କରୋନାରେ ୪୦ ରେଳ କର୍ମଚାରୀ ମୃତ, ପିଲାଙ୍କୁ ମିଳିବ ରେଳବାଇ ଚାକିରି

ଜଟଣୀ: କରୋନା ମହାମାରୀର ପ୍ରଥମ ଓ ଦ୍ୱିତୀୟ ଲହରରେ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳରେ ୪୦ରୁ ଊର୍ଦ୍ଧ୍ବ ରେଳ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତ ରେଳ କର୍ମଚାରୀଙ୍କ ପିଲାଙ୍କୁ ଖୋର୍ଦ୍ଧାରୋଡ଼ ରେଳବାଇରେ ଚାକିରି ମିଳିବ ବୋଲି ସୂଚନା ମିଳିଛି।
ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ବରିଷ୍ଠ ମଣ୍ଡଳ କାର୍ମିକ ଅଧିକାରୀ ରଞ୍ଜନ କୁମାର ମହାନ୍ତିଙ୍କ କହିବାନୁସାରେ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳରେ କରୋନାରେ ୪୦ରୁ ଊର୍ଦ୍ଧ୍ବ ରେଳ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଥଇଥାନ ଯୋଜନାରେ ସେମାନଙ୍କ ଉତ୍ତରାଧିକାରୀଙ୍କୁ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳରେ ନିଯୁକ୍ତି ଦିଆଯିବ। ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଖୁବ୍‌ଶୀଘ୍ର ପରୀକ୍ଷା କରାଯାଇ ଯୋଗ୍ୟତା ଭିତ୍ତିରେ ତୃତୀୟ ଅଥବା ଚତୁର୍ଥ ଶ୍ରେଣୀ ପଦରେ ସେମାନଙ୍କୁ ନିଯୁକ୍ତି ମିଳିବ। ଥଇଥାନ ଯୋଜନାରେ ମୃତ ରେଳ କର୍ମଚାରୀଙ୍କ ସନ୍ତାନ ଅଥବା ଉତ୍ତରାଧିକାରୀଙ୍କୁ ଗୋଟିଏ ଦିନରେ ନିଯୁକ୍ତି ଦେଇ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ନୂତନ କୀର୍ତ୍ତି ସ୍ଥାପନ କରିଥିବା ବେଳେ ଏହାର ଶ୍ରେୟ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ମଣ୍ଡଳ ପ୍ରବନ୍ଧକ ଶଶିକାନ୍ତ ସିଂହଙ୍କୁ ଦିଆଯାଇଛି।

Comments are closed.