ଉଦବେଗଜନକ ଶିଶୁମାନଙ୍କ ପ୍ରତି ଅତ୍ୟାଚାର, ୬ ମାସରେ ୪୨୦ ମାମଲା

ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅନୁଯାୟୀ ଚଳିତ ବର୍ଷ ମାର୍ଚ୍ଚ ୧ରୁ ଅଗଷ୍ଟ ୩୧ ମଧ୍ୟରେ ଦେଶରେ ୪୨୦ଟି ଶିଶୁ ଯୌନ ଶୋଷଣ ମାମଲା ପଂଜିକୃତ ହୋଇଛି। ଏ ସମ୍ପର୍କରେ ରାଜ୍ୟସଭାରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଲିଖିତ ସୂଚନା ଦେଇଛନ୍ତି।
ଇରାନୀ ତାଙ୍କ ଉତ୍ତରରେ କହିଛନ୍ତି ଯେ ଶିଶୁ ଅଧିକାର ସୁରକ୍ଷା ପାଇଁ ଗଠିତ ଜାତୀୟ ଆୟୋଗ ଅନୁଯାୟୀ ୪୨୦ ଜଣ ଶିଶୁ ଯୌନ ଶୋଷଣର ଶିକାର ହୋଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଚାଇଲ୍ଡଲାଇନ ଇଣ୍ଡିଆ ଫାଉଣ୍ଡେସନ ଦ୍ୱାରା ଦିଆଯାଇଥିବା ରିପୋର୍ଟ ଅନୁଯାୟୀ ୨୦୨୦ ମାର୍ଚ୍ଚ ୧ରୁ ସେପ୍ଟେମ୍ବର ୧୫ ସୁଦ୍ଧା ୩ ହଜାର ୯୪୧ଟି ଶିଶୁ ଯୌନ ଶୋଷଣ ସମ୍ପର୍କିତ କଲ ଆସିଛି।