ପୁଣି ୪୨ କୋଟିର ଜିଏସ୍‍ଟି ଠକେଇ: ଦୁଇ ଭାଇ ସମେତ ୩ ଗିରଫ, ମାଷ୍ଟର ମାଇଣ୍ଡକୁ ଖୋଜୁଛି ତଦନ୍ତକାରୀ ଦଳ

ଇନ୍‍ସ୍ୟୁରାନ୍ସ ବାହାନାରେ ଡକ୍ୟୁମେଣ୍ଟ ଚୋରି କରୁଥିଲେ

ରାଉରକେଲା: ପୁଣି ୪୨ କୋଟିର ଜିଏସ୍‍ଟି ଠକେଇ। ଜାଲ କମ୍ପାନୀ ଓ ଜାଲ ଇନ୍‍ଭଏସ୍‍ରେ ଠକ ଦଳ ପ୍ରାୟ ୨୫୦ କୋଟିର କାରବାର କରିଛନ୍ତି। ଜାଲ କାରବାରରୁ ସେମାନେ ସରକାରଙ୍କୁ ୪୨ କୋଟି ଟଙ୍କାର ଚୂନ ଲଗାଇଛି। ଜିଏସ୍‍ଟି ବିଭାଗ ବିଭିନ୍ନ ସୂତ୍ରରୁ ସୂଚନା ସଂଗ୍ରହ କରି ଗତ କିଛି ମାସ ହେଲା ଘଟଣାର ତଦନ୍ତ କରୁଥିଲା। ଠକ ଦଳର ୩ ସଦସ୍ୟ ଆଜି ଜିଏସ୍‍ଟି ଜାଲରେ ଛନ୍ଦି ହୋଇ ଯାଇଛନ୍ତି। ରାଉରକେଲାରେ ଦୁଇ ଜଣ ଧରାପଡ଼ି ଥିବା ବେଳେ କଟକ ଚୌଦ୍ୱାର ଅଞ୍ଚଳରୁ ଜଣକୁ ଗିରଫ କରାଯାଇଛି। ତେବେ ସମଗ୍ର ଘଟଣାର ମାଷ୍ଟର ମାଇଣ୍ଡ ଏବେ ବି ଫେରାର ରହିଛି। ଗିରଫ ଅଭିଯୁକ୍ତଙ୍କୁ କଟକ ନିଆଯାଇଛି। କଟକ କୋର୍ଟରେ ସେମାନଙ୍କୁ ପେଶ୍‍ କରାଯିବ ବୋଲି ସୂଚନା ମିଳିଛି।

ମେସର୍ସ- ନାଏକ ଇଣ୍ଟରପ୍ରାଇଜେସ୍‍ ( ଜିଏସ୍‍ଟି ନମ୍ବର-୨୧ଏକେଏସ୍‍ପିଏନ୍‍୬୪୦୧ ଜି୧ଜେଡ୍‍ଏ) ନାମରେ ଜାଲ କମ୍ପାନୀ ଖୋଲା ଯାଇଥିବା ଓଡ଼ିଶା ଜିଏସ୍‍ଟି ବିଭାଗ କୌଣସି ସୂତ୍ରରୁ ସୂଚନା ପାଇଥିଲା। ତଦନ୍ତ କରିବାରୁ ସ୍ଥାନୀୟ ହମିରପୁରସ୍ଥିତ ନ୍ୟୁ କଣ୍ଟ୍ରାକ୍ଟର କଲୋନୀରେ ନାଏକ ଏଣ୍ଟରପ୍ରାଇଜେସ୍‍ର ମୁଖ୍ୟ କାର୍ଯ୍ୟାଳୟ ଓ କଟକ ନିକଟ ଚୌଦ୍ୱାର ଅଞ୍ଚଳରେ ଶାଖା କାର୍ଯ୍ୟାଳୟ ଦର୍ଶା ଯାଇଥିଲା। ତେଣୁ କଟକ ସିଟି ଏଣ୍ଡ ଜିଏସ୍‍ଟି ଏନ୍‍ଫୋର୍ସମେଣ୍ଟ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇ ଘଟଣାର ଅନୁସନ୍ଧାନ ଆରମ୍ଭ ହୋଇଥିଲା। ତଦନ୍ତ ପରେ ରାଉରକେଲାର ଜଣେ ଗଣମାଧ୍ୟମ କର୍ମଚାରୀ ଘଟଣାର ମୁଖ୍ୟ କାର୍ପଟଦାର ଥିଲେ। ତେଣୁ ତାଙ୍କୁ ଗତ ଦୁଇ ମାସ ବିଭାଗୀୟ ଅଧିକାରୀମାନେ ଖୋଜାଖୋଜି କରୁଛନ୍ତି। ମାତ୍ର ତାଙ୍କୁ ପାଉ ନାହାଁନ୍ତି। କଟକ ଚୌଦ୍ୱାର ଅଞ୍ଚଳର ଦୁଇ ଭାଇ ସୌମ୍ୟରଞ୍ଜନ ମହାନ୍ତି ଓ ସ୍ମୃତିରଞ୍ଜନ ମହାନ୍ତି ଏବଂ ବନ୍ଧମୁଣ୍ଡା ସେଣ୍ଟ୍ରାଲ ସ୍କୁଲ ନିକଟରେ ରହୁଥିବା ତଥାକଥିତ ଚାର୍ଟାଡ଼ ଏକାଉଣ୍ଟାଣ୍ଟ ରାଜୀବ ମିଶ୍ର ଏହି ର‍୍ୟାକେଟ୍‍ରେ କାମ କରୁଥିବା ଗୁପ୍ତ ସୂଚନା ମିଳିଥିଲା। ତେଣୁ ଗତ କିଛି ଦିନ ରାଜୀବ ମିଶ୍ରଙ୍କୁ ରାଉରକେଲା ସିଟି ଏଣ୍ଡ ଜିଏସ୍‍ଟି ଏନ୍‍ଫୋର୍ସମେଣ୍ଟ ୟୁନିଟ୍‍ ପକ୍ଷରୁ ଅଫିସ ଡକାଯାଇ ଜେରା କରାଯାଇଥିଲା।

