ପୁଣି ବିବାଦ, ଘଣ୍ଟାଏ କି ଦି ଘଣ୍ଟା ନୁହେଁ ୪ ଘଣ୍ଟା ବିଳମ୍ବରେ ଆରମ୍ଭ ହେଲା ନାଗାର୍ଜୁନ ବେଶ

- ଆସନ୍ତାକାଲି ଶ୍ରୀଜୀଉଙ୍କ ତ୍ରିବିକ୍ରମ ବେଶ

ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ବିବାଦ ଯେମିତି ପିଛା ଛାଡିବାର ନାଁ ନେଉନାହିଁ। ବହୁ ପ୍ରତିକ୍ଷିତ ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶରେ ମଧ୍ୟ ବିଳମ୍ବ ଘଟିଛି। ତେବେ ଏହି ବିଳମ୍ବ ୫ ମିନିଟ କି ୧୦ ମିନିଟ ନୁହେଁ, ନାଗାର୍ଜୁନ ବେଶ ପାଇଁ ମହାପ୍ରଭୁଙ୍କୁ ୪ ଘଂଟାର କଷ୍ଟ ସହିବାକୁ ପଡିଛି। ସୂଚନା ଅନୁଯାୟୀ ନାଗାର୍ଜୁନ ବେଶ ସମୟରେ ଶ୍ରୀମନ୍ଦିର ଗର୍ଭ ଗୃହରେ ପୁଷ୍ପାଳକ ଓ ଭଣ୍ଡାର ମେକାପ ଏବଂ ପ୍ରତିହାରୀ ସେବକ ଓ ମୁଦିରସ୍ତ ସେବକଙ୍କ ମଧ୍ୟରେ ବିବାଦ ଯୋଗୁ ଏଭଳି ଅହେତୁକ ବିଳମ୍ବ ଘଟିଛି। ଶ୍ରୀମନ୍ଦିର ଗର୍ଭ ଗୃହରେ ଏକ ସମୟରେ ୨୦୦ ସେବାୟତ ଏକତ୍ରିତ ହେବା ଫଳରେ ଏଭଳି ବିବାଦ ଦେଖାଦେଇଥିବା ସୂଚନା ମିଳିଛି।

ପୂର୍ବ ନିର୍ଦ୍ଧାରିତ ସମୟ ନିର୍ଘଣ୍ଟ ଅନୁଯାୟୀ ସକାଳ ୨ଟା ୪୫ରେ ଦ୍ୱାର ଫିଟା, ୩ଟା ୨୫ରେ ଭିତର ଶୋଧ, ୩ଟା ୩୫ରେ ମଙ୍ଗଳ ଆଳତି, ୩ଟା ୪୦ରେ ମଇଲମ, ୪ଟାରେ ତଡପଲାଗି, ୪ଟା ୧୦ରେ ଶ୍ରୀମନ୍ଦିରକୁ ବିଜେ, ୪ଟା ୩୫ରେ ଅବକାଶ ପୂଜା ଶେଷ ହେବାର ଥିଲା କିନ୍ତୁ ପୁଷ୍ପାଳକ ଓ ଭଣ୍ଡାର ମେକାପ ଏବଂ ପ୍ରତିହାରୀ ସେବକ ଓ ମୁଦିରସ୍ତ ସେବକଙ୍କ ମଧ୍ୟରେ ବିବାଦ ଯୋଗୁ ଏହି କାର୍ଯ୍ୟକ୍ରମରେ ଅହେତୁକ ବିଳମ୍ବ ଘଟିଥିଲା ଓ ଶେଷରେ ଦିନ ୧୦ଟା ୧୫ରେ ନାଗାର୍ଜୁନ ବେଶ ଶେଷ ହୋଇଥିଲା। ଏହି ବେଶ ପାଇଁ ୩ ଘଣ୍ଟା ୧୫ ମିନିଟ ସମୟ ଲାଗିଥିଲା।

