ଗଲୱାନ ଘାଟିରେ ମରିଥିଲେ ୪୫ ଚୀନ ସୈନିକ, ଦାବି କଲା ରୁଷ ସମାଚାର ଏଜେନ୍ସି

ମସ୍କୋ: ଏଲଏସିରେ ଭାରତ ଓ ଚୀନ ସୈନ୍ୟ ପଛକୁ ହଟିବା ଲାଗି ଦୁଇଦେଶ ମଧ୍ୟରେ ବୁଝାମଣା ହୋଇଥିବା ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୂଚନା ଦେଇଥିଲେ। ତେବେ ଏହା ମଧ୍ୟରେ ରୁଷର ଏକ ସମାଚାର ଏଜେନ୍ସି ବଡ଼ ତଥ୍ୟ ସାମ୍ନାକୁ ଆଣିଛି। ଗତବର୍ଷ ଜୁନ ୧୫ରେ ଗଲୱାନ ଘାଟିରେ ଭାରତ-ଚୀନ ସୈନ୍ୟଙ୍କ ମଧ୍ୟରେ ଘଟିଥିବା ସଂଘର୍ଷରେ ୨୦ ଭାରତୀୟ ଯବାନ ଶହୀଦ ହୋଇଥିଲେ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଥିଲେ। କିନ୍ତୁ ଚୀନ ସରକାର କୌଣସି ତଥ୍ୟ ଦେଇ ନ ଥିଲେ।

ବର୍ତ୍ତମାନ ରୁଷ ସମାଚାର ଏଜେନ୍ସି ଟିଏଏସଏସ ଦାବି କରିଛି ଯେ, ଏହି ସଂଘର୍ଷରେ ଚୀନର ୪୫ ସୈନ୍ୟ ନିହତ ହୋଇଥିଲେ। ମାତ୍ର ଏବେ ସୁଦ୍ଧା ଚୀନ ଏହାକୁ ସ୍ବୀକାର କରୁନାହିଁ। ଭାରତ ଏବଂ ଚୀନ ପେନ୍‌ଗଙ୍ଗ ହ୍ରଦ ନିକଟରୁ ଉଭୟଙ୍କ ସୈନ୍ୟଙ୍କୁ ପ୍ରତ୍ୟାହାର କରିନେବା ଲାଗି ସହମତି ପ୍ରକାଶ କରିଥିବା ବେଳେ ରୁଷ ସମାଚାର ଏଜେନ୍ସି ଏଭଳି ଦାବି କରିଛି।

ସୂଚନାଯୋଗ୍ୟ, ପୂର୍ବ ଲଦାଖର ଗଲୱାନ ଘାଟିରେ ହୋଇଥିବା ହିଂସା ପରଠାରୁ ଦୁଇଦେଶ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଦୁଇ ଦେଶ ପ୍ରାୟ ୫୦ ହଜାର ଲେଖାଏ ମୁତୟନ କରିଛନ୍ତି। ଏହା ପୂର୍ବରୁ ଚୀନ ଭାରତ ସହିତ ଅନୁଷ୍ଠିତ ବୈଠକରେ କହିଥିଲା ଯେ, ଗଲୱାନ ଘାଟି ସଂଘର୍ଷରେ ତା’ର ୫ ସୈନିକ ପ୍ରାଣ ହରାଇଥିଲେ। ଏଥିରେ ଚୀନ ସେନାର ଜଣେ କମାଣ୍ଡର ଅଫିସର ମଧ୍ୟ ସାମିଲ ଥିଲେ। ଚୀନ ଏହାର ୫ ସୈନିକ ମରିଥିବା କହିଆସୁଥିବାବେଳେ ଆମେରିକା ଏବଂ ଭାରତୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ଅତି କମ୍‌ରେ ଚୀନର ୪୦ ସୈନ୍ୟ ନିହତ ହୋଇଥିବା ଦାବି କରିଆସୁଛନ୍ତି।

Comments are closed.