ରାଜ୍ୟରେ କରୋନା ସଂକମ୍ରିତ ହେଲେଣି ୪ ଡାକ୍ତର

ଭୁବନେଶ୍ବର : ଓଡ଼ିଶାରେ ଗୋଟିଏ ପଟେ ଦୈନିକ ଶତାଧିକ ନୂଆ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ଏପରିସ୍ଥଳେ କରୋନା ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ଡ଼ାକ୍ତର ସଂକ୍ରମିତ ହେବା ନୂଆ ସମସ୍ୟା ସୃଷ୍ଟି କରିଛି। ଆଜି ରାଉରକେଲା ସରକାରୀ ଡ଼ାକ୍ତରଖାନାର ଦୁଇ ଡ଼ାକ୍ତରଙ୍କୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ ୪ ଜଣ ଡ଼ାକ୍ତର ସଂକମ୍ରିତ ହେଲେଣି। ଏହା ପୂର୍ବରୁ କଟକ ସିଟି ହସ୍ପିଟାଲ ଓ ଏମ୍ସ ଭୁବନେଶ୍ବରର ଜଣେ ଲେଖାଏଁ ଡ଼ାକ୍ତର ସଂକ୍ରମିତ ହୋଇଥିଲେ। ଗତ ମାସ ୨୭ ତାରିଖରେ ରାଜ୍ୟରେ ପ୍ରଥମ ଥର ପାଇଁ କଟକରେ ଜଣେ ଶିଶୁ ରୋଗ ବିଶେଷଜ୍ଞ ସଂକ୍ରମିତ ହୋଇଥିଲେ।
ରାଜ୍ୟର ୩୪ଟି ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲରେ ଶତାଧିକ ଡ଼ାକ୍ତର ଓ ସ୍ବାସ୍ଥ୍ୟକର୍ମୀ କରୋନା ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ହୋଇଛନ୍ତି। କିଛିଦିନ ଡ୍ୟୁଟି କରି ଫେରୁଥିବା ଡ଼ାକ୍ତରଙ୍କ ପାଇଁ କ୍ବାରେଣ୍ଟାଇନ୍ ବ୍ୟବସ୍ଥା କରାଯାଇଛି। ତଥାପି ଡ଼ାକ୍ତରଙ୍କ ଉପରେ ସବୁବେଳେ ସଂକ୍ରମଣ ଆଶଙ୍କା ରହୁଛି। ବିଶେଷକରି ଆଇସିୟୁରେ ରୋଗୀଙ୍କୁ ଭେଣ୍ଟିଲେଟର୍‌ରେ ରଖି ଚିକିତ୍ସା ସମୟରେ ସଂକ୍ରମଣର ଅଧିକ ଆଶଙ୍କା ରହିଛି। ଡ଼ାକ୍ତର ଓ ସ୍ବାସ୍ଥ୍ୟକର୍ମୀ ନିଜର ଓ ପରିବାର ସଦସ୍ୟଙ୍କ ଜୀବନକୁ ବିପଦରେ ପକାଇ କରୋନା ରୋଗୀଙ୍କ ସେବା କରୁଛନ୍ତି। କିନ୍ତୁ ଅନେକ ସମୟରେ ସେମାନେ ନିର୍ଯାତନାର ଶିକାର ହେଉଥିବା ଦେଖାଯାଉଛି। କିଛିଦିନ ପୂର୍ବେ ଭୁବନେଶ୍ବର ଏମ୍ସରେ କାର୍ଯ୍ୟରତ ଜଣେ ମହିଳା

ଡ଼ାକ୍ତରଙ୍କ ତାଙ୍କ ଆପାର୍ଟମେଣ୍ଟରୁ ବାହାରି ଯିବା ପାଇଁ ଧମକ ଦିଆଯାଇଥିଲା। ଏନେଇ ଖଣ୍ଡଗିରି ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା। କରୋନା ମୁକାବିଲାରେ ଆଗ ଧାଡ଼ିରେ କାମ କରୁଥିବା ଡ଼ାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଗଭୀର କୃତଜ୍ଞତା ଜ୍ଞାପନ କରିବା ସହ ସେମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ପାଇଁ ଜନସାଧାରଣଙ୍କୁ ଅପିଲ କରିଥିଲେ। ଶିଶୁ ରୋଗ ବିଶେଷଜ୍ଞ ଡ଼ାକ୍ତର ଅରବିନ୍ଦ ମହାନ୍ତି କହିଛନ୍ତି, ଡ଼ାକ୍ତର ଓ ସ୍ବାସ୍ଥ୍ୟକର୍ମୀ ସଂକ୍ରମିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ସେମାନେ ଏହାକୁ ନେଇ ଆଦୌ ଆତଙ୍କିତ ହେବା ଉଚିତ ନୁହେଁ। କାରଣ ଭୟ ରହିଲେ ସଂକ୍ରମିତ ହେବାର ସମ୍ଭାବନା ବଢ଼ିଯାଏ। ରୋଗୀ ସେବାରେ ନିୟୋଜିତ ଡ଼ାକ୍ତର ସର୍ବାଧିକ ସୁରକ୍ଷା ଗ୍ରହଣ କରିବା ସହ ପ୍ରତିଷେଧକ ଔଷଧ ଖାଇବା ଉଚିତ। ୬୦ ବର୍ଷରୁ ଉର୍ଦ୍ଧ୍ବ ଡ଼ାକ୍ତରଙ୍କ ପ୍ରତି ଅଧିକ ଯତ୍ନବାନ୍ ହେବା ଆବଶ୍ୟକ ବୋଲି ଡ଼ା ମହାନ୍ତି କହିଛନ୍ତି।

Comments are closed.