ଖଣି ଲିଜ୍‍ଧାରୀଙ୍କ ସମ୍ପତ୍ତି ନିଲାମ ପ୍ରକ୍ରିୟା ଆରମ୍ଭ

0

କେନ୍ଦୁଝରଗଡ଼/କେନ୍ଦୁଝର: ଜିଲାରେ ହୋଇଥବା ବହୁଚର୍ଚ୍ଚିତ ଖଣି ମହାଦୁର୍ନୀତିର ଜରିମାନା ଦାଖଲ କରି ନଥିବା ୩୧ଟି ଖଣିର ୨୩ଲିଜ୍‍ଧାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ମାମଲାରେ ଶନିବାର ନୋଟିସ୍‍ ହୋଇଥିବା ସମସ୍ତ ୨୩ ଲିଜ୍‍ଧାରୀଙ୍କ ମଧ୍ୟରୁ ୧୩ଜଣ ହାଜର ହୋଇ ଜିଲାପାଳଙ୍କ କୋର୍ଟରେ ନିଜର ପକ୍ଷ ରଖିବା ସହ ଟାଇମ୍‍ ପିଟିସନ ଦାଖଲ କରିଥିବା ଜଣାପଡିଛି। ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଦର୍ଶାଇ ଲିଜଧାରୀ ଟାଇମ୍‍ ପିଟିସନ ଆବେଦନକୁ ବିଚାରକୁ ନିଆନଯାଇ ପରବର୍ତ୍ତି ଧାର୍ଯ୍ୟ ତାରିଖରେ ସମ୍ପତ୍ତି ବ୍ୟାଜାପ୍ତିର କାରଣଦର୍ଶାଅ ନୋଟିସ୍‍ ଶୁଣାଣୀ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ବୋଲି ବିଶେଷସୂତ୍ରରୁ ଜଣାପଡିଛି।
ଶନିବାର କୋର୍ଟରେ ହାଜର ପାଇଁ ନୋଟିସ୍‍ ଜାରି ହୋଇଥିବା ୨୩ଜଣ ଲିଜଧାରୀଙ୍କ ମଧ୍ୟରୁ ଡକ୍ଟର ସରୋଜିନୀ ପ୍ରଧାନ, ଗନ୍ଧମାର୍ଦ୍ଦନ ସ୍ପଞ୍ଜ ଇଣ୍ଡଷ୍ଟ୍ରୀଜ୍‍ ପ୍ରା.ଲିଃ., ବି.ଡି.ପଟ୍ଟନାୟକ, ବାସୁଦେବ ଅଗ୍ରୱାଲ, ସାରଦା ମାଇନ୍ସ, ବି.କେ.ମହାନ୍ତି, ଟି.ବି.ଲାଲ, ଅର୍ଜୁନ ଲୋଧା, ମିନେରାଲ ଟ୍ରେଡିଂ ସିଣ୍ଡିକେଟ୍‍, ଫେକର ଆଦି ଖଣି ଲିଜଧାରୀ ଅନୁପସ୍ଥିତ ଥିବା ଜଣାପଡିଛି। ସେଥିମଧ୍ୟରୁ ବି.କେ.ମହାନ୍ତି ଓ ଅର୍ଜୁନ ଲୋଧା ଖଣି ଲିଜ୍‍ଧାରୀଙ୍କ ମୃତ୍ୟୁ ଯୋଗୁଁ ଏପର୍ଯ୍ୟନ୍ତ ନୋଟିସ ଜାରି ହୋଇ ପାରି ନଥିବା ବେଳେ ଡକ୍ଟର ସରୋଜିନୀ ପ୍ରଧାନ, ବି.ଡି.ପଟ୍ଟନାୟକ, ବାସୁଦେବ ଅଗ୍ରୱାଲ, ଟି.ବି.ଲାଲ ଆଦି ଲିଜ୍‍ଧାରୀ ଓ ସେମାନଙ୍କ ଅଂଶୀଦାରଙ୍କ ମୃତ୍ୟୁ କାରଣରୁ ଏପର୍ଯ୍ୟନ୍ତ ନୋଟିସ୍‍ ଜାରି ହୋଇ ପାରିନଥିବାରୁ ଖୁବ୍‍ ଶିଘ୍ର ଉତ୍ତରାଧିକାରୀ ଚିହ୍ନଟ କରି ନୋଟିସ୍‍ ଜାରି ପାଇଁ ଖଣି ଉପନିର୍ଦ୍ଦେଶକ ଯୋଡାଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ସେହିଭଳି ଗନ୍ଧମାର୍ଦ୍ଦନ ସ୍ପଞ୍ଜ ଇଣ୍ଡଷ୍ଟ୍ରୀଜ୍‍ ପ୍ରା.ଲିଃ.କମ୍ପାନୀର ଜଣେ ଅଂଶୀଦାରଙ୍କ ନିକଟରେ ମୃତ୍ୟୁ ହୋଇଥିବାରୁ ତାଙ୍କର ମଧ୍ୟ ଉତ୍ତରାଧିକାରୀ ଚିହ୍ନଟ କରି ନୋଟିସ ଜାରି ପାଇଁ ଖଣି ଅଧିକାରୀଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଲିଜ୍‍ଧାରୀ ଏସ୍‍.