ଜାମ୍ମୁ କଶ୍ମୀର : ୪ ଆତଙ୍କବାଦୀ ନିପାତ, ଜଣେ ଯବାନ ସହିଦ
ଶ୍ରୀନଗର : ଜାମ୍ମୁ କଶ୍ମୀରର ସୋପିଆ ଜିଲ୍ଲାରେ ମଙ୍ଗଳବାର ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ଓ ଜଣେ ଯବାନ ସହିଦ ହୋଇଥିବା ଜଣାପଡ଼ିଛି ।
ସୋପିଆ ଜିଲ୍ଲାର ନନ୍ଦୀଗାମ ଅଞ୍ଚଳରେ ନିୟନ୍ତ୍ରଣ ରେଖା ନିକଟରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷା ବାହିନୀକୁ ସୂଚନା ମିଳିଥିଲା । ପରେ ସୁରକ୍ଷାବାହିନୀର ଯବାନମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ସମୟରେ ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିଲା। ଏଥିରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି । ୨ ଜଣ ଯବାନ ଆହତ ହୋଇଥିବା ଖବର ମିଳିଛି। କିଛି ଦିନ ହେବ ତୁଷାରପାତ ଭିତରେ ସୀମାରେ ପାକିସ୍ତାନୀ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଛି ।
ଅନ୍ୟ ପକ୍ଷରେ ଜାମ୍ମୁ କଶ୍ମୀରର ସୋପିଆ ଜିଲ୍ଲାରେ ଆତଙ୍କବାଦୀମାନେ ଶନିବାର ଜଣେ ଯୁବକଙ୍କୁ ପ୍ରଥମେ ଅପହରଣ କରି ପରେ ଗଳାକାଟି ହତ୍ୟା କରିଥିଲେ। ରାଜ୍ୟରେ ୨ ଦିନ ମଧ୍ୟରେ ଏହା ଥିଲା ଦ୍ୱିତୀୟ ଘଟଣା । ଅଜଣା ବନ୍ଧୁକଧାରୀମାନେ ମୋଟ ୩ ଜଣ ଯୁବକଙ୍କୁ ଅପହରଣ କରିଥିଲେ । ଏଥିରୁ ଜଣଙ୍କୁ ହତ୍ୟା କରିଥିବା ବେଳେ ୨ ଜଣଙ୍କୁ ଛାଡି ଦେଇଥିଲେ ।