ଏନକାଉଣ୍ଟର ବେଳେ ଆତଙ୍କବାଦୀଙ୍କ ସହ ମିଶିଗଲେ ୨ ଯବାନ, ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳିମାଡ଼ କଲେ; ଟଳିଲେ ୪ ଆତଙ୍କୀ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲା ଅନ୍ତର୍ଗତ ଲାସିପୋରା ଅଞ୍ଚଳରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟି ୪ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ଏସପିଓ ଅଛନ୍ତି, ଯେଉଁମାନେ ଆତଙ୍କବାଦୀଙ୍କ ସହ ମିଶି ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଘଟଣାସ୍ଥଳରୁ ଯବାନମାନେ ୩ଟି ଏକେ ସିରିଜ ବନ୍ଧୁକ ଏବଂ ବିପୁଳ ଗୋଳାବାରୁଦ ଜବତ କରିଛି।

ସୂଚନା ମୁତାବକ, ଲାସିପୋରା ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ସେନାକୁ ସୂଚନା ମିଳିଥିଲା। ଏହା ପରେ ଗୁରୁବାର ଅପରାହ୍ନରୁ ସେନା ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ କରାଯାଇଥିଲା। ଯବାନମାନେ ଆତଙ୍କବାଦୀମାନଙ୍କୁ ଘେରିଯାଇଥିଲେ। ଫଳରେ ସେମାନେ ଯବାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଯବାନମାନେ କଡ଼ା ଜବାବ ଦେଇଥିଲେ। ତେବେ ଏହି ସମୟରେ ଯବାନଙ୍କ ସହିତ ଥିବା ୨ଜଣ ଏସପିଓ ବନ୍ଧୁକ ସହ ଗାୟବ ହୋଇଯାଇଥିଲେ। ପରେ ସେମାନେ ଆତଙ୍କବାଦୀଙ୍କ ସହିତ ମିଶି ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁରୁବାର ସନ୍ଧ୍ୟା ସୁଦ୍ଧା ଜଣେ ଆତଙ୍କବାଦୀ ନିହତ ହୋଇଥିଲା। ଶୁକ୍ରବାର ଭୋର ପର୍ଯ୍ୟନ୍ତ ଗୁଳିବିନିମୟ ଜାରି ରହିଥିଲା। ଭୋର ସମୟରେ ଆତଙ୍କବାଦୀ ସାଜିଥିବା ୨ ଏସପିଓ ଏବଂ ଅନ୍ୟ ଜଣେ ଆତଙ୍କବାଦୀ ନିହତ ହୋଇଥିଲେ।

ନିହତଙ୍କ ମଧ୍ୟରେ ଜଣେ ହେଉଛନ୍ତି ପୁଲୱାମାର ଅଶିକ ଅହମଦ, ଇମାରାନ ଅହମଦ ଏବଂ ଏସପିଓରୁ ଆତଙ୍କୀ ସାଜିଥିବା ପୁଲୱାମାର ଶବୀର ଅହମଦ ଏବଂ ସୋପିଆନର ସଲମାନ ଖାନ। ସେମାନଙ୍କ ମୃତଦେହ ଜବତ ହୋଇଛି। ମୃତ ଆତଙ୍କବାଦୀମାନେ ଜୈଶ ସଂଗଠନର ବୋଲି ଜାମ୍ମୁ-କାଶ୍ମୀର ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.