ଛୁଟି କଟାଇବାକୁ ଯାଇ ୪୪ ଛାତ୍ର କରୋନା ସଂକ୍ରମିତ

ଚାଟାର୍ଡ଼ ବିମାନରେ ବୁଲି ବାହାରିଥିଲେ ଟେକ୍ସାସର ୭୦ ଛାତ୍ର

ୱାଶିଂଟନ: ଇଚ୍ଛା ହେଲା ଉଡ଼ିବାକୁ । ଚାଟାର୍ଡ଼ ବିମାନରେ ଆକାଶ ବୁଲିବାକୁ । ୨୦ ବର୍ଷରୁ ଊର୍ଧ୍ବ ପ୍ରାୟ ୭୦ ଜଣ ଛାତ୍ର ସରକାରୀ ନିର୍ଦେଶକୁ ଫୁଃ କରି ବାହାରିଗ​‌ଲେ ଆକାଶ ଆଡ଼କୁ । ଆକାଶରେ ଉଡ଼ିଲେ, ଏ ସହରରୁ ସେ ସହର ବୁଲିଲେ । ମାତ୍ର ଯେବେ ଫେରିଲେ ସେତେବେଳକୁ କଥା ସରିଥିଲା। ୭୦ ଜଣଙ୍କ ମଧ୍ୟରୁ ବାହାରିଲେ ୪୪ କରୋନା ପଜିଟିଭ । ଘଟଣାଟି ଘଟିଛି ଆମେରିକାର ଟେକ୍ସାସ ସହରରେ ଓ ସମସ୍ତ ଆକ୍ରାନ୍ତ ଟେକ୍ସାସ ବିଶ୍ବବିଦ୍ୟାଳୟର ଛାତ୍ର ।

ସିଏନ୍ଏନ୍ ସୂତ୍ରରୁ ଲବ୍ଧ ତଥ୍ୟ ଅନୁସାରେ ଆମେରିକାରେ ଦୁଇ ସପ୍ତାହ ପୂର୍ବରୁ ଏକ ସମୟରେ ୧୦ରୁ ଅଧିକ ଲୋକ ଏକାଠି ହେବା ଉପରେ କଟକଣା ଜାରି କରାଯାଇଛି । ବିନା ଜରୁରୀ ଆବଶ୍ୟକତା ନ ଥିଲେ ବିମାନ ବା ଅନ୍ୟ କୌଣସି ଯାତ୍ରା କରିବା ଉପରେ ବାରଣ କରାଯାଇଛି । ମାତ୍ର ଟେକ୍ସାସ ବିଶ୍ବବିଦ୍ୟାଳୟର  ଏହି ଛାତ୍ରମାନେ ଛୁଟି କଟାଇବାକୁ ଚାଟାର୍ଡ଼ ବିମାନରେ ବାହାରି ଯାଇଥିଲେ ମେକ୍ସିକୋ । କେବଳ ସେତିକି ନୁହେଁ, ସେମାନଙ୍କ ମଧ୍ୟରୁ ମେକ୍ସିକୋରେ ମଧ୍ୟ କେତେକ ଅନ୍ୟ ଘରୋଇ କମ୍ପାନୀର ଉଡ଼ାଯାହାଜରେ ଅନ୍ୟତ୍ର ଯାତ୍ରା କରିଥିଲେ ।

ଏହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ଟେକ୍ସାସ ସ୍ପିକର ଡ଼େ ନିସ ବୋନେନ। ସେ କହିଛନ୍ତି ଯେଉଁ ବାଣିଜ୍ୟିକ ବିମାନରେ ଛାତ୍ରମାନେ ମେକ୍ସିକୋରୁ ପୁନର୍ବାର ଟେକ୍ସାସ ଫେରିଛନ୍ତି କିମ୍ବା ଅନ୍ୟଆଡ଼େ ଯାତ୍ରା କରିଛନ୍ତି ତାହାହିଁ ଆମ ପାଇଁ ବିପଦ ସୃଷ୍ଟି କରିପାରେ । ତାହାକୁ ଅତ୍ୟନ୍ତ ଗୁରୁତର ସହ ଗ୍ରହଣ କରାଯାଇଛି । ଯେଉଁ ଛାତ୍ରମାନଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି ସେମାନଙ୍କୁ ସଙ୍ଗରୋଧ (କ୍ବାରେଣ୍ଟାଇନ)ରେ ରଖାଯାଇଛି । କିନ୍ତୁ ସମ୍ପୃକ୍ତ ଛାତ୍ରମାନଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କୁ ଏଯାବତ୍ ଠାବ କରିବାରେ ଟେକ୍ସାସ ପ୍ରଶାସନ ସମର୍ଥ ହୋଇ ନାହାନ୍ତି ।

Comments are closed.