ଏନ୍‍.ଦାସମହାପାତ୍ର, ବି.ସି.ଦେବ, ଏମ୍‍.ଆର.ଦାସ, ମେସ୍କୋ ଷ୍ଟିଲ, ସାରଦା ମାଇନ୍ସ ଓ ବିପିଏମଇ ଖଣି ଲିଜ୍‍ଧାରୀଙ୍କ ପକ୍ଷରୁ ଜିଲାପାଳଙ୍କ କୋର୍ଟରୁ ଜାରି ସମ୍ପତ୍ତି ବ୍ୟାଜାପ୍ତି ପ୍ରକ୍ରିୟାର କାରଣଦର୍ଶାଅ ନୋଟିସର ଉତ୍ତର ଦାଖଲ ହୋଇସାରିଛି। ସେଥିମଧ୍ୟରୁ ଶନିବାର ବିପିଏମଇ କମ୍ପାନୀ ପକ୍ଷରୁ ଦାଖଲ କାରଣଦର୍ଶାଅ ନେନାଟିସର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ୮୭୩ କୋଟି ୪୩ଲକ୍ଷ ୭୭ହଜାର ୩ଟଙ୍କାର ସମ୍ପତ୍ତି ନିଲାମ ପାଇଁ ମାସକ ମଧ୍ୟରେ ପ୍ରକ୍ରିୟା ଆରମ୍ଭ ପାଇଁ କୋର୍ଟ ପକ୍ଷରୁ ଶନିବାର ନିଷ୍ପତ୍ତି ଗ୍ରହଣ କରାଯାଇଛି। ଉତ୍ତରାଧିକାରୀ ଚିହ୍ନଟ କରାଯାଇ ନୋଟିସ ଜାରି ହେବାକୁଥିବା ଲିଜ୍‍ଧାରୀଙ୍କ ଶୁଣାଣି ନଭେମ୍ବର ୨୪କୁ ଧାର୍ଯ୍ୟ ହୋଇଥିବା ବେଳେ ଅବଶିଷ୍ଟ ସମସ୍ତ ଲିଜ୍‍ଧାରୀଙ୍କ ଶୁଣାଣି ଆସନ୍ତା ୩କୁ ଧାର୍ଯ୍ୟ କରାଯାଇଛି ଏବଂ ସେହିଦିନ ଟାଇମ୍‍ ପିଟିସନକୁ ଗ୍ରହଣ କରାନଯାଇ ଶୁଣାଣି ପ୍ରକ୍ରିୟା ଆରମ୍ଭ ହେବବୋଲି ବିଶେଷସୂତ୍ରରୁ ଜଣାପଡିଛି। ତେବେ ଲିଜ୍‍ଧାରୀ ଏସ୍‍.ସି. ପାଢ଼ୀଙ୍କୁ ଜରିମାନା ନୋଟିସ୍‍ ହୋଇଥିବା ୩୧କୋଟି ଟଙ୍କା ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧କୋଟି ୯୩ଲକ୍ଷ ଟଙ୍କା ଦାଖଲ କରି ସାରିଥିବା ବେଳେ ଅବଶିଷ୍ଟ ଜରିମାନା ଅର୍ଥ ମଧ୍ୟ ଶିଘ୍ର ଦାଖଲ କରିବେ ବୋଲି ଶୁଣାଣୀ ଅବସରରେ ନିଜର ପକ୍ଷ ରଖିଥିବା ଜଣାପଡିଛି।
ଯୋଡା ଖଣିକ୍ଷେତ୍ର ଅଧୀନ ୨୮ଟି ଖଣିର ୨୦ଜଣ ଲିଜ୍‍ଧାରୀ ୫୬୪୩କୋଟି ୭୧ଲକ୍ଷ ୯୯ହଜାର ୩୦ଟଙ୍କା ଜରିମାନା ଓ ୩୯୮କୋଟି ୨୬ଲକ୍ଷ ୪୦ହଜାର ୩୭୨ଟଙ୍କା ସୁଧକୁ ମିଶାଇ ମୋଟ ୬୦୪୧କୋଟି ୯୮ଲକ୍ଷ ୩୯ହଜାର ୪୦୨ଟଙ୍କା ଏବଂ କେନ୍ଦୁଝର ଖଣିକ୍ଷେତ୍ର ଅଧୀନ ୩ଟି ଖଣିର ୩ଜଣ ଖଣି ଲିଜ୍‍ଧାରୀଙ୍କ ଠାରୁ ଜରିମାନା ଓ ସୁଧ ଅର୍ଥ ମିଶାଇ ମୋଟ ୩୦୮ କୋଟି ୩୬ଲକ୍ଷ ୧୯ହଜାର ୫୪୦ଟଙ୍କା ଆଦାୟ ନେଇ ସମ୍ପୃକ୍ତ ଖଣି ଲିଜ୍‍ଧାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି କାହିଁକି କରାଯିବ ନାହିଁ ସେ ନେଇ ଓପିଡିଆର ଆକ୍ଟ-୧୯୬୨ ଅନୁଯାୟୀ ଜିଲାପାଳଙ୍କ କୋର୍ଟ ପକ୍ଷରୁ ନୋଟିସ୍‍ କରାଯାଇ ମାମଲାର ଶୁଣାଣି ପ୍ରକ୍ରିୟା ଜାରି ରହିଛି।

Leave A Reply