ଜିଏସ୍‍ଟି ଠକେଇରେ ସେ କୌଣସି ପ୍ରକାର ସଂପୃକ୍ତ ନଥିଲେ ବୋଲି କହିଥିଲେ। ମାତ୍ର ତାଙ୍କ ମେଲ୍‍ ଓ ହ୍ୱାଟ୍ସଅପ୍‍ ନମ୍ବରରେ ବହୁ ଲୋକଙ୍କ କାଗଜପତ୍ର ଦେଣନେଣ ହୋଇଛି। ଏହା ସହିତ ବ୍ୟାଙ୍କ କାରବାର ସମ୍ପର୍କିତ ଦସ୍ତାବିଜ୍‍ ଦେଣନେଣ ହୋଇଥିବାରୁ ତାଙ୍କର ସଂପୃକ୍ତି ଥିବା ସ୍ପଷ୍ଟ ହୋଇ ଯାଇଥିଲା। ଅନ୍ୟ ଦୁଇ ଭାଇ ସୌମ୍ୟ ଓ ସ୍ମୃତିଙ୍କ ସଂପୃକ୍ତ ଥିବା ଜଣା ପଡ଼ିଲା ପରେ ଜିଏସ୍‍ଟି ଅଧିକାରୀମାନେ ସେମାନଙ୍କୁ ଘେରି ଥିଲେ। ସୌମ୍ୟ ରାଉରକେଲାରେ ଏଚ୍‍ଡିଏଫ୍‍ସି ବ୍ୟାଙ୍କର ଇନ୍‍ସ୍ୟୁରାନ୍ସ ଏଜେଣ୍ଟ ଭାବେ କାମ କରିବା ସହିତ ମେସର୍ସ ନାଏକ ଏଣ୍ଟରପ୍ରାଇଜେସ୍‍ର ରାଉରକେଲା କାରବାର କଥା ବୁଝୁଥିଲେ। ତା’ର ଭାଇ ସ୍ମୃତି ଚୌଦ୍ୱାରରେ ରହି ବ୍ୟାପାର ଚଳାଉଥିଲେ। ସୌମ୍ୟ ଇନ୍‍ସ୍ୟୁରାନ୍ସ ଏଜେଣ୍ଟ ଥିବାରୁ ଇନ୍‍ସ୍ୟୁରାନ୍ସ ବାହାନାରେ ଲୋକଙ୍କ ଆଧାର କାର୍ଡ଼, ପାନ କାର୍ଡ଼, ଫଟୋ, ଚେକ୍‍ କିମ୍ବା ବ୍ୟାଙ୍କ ପାସବୁକ୍‍ ସଂଗ୍ରହ କରି ଜାଲ କମ୍ପାନୀ ଖୋଲୁଥିଲା। ଏସବୁ ଜଣା ପଡ଼ିଲା ପରେ ଦୁଇ ଭାଇଙ୍କୁ ଗିରଫ କରିବାକୁ ଯୋଜନା ହୋଇଥିଲା। ମାତ୍ର ଦୁଇ ଦିନ ତଳେ ସୌମ୍ୟ ରାଉରକେଲା ପଳାଇ ଆସିଥିଲେ। ଖବର ପାଇ କଟକ, ଯାଜପୁର ଓ ରାଉରକେଲା ୟୁନିଟ୍‍ର ଅଧିକାରୀମାନେ ଆଜି ସକାଳେ ଛେଣ୍ଡ କଲୋନୀସ୍ଥିତ ଭଡ଼ା ଘରୁ ସୌମ୍ୟ ଏବଂ ବନ୍ଧମୁଣ୍ଡାରୁ ଗିରଫ କରିଥିଲେ। ସ୍ମୃତିକୁ ମଧ୍ୟ କଟକ ଚୌଦ୍ୱାରରୁ ଗିରଫ କରାଯାଇଛି। ସୌମ୍ୟ ଓ ରାଜୀବଙ୍କ ଏଠାରେ କୋଭିଡ ଟେଷ୍ଟ କରାଯାଇଥିଲା। ରିପୋର୍ଟ ନେଗେଟିଭ୍‍ ମିଳିବାରୁ ସେମାନଙ୍କୁ ଆଜି ଦିନ ପ୍ରାୟ ୧୨ଟା ବେଳେ କଟକ ନିଆଯାଇଛି। ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।

Comments are closed.