ମହଙ୍ଗା ହେବ ସିଗାରେଟ, ପାନ ମସଲା, ମୃଦୁ ପାନୀୟ

ନୂଆଦିଲ୍ଲୀ: ପାନମସଲା, ସିଗାରେଟ୍, ତମାଖୁଜାତ ସାମଗ୍ରୀ ଉପରେ ଲାଗିବ ଅଧିକ ଟିକସ । ସ୍ବାସ୍ଥ୍ୟପ୍ରତି ଅହିତକର ସାମଗ୍ରୀ ଉପରେ ଅଧିକ ଟିକସ ଲଗାଇବା ନିମନ୍ତେ ବିଭିନ୍ନ ରାଜ୍ୟ ସରକାର କେନ୍ଦ୍ରକୁ ଦେଇଛନ୍ତି ପ୍ରସ୍ତାବ । ଆସନ୍ତା ୨୭ ତାରିଖରେ ଜିଏସଟି କାଉନସିଲର ୪୧ତମ ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ । ଏହି ବୈଠକରେ ରାଜ୍ୟଗୁଡ଼ିକୁ ପାଣ୍ଠି ବଢ଼ାଯିବା ସମ୍ପର୍କରେ ବୈଠକରେ ଗୋଟିଏ ପ୍ରସ୍ତାବ ରହିଛି ।

ସିଏନବିସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜିଏସଟି କାଉନସିଲ ବୈଠକରେ ସ୍ବାସ୍ଥ୍ୟପ୍ରତି ଅହିତକର ଅର୍ଥାତ୍ ସିନ୍ ଗୁଡ଼୍ସ ଉପରେ ସେସ ବୃଦ୍ଧି ନିମନ୍ତେ ଆଲୋଚନା ହେବ । ପଞ୍ଜାବ, ଛତିଶଗଡ଼, ବିହାର, ଗୋଆ, ଦିଲ୍ଲୀପରି କିଛି ରାଜ୍ୟ ଏ ସମ୍ପର୍କରେ ପ୍ରସ୍ତାବ ଦେଇଛନ୍ତି ।

ବର୍ତମାନ ଜିଏସଟି ଟିକସ ଢ଼ାଞ୍ଚା ଅନୁସାରେ କିଛି ସିନ୍ ଗୁଡ଼୍ସ ଅର୍ଥାତ୍ ସିଗାରେଟ, ପାନମସଲା ସହ କାର ପରି କିଛି ବିଳାସ ସାମଗ୍ରୀ ସାମିଲ ରହିଛି । ପାନମସଲା ଉପରେ ୧୦୦%, ଟିକସ ରହିଛି ଏବଂ ଏହା ୧୩୦% ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ। ସେହିପର କିଛି ମୃଦୁ ପାନୀୟ ଉପରେ ୧୨% ଟିକସ ଲାଗୁଛି ଓ ଏହାକୁ ବୃଦ୍ଧି କରାଯିବାର ସମ୍ଭାବନା ରହିଛି। ସିଗାରେଟ ଉପରେ ୨୯୦% ଟିକସ ଲାଗୁଛି ଓ ଏହାକୁ ବୃଦ୍ଧି କରାଯିବା ସମ୍ଭାବନା ରହିଛି ।

Comments are closed.