କଲେଜ ଆସୁନାହାନ୍ତି ଅଧ୍ୟାପକ, ୪ ଜଣଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦେଲେ ଉପଜିଲାପାଳ

ଗୁଣପୁର: ରାୟଗଡା ଜିଲା ଗୁଡାରୀସ୍ଥିତ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟରେ ୪ ଜଣ ଅଧ୍ୟାପକ ଅନୁପସ୍ଥିତ ଥିବା ଯୋଗୁଁ ଉପଜିଲ୍ଲାପାଳ ଜେ. ସୋନାଲ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଉପଜିଲ୍ଲାପାଳ ଶ୍ରୀ ସୋନାଲ ଆଜି ଗୁଡ଼ାରୀ ଗସ୍ତରେ ଯାଇ ମଧ୍ୟାହ୍ନରେ ଅଚାନକ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟ ପରିଦର୍ଶନ କରିଥିଲେ। ତେବେ ମହାବିଦ୍ୟାଳୟରେ ଭାରପ୍ରାପ୍ତ ଅଧ୍ୟକ୍ଷ ଅମୂଲ୍ୟ କୃଷ୍ଣ ପ୍ରଧାନ, କିରାଣୀ ସତ୍ୟ ପ୍ରିୟ ମହାନ୍ତି ଏବଂ ୪ର୍ଥ ଶ୍ରେଣୀ କର୍ମଚାରୀ ରାଜେନ୍ଦ୍ର ଗୌଡ଼ଙ୍କ ବ୍ୟତୀତ ଆଉ କୌଣସି ଅଧ୍ୟାପକ ମହାବିଦ୍ୟାଳୟରେ ଉପସ୍ଥିତ ନ ଥିବା ଜାଣିବାକୁ ପାଇଥିଲେ।

ଇତିହାସ ବିଭାଗ ଅଧ୍ୟାପକ ପ୍ରଳୟ କୁମାର ଲାବନ୍ୟ, ଇଂରାଜୀ ଅଧ୍ୟାପକ ପି. ଶେଷଗିରି, ରାଜନୀତି ବିଜ୍ଞାନ ଅଧ୍ୟାପକ ସୁରେଶ ଚନ୍ଦ୍ର ମହାଙ୍କୁଡ ଏବଂ ଶିକ୍ଷା ବିଭାଗ ଅଧ୍ୟାପକ ମହାବିଦ୍ୟାଳୟରେ ଅନୁପସ୍ଥିତ ଥିବା ଯୋଗୁଁ ଗୋଟିଏ ଦିନର ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ସହ ୭ ଦିନ ମଧ୍ୟରେ କାରଣ ଦର୍ଶାଅ ନୋଟିସ ଜାରି କରିଥିବା ଜଣାପଡ଼ିଛି। ସେହି ମହାବିଦ୍ୟାଳୟରେ ୨୫୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନରତ ଥିବାବେଳେ ସମ୍ପୃକ୍ତ ୪ ଜଣ ଅଧ୍ୟାପକ ଅଧିକାଂଶ ଦିନ ମହାବିଦ୍ୟାଳୟରେ ଅନୁପସ୍ଥିତ ରହୁ ଥିବା ଯୋଗୁଁ ଛାତ୍ରଛାତ୍ରୀ ଶିକ୍ଷାଦାନରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି।

ଆସନ୍ତା କାଲିଠାରୁ ସେହି ମହାବିଦ୍ୟାଳୟକୁ ଦୈନନ୍ଦିନ ଗସ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଗୁଡ଼ାରୀ ବିଡ଼ିଓ ନୃସିଂହ ଚରଣ ସେଠୀ ଏବଂ ତହସିଲଦାର ଭାରତୀ ଦେବୀଙ୍କୁ ଉପଜିଲାପାଳ ପରାମର୍ଶ ଦେଇଛନ୍ତି। ସୂଚନା ଯୋଗ୍ୟ ଯେ, ସେହି ଚାରି ଅଧ୍ୟାପକ ମସାଧିକ କାଳ ଅନୁପସ୍ଥିତ ରହୁଥିବାରୁ ଶିକ୍ଷା ଗ୍ରହଣରେ ବାଧା ସୃଷ୍ଟି ହେଉଛି ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।

Comments are closed.