ଅନୁଗୋଳ ମଦମୃତ୍ୟୁ : ଆଉ ଜଣେ ମୃତ, ଆଖିବୁଜିଲେଣି ୪ ଶ୍ରମିକ, ୩ ଚିକିତ୍ସାଧୀନ

ଖାଲି ମଦ ଜାରକିନ ସହ ସ୍ପିରିଟ୍‌ ଜବତ, ଅଭିଯୁକ୍ତ ଠିକାଦାର ଗିରଫ

ଅନୁଗୋଳ : ଏକ କୋଠା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନେ ଦେଶୀ ମଦ ପିଇବା କାରଣରୁ ଇତିମଧ୍ୟରେ ୪ ଜଣଙ୍କର ମୃତ୍ୟୁ ହେବା ସହ ୩ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ମୃତକମାନେ ହେଲେ କଇରା ଓରଫ ଅନିଲ ପଧାନ (୨୦), ଟୁକୁନା ପଧାନ (୨୬), ପ୍ରମୋଦ ସାହୁ ଓ ଶଶିକାନ୍ତ ଦେହୁରୀ। ଅନୁଗୋଳ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତମାନେ ହେଲେ ବାସୁଦେବ ପ୍ରଧାନ (୩୫), ବସନ୍ତ ଦେହୁରୀ (୪୨) ଓ ସୁଶାନ୍ତ ଦେହୁରୀ (୩୦)। ଏଥିମଧ୍ୟରୁ ବାସୁଦେବଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତିନିଦିନ ତଳେ ଘଟିଥିବା ଏଭଳି ଏକ ସମ୍ବେଦନଶୀଳ ଘଟଣା ଲୋକଲୋଚନକୁ ଆସିବା ପରେ ଘଟଣାସ୍ଥଳକୁ ଏକ ୪ ଜଣିଆ ଟିମ୍‍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଶ୍ରମିକମାନଙ୍କୁ ମଦ ଦେଇଥିବା ଠିକାଦାରକୁ ପୁଲିସ ଗିରଫ କରିଛି। ଅବକାରୀ ସୂତ୍ରରୁ ପ୍ରକାଶ ଯେ, ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଅନ୍ତର୍ଗତ ଶରଧାପୁର ପଞ୍ଚାୟତ ଅଧୀନରେ ଥିବା ପଥରଗଡ଼ ଗାଁର ଏକ ଘରୋଇ କୋଠାଘର ନିର୍ମାଣ କାର୍ଯ୍ୟ ଚାଲିଥିଲା। କାଳିଆ ଦେହୁରୀ ନାମକ ଜନୈକ ବ୍ୟକ୍ତି ଏହି କାମର ଠିକାଦାରୀ ନେଇଥିଲେ। ସେ ଶଶିକାନ୍ତ ଦେହୁରୀ ଓ ବସନ୍ତ ଦେହୁରୀଙ୍କ ସହାୟତାରେ ନିଜେ ମଦ ରାନ୍ଧି କାମ କରୁଥିବା ଶ୍ରମିକମାନଙ୍କୁ ପିଇବାକୁ ଦେଉଥିଲେ।
୨୪ ତାରିଖ ରାତିରେ ଏହି କୋଠାର ରଡ଼ ବାଇଡ଼ିଙ୍ଗ୍‍ କାମ ହେଉଥିଲା। ରାତିରେ କାମ ଚାଲୁଥିବା ବେଳେ କାମ ନେଇଥିବା ଠିକାଦାର କ୍ୟାମ୍ପ ପାଖରେ ଶ୍ରମିକମାନେ ମଦ୍ୟପାନ କରିଥିଲେ; ମାତ୍ର ନିଶା ହେବା ପାଇଁ ସେମାନେ ମଦ ସହ ସ୍ପିରିଟ ମିଶାଇ ପିଇଥିଲେ ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ସ୍ପିରିଟ୍‌ ମିଶା ମଦ ପିଇବା ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା। ସେହି ଗାଁରେ ରବିବାର ଟୁକୁନା ଓ ଅନିଲର ମୃତ୍ୟୁ ହୋଇଥିଲା। ଆଉ ୫ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେମାନଙ୍କ ମଧ୍ୟରୁ ଶଶିକାନ୍ତର ସୋମବାର ମୃତ୍ୟୁ ହୋଇଥିବାବେଳେ ପ୍ରମୋଦର ମୃତ୍ୟୁ ମଙ୍ଗଳବାର ହୋଇଯାଇଛି।
ଘଟଣାସ୍ଥଳରେ ଅବକାରୀ ଅଧୀକ୍ଷକ ରମେନ୍ଦ୍ର କୁମାର ନାୟକ ପହଞ୍ଚି ଏକ ଖାଲି ଜାରକିନ ସହ ସାଢ଼େ ୩ ଲିଟର ସ୍ପିରିଟ ଥିବା ଏକ ଜାରକିନ୍‌କୁ ଜବତ କରିଛନ୍ତି। ଏହି ସ୍ପିରିଟ୍‌ କେଉଁଠାରୁ ଆସିଲା। ଏବେ ଖୋଳତାଡ଼ ଆରମ୍ଭ କରାଯାଇଛି। ଗିରଫ ଠିକାଦାର କାଳିଆ ମଦରେ ବ୍ୟବହୃତ ପାଇଁ ସ୍ପିରିଟ୍‌ କେଉଁଠାରୁ ଆଣିଥିଲା ତାର ତଦନ୍ତ ଆରମ୍ଭ ହୋଇଛି। ମିଳିଥିବା ସୂଚନାନୁଯାୟୀ, ଠିକାଦାର କାଳିଆ ତା’ର ସହଯୋଗୀ ଶଶିକାନ୍ତ ଓ ବସନ୍ତକୁ ନେଇ ଯେଉଁ ମଦ ତିଆରି କରୁଥିଲା ସେହି ମଦକୁ ଶ୍ରମିକଙ୍କୁ ଦେଉଥିଲା। ସେହି ମଦ ପିଇ ଶଶିକାନ୍ତର ମୃତ୍ୟୁ ହୋଇଥିବାବେଳେ ବସନ୍ତ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛି। ବସନ୍ତ ମଦ ତିଆରି କରୁଥିବାରୁ ପୁଲିସ ତାକୁ ଡାକ୍ତରଖାନାରେ ଜଗି ଘଟଣା ସମ୍ପର୍କରେ ପଚରା ଉଚୁରା କରୁଛି। ସନ୍ଧ୍ୟାରେ ପୁରୁଣାକୋଟ ଥାନାରେ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ଘଟଣା ପରଠାରୁ ଫେରାର କାଳିଆକୁ ନିକଟସ୍ଥ ଜଙ୍ଗଲରୁ ପୁଲିସ ଧରିବାରେ ସଫଳ ହୋଇଛି। ତେବେ ଗାଁ ଗହଳିରେ ଏଭଳି ବେଆଇନ ଭାବେ ବହୁ ଦେଶୀ ମଦ ରନ୍ଧାଯିବା ସହ ସେଥିରେ ସ୍ପିରିଟ୍‍ ବ୍ୟବହାର କରାଯାଉଛି। ଏସବୁ ସ୍ପିରିଟ୍‌ କେଉଁଠାରୁ ଆସୁଛି, କିଏ ଯୋଗାଉଛି ତା’ର ରହସ୍ୟ ଖୋଜି ବାହାର କରିବା ଲାଗି ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Comments are closed.