିଫଳ ହୋଇଛନ୍ତି । ଫଳରେ ଏମନାଙ୍କ ଅମାନତ ରାଶି ଜବତ ହେବ ବୋଲି ଜଣାପଡ଼ିଛି। ରାଜଗାଙ୍ଗପୁର ବିଧାନସଭା କ୍ଷେତ୍ରରେ ମୋଟ ୧୩ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ୧୦ଜଣ ନିଜର ଅମାନତ ରାଶି ହରାଇବେ ବୋଲି ଜଣାପଡ଼ିଛି। ଏହି ବିଧାନସଭା କ୍ଷେତ୍ରରେ ମୋଟ ୧୭୩୦୩୫ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିବା ବେଳେ ଏହାର ଏକ ଷଷ୍ଟାଂଶ ୨୮୮୨୯ ଭୋଟ କେବଳ ୩ଜଣ ପ୍ରାର୍ଥୀ ପାଇବାରେ ସକ୍ଷମ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ବିଜୟୀ କଂଗ୍ରେସ ପ୍ରାର୍ଥୀ ରାଜେନ ଏକ୍କା, ବିଜେଡ଼ି ପ୍ରାର୍ଥୀ ମଙ୍ଗଳା କିଶାନ, ବିଜେପି ପ୍ରାର୍ଥୀ ନରସିଂହ ମିଞ୍ଜ ସାମିଲ ଅଛନ୍ତି।

ବଣାଇ ବିଧାନସଭା କ୍ଷେତ୍ରରେ ମୋଟ ୮ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ଏଠାରେ ୧୭୦୨୦୪ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ଏହାର ଏକ ଷଷ୍ଟାଂଶ ଅର୍ଥାତ ୨୮୨୬୬ ରୁ ଅଧିକ ଭୋଟ କେବଳ ୩ଜଣ ପ୍ରାର୍ଥୀ ପାଇବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ୫ଜଣ ପ୍ରାର୍ଥୀ ଏହି ସଂଖ୍ୟାଠାରୁ ଯଥେଷ୍ଠ କମ ଭୋଟ ପାଇଥିବାର ଜଣାପଡ଼ିଛି। ବିଜୟୀ ସିପିଏମ ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା ୫୯୯୩୯ ଭୋଟ ପାଇଥିବାର ବେଳେ ପରାଜିତ ବିଜେପି ପ୍ରାର୍ଥୀ ଅନିଲ କୁମାର ବାର୍ଲା ୩୭୨୬୬ ଓ ବିଜେଡ଼ିର ରଞ୍ଜିତ କିଶାନ ୪୭୯୦୯ ଭୋଟ ପାଇଥିଲେ। ଅନ୍ୟ ୫ଜଣ ପ୍ରାର୍ଥୀଙ୍କ ଅମାନତ ଟଙ୍କା ଜବତ ହେବ ବୋଲି ଜଣାପଡ଼ିଛି। ବୀରମିତ୍ରପୁର ବିଧାନସଭା କ୍ଷେତ୍ରରେ ମୋଟ ୮ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ଏଠାରେ ୧୭୫୮୪୪ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ। ଏହାର ଏକ ଷଷ୍ଟାଂଶ ଅର୍ଥା ୨୯୩୦୭ ରୁ ଅଧିକ ଭୋଟ କେବଳ ୩ଜଣ ପାଇବାରେ ସକ୍ଷମ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ବିଜୟୀ ବିଜେପି ପ୍ରାର୍ଥୀ ଶଙ୍କର ଓରାମ ୬୦୯୩୭ ଭୋଟ ପାଇଥିବା ବେଳେ ପରାଜିତ କଂଗ୍ରେସ ପ୍ରାର୍ଥୀ ରୋହିତ ଯୋଶେଫ ତିର୍କୀ ୪୪୨୧୨, ବିଜେଡ଼ିର ମଖଲୁ ଏକ୍କା ୪୪୫୮୬ ଭୋଟ ପାଇଛନ୍ତି। ଅନ୍ୟ ୫ଜଣଙ୍କ ଅମାନତ ରାଶି ଜବତ ହେବ ବୋଲି ଜଣାପଡ଼ିଛି। ସେହିପରି ତଳସରା ବିଧାନସଭା କ୍ଷେତ୍ରରେ ମୋଟ ୯ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ଏଠାରେ ୧୫୧୮୩୪ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ। ଏହାର ଏକ ଷଷ୍ଟାଂଶ ୨୫୩୦୫ ଭୋଟରୁ ଅଧିକ କେବଳ ୩ଜଣ ପାଇଥିବା ବେଳେ ଅନ୍ୟ ୬ଜଣ ପ୍ରାର୍ଥୀ ଏହି ସଂଖ୍ୟାରୁ ଯଥେଷ୍ଠ କମ ଭୋଟ ପାଇଥିବାରୁ ଏମାନଙ୍କ ଅମାନତ ରାଶି ଜବତ ହେବ ବୋଲି ଜଣାପଡ଼ିଛି। ବିଜୟୀ ବିଜେପି ପ୍ରାର୍ଥୀ ଭବାନୀ ଶଙ୍କର ଭୋଇ ୬୦୨୬୪ ଭୋଟ ପାଇଥିବା ବେଳେ ପରାଜିତ ପ୍ରାର୍ଥୀ କଂଗ୍ରେସର ଡା.ପ୍ରଫୁଲ ମାଝୀ ୪୧୧୧୧ ଓ ବିଜେଡ଼ିର ଷ୍ଟିଫେନ ୱିଲିୟନ ସରେଙ୍ଗ ୪୪୦୭୬ ଭୋଟ ପାଇଥିବାର ଜଣାପଡ଼ିଛି।

ସୁନ୍ଦରଗଡ଼ ସଦର ବିଧାନସଭା କ୍ଷେତ୍ରରେ ମୋଟ ୪ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ଏଠାରେ ୧୭୧୯୧୦ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ଏହାର ଏକ ଷଷ୍ଟାଂଶ ଅର୍ଥାତ ୨୮୬୫୧ରୁ ଅଧିକ ଭୋଟ କେବଳ ପରାଜିତ ବିଜେଡ଼ି ପ୍ରାର୍ଥୀ ଯୋଗେଶ ସିଂହ ପାଇଥିବା ବେଳେ କଂଗ୍ରେସର ଅମିତା ବିଶ୍ବାଳ ଓ ସ୍ବାଧିନ ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଭୋଇ ଏହି ସଂଖ୍ୟାରୁ ଯଥେଷ୍ଠ କମ ଭୋଟ ପାଇଥିବାରୁ ଏମାନଙ୍କ ଅମାନତ ରାଶି ଜବତ ହେବ ବୋଲି ଜଣାପଡ଼ିଛି। ବିଜୟୀ ବିଜେପି ପ୍ରାର୍ଥୀନୀ କୁସୁମ ଟେଟେ ମୋଟ ୮୨୮୫୩ ଭୋଟ ପାଇଥିବା ବେଳେ ପରାଜିତ ପ୍ରାର୍ଥୀ ଯୋଗେଶ ସିଂହ ୭୫୫୯୪ ଭୋଟ ପାଇଥିବାର ଜଣାପଡ଼ିଛି।

Comments are closed.