ମମତାଙ୍କ ମନ୍ତ୍ରିମଣ୍ଡଳରେ ୪୩ ମନ୍ତ୍ରୀ ସାମିଲ, ରାଜଭବନରେ ନେଲେ ଶପଥ

କଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତ୍ରିମଣ୍ଡଳରେ ୪୩ ମନ୍ତ୍ରୀ ସାମିଲ ହୋଇଛନ୍ତି। ସୋମବାର କଲକାତାସ୍ଥିତ ରାଜଭବନରେ ଏହି ମନ୍ତ୍ରୀମାନେ ଶପଥ ଗ୍ରହଣ କରିଛନ୍ତି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବଡ଼ ବିଜୟ ପରେ ମମତା ୩ୟ ଥର ଲାଗି ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇଥିଲେ। ପ୍ରଥମେ ମମତା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲାବେଳେ ଆଜି ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଶପଥ ଗ୍ରହଣ କରିଛନ୍ତି।

ରାଜଭବନରେ ଆୟୋଜିତ ଏହି ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ଜଗଦୀପ ଧନଖଡ଼ ସମସ୍ତ କ୍ୟାବିନେଟ ମନ୍ତ୍ରୀ, ରାଜ୍ୟ ମନ୍ତ୍ରୀଙ୍କୁ ଶପଥପାଠ କରାଇଥିଲେ। ୩ ଜଣ ମନ୍ତ୍ରୀ ଭିଡିଓ କନ୍‌ଫରେନ୍ସ ଜରିଆରେ ଶପଥ ନେଇଥିଲେ। ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବି ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ୨୯୨ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶାସକ ଟିଏମସିକୁ ୨୧୩ ଆସନ ମିଳିଥିଲା। ବିଜେପି ଏବଂ ଟିଏମସି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ପୂର୍ବରୁ ଆକଳନ କରାଯାଉଥିବାବେଳେ ଟିଏମସି ସହଜରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା।

Comments are closed.