ଯବାନଙ୍କ ମଧ୍ୟରେ ସଂଘର୍ଷ, ୨ ଅଧିକାରୀଙ୍କ ସମେତ ୪ ମୃତ

ରାଞ୍ଚି: ଝାଡ଼ଖଣ୍ଡ ଏବଂ ଛତିଶଗଡ଼ରେ ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟି ୪ ଜଣଙ୍କ ମୃତ୍ୟୁ ହୋଇଛି। ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ମୁତୟନ ହୋଇଥିବା ସିଆରପିଏଫ ଯବାନଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ଏହା ଉଗ୍ରରୂପ ନେଇ ଗୁଳିକାଣ୍ଡ ଘଟିଥିଲା। ଯବାନମାନେ ପରସ୍ପରକୁ ଗୁଳିମାଡ଼ କରିବାରୁ ଘଟଣାସ୍ଥଳରେ ୨ ଅଧିକାରୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୪ ଜଣ ଆହତ ହୋଇଛି। ଗୁଳିମାଡ଼ କରିଥିବା ଯବାନଙ୍କ ନାମ ହେଉଛି ଦୀପେନ୍ଦ୍ର ଯାଦବ। ଦୀପେନ୍ଦ୍ରଙ୍କୁ କାବୁ କରାଯାଇଛି।

ସୂଚନା ଅନୁସାରେ, ଚାଇବାସାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ୨୨୬ ବାଟାଲିୟନର ସିଆରପିଏଫ ଯବାନମାନେ ଫେରୁଥିଲେ। ବୋକାରେର ଗୋମିଆସ୍ଥିତ କୁର୍କନାଲା ଉଚ୍ଚ ବିଦ୍ୟାଳୟ ଏବଂ ମଧ୍ୟ ବିଦ୍ୟାଳୟରେ ସେମାନଙ୍କର ରହିବା ବ୍ୟବସ୍ଥା ହୋଇଥିଲା। ଅପରାହ୍ନ ପ୍ରାୟ ୨ଟାରେ ସେମାନେ ସ୍କୁଲରେ ପହଞ୍ଚିଥିଲେ। ରାତି ପ୍ରାୟ ୮ଟା ୩୦ରେ ଖାଇବାକୁ ନେଇ ଦୁଇଟି ଯାକ ବିଦ୍ୟାଳୟରେ ରହୁଥିବା ଯବାନଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଫଳରେ ଯବାନମାନେ ପରସ୍ପରଙ୍କୁ ଗୁଳିମାଡ଼ କରିଥିଲେ। ଏଥିରେ ସିଆରପିଏଫର ୨ ଅଧିକାରୀ ଆସଷ୍ଟାଣ୍ଟ କମାଣ୍ଡାଣ୍ଟ ସାହୁଲ ଅହସନ ଏବଂ ଏଏସଆଇ ପୂର୍ଣ୍ଣାନନ୍ଦ ଭୂୟାଁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

ସେହିପରି ଛତିଶଗଡ଼ରେ ସଶସ୍ତ୍ର ବାହିନୀର ଜଣେ ଯବାନ ଛୁଟିକୁ ନେଇ ବିବାଦ ହେବାରୁ ଜଣେ କମାଣ୍ଡରଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହା ପରେ ସେ ନିଜେ ମଧ୍ୟ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି। ୫୯ ବର୍ଷୀୟ କମାଣ୍ଡର ଜଣକ ବିକ୍ରମ ନାମକ ଯବାନଙ୍କ ବିରୋଧରେ ଅନୁଶାସନହୀନତା ଏବଂ ଅତ୍ୟଧିକ ମଦ୍ୟପାନ ନେଇ ଅଭିଯୋଗ କରିଥିଲେ, ଯାହାର ତଦନ୍ତ ଚାଲିଥିଲା। ଏହା ପରଠାରୁ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା।

Comments are closed.