ମଧ୍ୟପ୍ରଦେଶ ପରେ ଗୁଜରାଟରେ ରାଜନୈତିକ ଅସ୍ଥିରତା, ଇସ୍ତଫା ଦେଲେ ୪ କଂଗ୍ରେସ ବିଧାୟକ

ଗୁଜରାଟ  : ମଧ୍ୟପ୍ରଦେଶ ପରେ ଗୁଜରାଟରେ ମଧ୍ୟ କଂଗ୍ରେସ ବିଧାୟକମାନେ ଇସ୍ତଫା ଦେବା ଆରମ୍ଭ କରିଛନ୍ତି। ରାଜ୍ୟସଭା ନିର୍ବାଚନ ପୂର୍ବରୁ ଗୁଜରାଟରେ ୪ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି। ଯାହା କଂଗ୍ରେସ ପାଇଁ ଚିନ୍ତାର କାରଣ ପାଲଟିଛି। ରବିବାର ଗୁଜରାଟ ବିଧାନସଭା ବାଚସ୍ପତି ରାଜେନ୍ଦ୍ର ତ୍ରିବେଦୀ କହିଛନ୍ତି ୪ ଜଣ କଂଗ୍ରେସ ବିଧାୟକ ତାଙ୍କ ନିକଟରେ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ସେ ସୋମବାର ବିଧାନସଭାରେ ସେମାନଙ୍କ ନାମ ଘୋଷଣା କରିବେ।

ବର୍ତ୍ତମାନ ୧୮୨ ସଦସ୍ୟ ବିଶିଷ୍ଟ ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୭୩ ରୁ ୬୯ କୁ ହ୍ରାସ ପାଇଛି। ରାଜ୍ୟସଭା ନିର୍ବାଚନ ପୂର୍ବରୁ ଗୁଜରାଟରେ ବିଜେପି କଂଗ୍ରେସ ବିଧାୟକମାନଙ୍କୁ କିଣିବା ପାଇଁ ଘୋଡା ବେପାର କରୁଥିବା ଅଭିଯୋଗ ଆଣିଛି କଂଗ୍ରେସ।

ମଧ୍ୟପ୍ରଦେଶରେ ରାଜନୈତିକ ଅସ୍ଥିରତା ମଧ୍ୟରେ ରାଜ୍ୟସଭା ନିର୍ବାଚନ ପୂର୍ବରୁ ଗୁଜରାଟରେ କଂଗ୍ରେସ ସତର୍କତା ଅବଲମ୍ବନ କରିବା ଆରମ୍ଭ କରିଛି। ରାଜ୍ୟସଭା ନିର୍ବାଚନ ପୂର୍ବରୁ ଘୋଡା ବେପାର ଭୟରେ କଂଗ୍ରେସ ତାର ୧୪ ଜଣ ବିଧାୟକଙ୍କୁ ରାଜସ୍ଥାନର ଜୟପୁରକୁ ସ୍ଥାନାନ୍ତର କରିସାରିଛି। ସୂଚନାନୁସାରେ, ଏମାନଙ୍କ ମଧ୍ୟରୁ ପାଞ୍ଚ ଜଣ କଂଗ୍ରେସ ବିଧାୟକ ବିଜେପି ସହ ଯୋଗାଯୋଗରେ ଅଛନ୍ତି। ଏଥି ସହିତ ଉଦୟପୁରକୁ ଅନ୍ୟ ୩୬ ଜଣ ବିଧାୟକ ପଠାଇବାକୁ କଂଗ୍ରେସ ପ୍ରସ୍ତୁତି କରୁଥିବା ଜଣାପଡିଛି।
ରାଜ୍ୟସଭା ନିର୍ବାଚନ ପାଇଁ ଗୁଜରାଟରେ ଖାଲି ପଡିଥିବା ୪ ଟି ସିଟ୍ ପାଇଁ ଶୁକ୍ରବାର ବିଜେପିର ୩ ଜଣ ପ୍ରାର୍ଥୀ ଏବଂ କଂଗ୍ରେସର ୨ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୨୬ ମାର୍ଚ୍ଚରେ ଗୁଜରାଟରେ ରାଜ୍ୟସଭା ନିର୍ବାଚନ ହେବ।

Comments are closed.