ଯବାନଙ୍କ ପାଇଁ ପ୍ରସ୍ତୁତ ୪୦ ହଜାର ସ୍ବଦେଶୀ ବୁଲେଟ୍‌ପ୍ରୁଫ ଜ୍ୟାକେଟ, ଭେଦିବନି ଏକେ-୪୭ ଗୁଳି

ନୂଆଦିଲ୍ଲୀ: ଭାରତୀୟ ସେନା ପାଇଁ ପ୍ରଥମ ଥର ଲାଗି ୪୦ ହଜାର ବୁଲେଟପ୍ରୁଫ୍‌ ଜ୍ୟାକେଟ ପ୍ରସ୍ତୁତ ହୋଇଛି। ଏସବୁ ଭାରତରେ ତିଆରି କରାଯାଇଛି। ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ହେଉଥିବା ଅପରେଶନରେ ନିୟୋଜିତ ସୈନିକମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ଏହି ଜ୍ୟାକେଟ ଯୋଗାଇ ଦିଆଯିବ। ଏସଏମପିପି ପ୍ରାଇଭେଟ ଲିମିଟେଡ ନାମକ କମ୍ପାନୀ ଜ୍ୟାକେଟ ପ୍ରସ୍ତୁତ କରିଛି। କମ୍ପାନୀ ତରଫରୁ ମେଜର ଜେନେରାଲ ଅନୀଲ ଓବେରୟ କହିଛନ୍ତି ଯେ, ସେ ସେନାକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପୂର୍ଣ୍ଣ ଅର୍ଡର ପ୍ରଦାନ କରିଦିଆଯିବ। ସେ ଆହୁରି କହିଛନ୍ତି, ପ୍ରଥମ ବର୍ଷ ସେନା ପାଇଁ ୩୬ ହଜାର ଜ୍ୟାକେଟ ତିଆରି କରାଯିବାର ଥିଲା। କିନ୍ତୁ କମ୍ପାନୀ ଟାର୍ଗେଟଠାରୁ ଅଧିକ ନିର୍ମାଣ କରିଛି। ଏହି ଜ୍ୟାକେଟ କଠିନ ଷ୍ଟିଲରେ ନିର୍ମିତ ଗୁଳିକୁ ପ୍ରତିରୋଧ କରିପାରିବ। ଅର୍ଥାତ୍‌ ଏହି ବୁଲେଟପ୍ରୁଫ ଜ୍ୟାକେଟ ଉପରେ ଏକେ-୪୭ ଏବଂ ଅନ୍ୟ ଅସ୍ତ୍ରଶସ୍ତ୍ରର କୌଣସି ପ୍ରଭାବ ପଡ଼ିବ ନାହିଁ। ଜ୍ୟାକେଟଗୁଡ଼ିକ ବର୍ତ୍ତମାନ କାନପୁରସ୍ଥିତ ସେଣ୍ଟ୍ରାଲ ଅର୍ଡିନାନ୍ସ ଡିପୋରେ ପହଞ୍ଚିଛି। ଏଠାରୁ ଖୁବଶୀଘ୍ର ସେଗୁଡ଼ିକୁ ଜାମ୍ମୁ-କାଶ୍ମୀର ପଠାଯିବ।

ସୂଚନାଯୋଗ୍ୟ, ଯବାନଙ୍କ ପାଇଁ ୧ ଲକ୍ଷ ୮୬ ହଜାର ଜ୍ୟାକେଟ ତିଆରି ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କମ୍ପାନୀ ସହିତ ଚୁକ୍ତି ହୋଇଛି। ପ୍ରଥମ ପର୍ଯ୍ୟାୟରେ କମ୍ପାନୀ ପକ୍ଷରୁ ୪୦ ହଜାର ଜ୍ୟାକେଟ ପଠାଯାଇଛି।

Comments are closed.