ନାଗାର୍ଜୁନ ବେଶରେ ଶ୍ରୀଜଗନ୍ନାଥ ଓ ବଳଭଦ୍ର ଯୋଦ୍ଧା ବେଶରେ ସଜ୍ଜିତ ହୋଇଥିବା ବେଳେ ତ୍ରିଭୁବନେଶ୍ୱରୀ ବେଶରେ ସଜ୍ଜିତ ହୋଇଛନ୍ତି ମା ସୁଭଦ୍ରା। ଶ୍ରୀ ଜୀଉମାନେ ଷୋହଳ ପ୍ରକାର ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜେଇ ହୋଇଛନ୍ତି। ଏନେଇ ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି ଯେ, ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ଶେଷ ହୋଇଛି। ତେବେ ସେବାୟତଙ୍କ ସଂଖ୍ୟା ଓ ବେଶ ପାଇଁ ଉଦ୍ଦିଷ୍ଟ ସୁନା ଅଳଙ୍କାର ମଣତି ନେଇ ବିଳମ୍ବ ହୋଇଥିଲା। ଆଲୋଚନା ପରେ ସାମାନ୍ୟ ବିଳମ୍ବରେ ଏହି ବେଶ ଶେଷ ହୋଇଛି।

ଶ୍ରୀଜୀଉଙ୍କ ନାଗାର୍ଜ୍ଜୁନ ବେଶ ଦର୍ଶନ କଲେ ମହାପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। କିନ୍ତୁ ଚଳିତବର୍ଷ ମହାମାରୀ କରୋନା କଟକଣା ଯୋଗୁଁ ସାଧାରଣ ଭକ୍ତ ୨୫ ବର୍ଷ ପରେ ଅନୁଷ୍ଠିତ ହେଉଥିବା ଏହି ଦୁର୍ଲଭ ଦର୍ଶନରୁ ବଂଚିତ ରହିଛନ୍ତି। ଶ୍ରୀମନ୍ଦିର ସମ୍ମୁଖରେ ବ୍ୟାରିକେଡ୍‍ ବାହାରେ ବହୁ ସଂଖ୍ୟାରେ ସ୍ଥାନୀୟ ଶ୍ରଦ୍ଧାଳୁ ଆସି ଶ୍ରୀଜୀଉଙ୍କ ପତିତପାବନ ଦର୍ଶନ କରି ଭାବବିନୋଦିଆ କଳା ଠାକୁରଙ୍କୁ ମନର ବ୍ୟଥା ଓ ହୃଦୟରୁ ଭକ୍ତିପୂତ ପ୍ରଣାମ ଜଣାଇ ଫେରି ଯାଉଥିବା ଦେଖିବାକୁ ମିଳିଥିଲା।

ଅନ୍ୟପକ୍ଷରେ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ରୋକିବାକୁ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଚର୍ତୁପାର୍ଶ୍ବରେ ରାତି ୨ଟାରୁ ୧୪୪ ଧାରା ଜାରୀ କରାଯାଇଛି। ଶ୍ରୀମନ୍ଦିରର ଚାରି ଦ୍ୱାରରେ ସ୍ୱତନ୍ତ୍ର ବାରିକେଡ୍‍ ସହ ଶ୍ରୀମନ୍ଦିରରେ ଚାରିଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ଦାୟୀତ୍ୱରେ ୨୫ ପ୍ଲାଟୁନ୍‍ ପୁଲିସ ଫୋର୍ସ ନିୟୋଜିତ ରହିଛନ୍ତି। ୭୫ ଜଣ ପୁଲିସ ଅଧିକାରୀ, ୭ ଜଣ ଡିଏସପି, ୨ ଜଣ ଅତିରିକ୍ତ ଏସପି ନିୟୋଜିତ ରହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି।

ଚଳିତ ବର୍ଷ ୫ ଦିନ ପରିବର୍ତେ ୬ ଦିନ ପଞ୍ଚୁକ ପଡୁଥିବାରୁ ଆସନ୍ତାକାଲି ଶ୍ରୀଜୀଉଙ୍କ ତ୍ରିବିକ୍ରମ ବେଶ ଅନୁଷ୍ଠିତ ହେବ। ୨୯ରେ ଲକ୍ଷ୍ମୀନୃସିଂହ ବେଶ ଏବଂ ପୂର୍ଣ୍ଣମୀ ଦିନ ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହେବ।

Comments are closed.