କନ୍ନଡ଼ ଚଳଚ୍ଚିତ୍ର ଅଭିନେତା ଓ ନିର୍ମାତାଙ୍କ ୨୭ ଠିକଣା ଉପରେ ଆୟକର ଚଢାଉ

0

ବେଙ୍ଗାଲୁରୁ : କନ୍ନଡ଼ ଚଳଚ୍ଚିତ୍ର ଜଗତର ୪ଜଣ ଖ୍ୟାତନାମା ଅଭିନେତା ଓ ୩ ଜଣ ଚଳଚ୍ଚିତ୍ର ନିର୍ମାତାଙ୍କ ବେଙ୍ଗାଲୁରୁସ୍ଥିତ ବାସଭବନ ଓ ବିଭିନ୍ନ ଠିକଣା ଉପରେ ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଧରି ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଆୟକର ବିଭାଗର ୩୦ଟି ଦଳ ଅଭିନେତା ଓ ନିର୍ମାତାଙ୍କ ୨୭ଟି ଠିକଣା ଉପରେ ଚଢାଉ କରିଛନ୍ତି ବୋଲି ଆୟଗର ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଅଭିନେତା ଶିବରାଜ କୁମାର, ପୁନିତ କୁମାର, ସୁଦୀପ ଏବଂ ୟସଙ୍କ ସମେତ ଚଳଚ୍ଚିତ୍ର ନିର୍ମାତା ଭେଙ୍କଟେଶ, ସିଆର ମନୋହର ଏବଂ ବି. ବିଜୟକୁମାରଙ୍କ ବାସଭବନ ଓ ଅନ୍ୟ ଠିକଣା ଉପରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଆୟକର ଆଇନ୍‍ ୧୯୬୧ ଧାରା ୧୩୨ ଅନୁସାରେ ଏହି ଚଢାଉ କରାଯାଇଥିଲା ଓ ସକାଳ ୮ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ତଲାସୀ ଚାଲିଥିବା ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଆୟକର ଅଧିକାରୀମାନେ ତଲାସୀରୁ ମିଳିଥିବା ତଥ୍ୟ ସମ୍ପର୍କରେ କିଛି କହିବାକୁ ମନା କରିଦେଇଛନ୍ତି।
ସୂଚନା ଅନୁସାରେ ଉପରୋକ୍ତ ଚଳଚ୍ଚିତ୍ର ନିର୍ମାତାମାନେ କୋଟି କୋଟି ଟଙ୍କାର ବଡ଼ ବଜେଟର ଚଳଚ୍ଚିତ୍ର ନିର୍ମାଣ କରିଥିଲେ। କିଛି ଚଳଚ୍ଚିତ୍ର ସୁପରହିଟ୍‍ ହୋଇଥିବାରୁ ଭଲ ବ୍ୟବସାୟ କରିଥିଲେ। କିନ୍ତୁ ଚଳଚ୍ଚିତ୍ରର ସଫଳତା ଅନୁଯାୟୀ ଆୟକର ବିଭାଗକୁ ଟିକସ ମିଳିନାହିଁ। ତେଣୁ ଟିକସ୍‍ ଫାଙ୍କି ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇ ତଲାସୀ କରାଯାଇଛି।

Leave A Reply