ଧରାଇଦେଲା ସିସିଟିଭ ଫୁଟେଜ : ମହିଳା ମହାବିଦ୍ୟାଳୟ ରାସ୍ତାରେ ଲୁଟ ଘଟଣା,ଚାରି ଅଭିଯୁକ୍ତ ଗିରଫ

ବଲାଙ୍ଗିର : ବଲାଙ୍ଗିର ମହିଳା ମହାବିଦ୍ୟାଳୟ ରାସ୍ତାରେ ଦିନ ଦିପହରରେ ଭୁଜାଲି ଦେଖାଇ ହୋଇଥିବା ଲୁଟ ଘଟଣାରେ ବଲାଙ୍ଗିର ଟାଉନ ପୁଲିସକୁ ସଫଳତା ମିଳିଛି। ଅପରାଧ ନିୟନ୍ତ୍ରଣ ପାଇଁ ସହରରେ ଲାଗିଥିବା ସିସିଟିଭି ଫୁଟେଜରୁ ଅଭିଯୁକ୍ତ ମାନଙ୍କୁ ଠାବ କରି ପୁଲିସ ଅଭିଯୋଗର ଦିନକ ଭିତରେ ଚାରିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ମିଳିଥିବା ସୂଚନା ଅନୁସାରେ ଗତ ଜୁଲାଇ ୩୧ ତାରିଖରେ ସୋନପୁର ଜିଲା ବୀରମହାରାଜପୁର ଅଞ୍ଚଳର ସଚ୍ଚିଦାନନ୍ଦ ସେଠୀ ନିଜ ବାଇକରେ ମହିଳା ମହାବିଦ୍ୟାଳୟ ରାସ୍ତାରେ ଆସୁଥିଲେ। ଦିନ ପ୍ରାୟ ୧ଟା ୩୦ ମିନିଟରେ ଚାରି ଜଣ ଯୁବକ ହଠାତ ତାଙ୍କୁ ଅଟକାଇଥିଲେ। କିଛି ବୁଝିବା ପୂର୍ବରୁ ସେହି ଯୁବକ ମାନେ ଭୂଜାଲି ଦେଖାଇ ତାଙ୍କ ଠାରୁ ୧୭ ହଜାର ୯ ଶହ ଟଙ୍କା, ଗୋଟିଏ ଭିଭୋ ମୋବାଇଲ ଫୋନ ଲୁଟ କରି ଚମ୍ପଟ ମାରିଥିଲେ। ଘଟଣା ବିଷୟରେ ଶ୍ରୀ ସେଠୀ ୨ ତାରିଖରେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ହେବା ପରେ ଟାଉନ ଥାନା କେସ ନଂ ୩୩୦ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ଲଗାଯାଇଥିବା ସିସିଟିଭ ଫୁଟେଜ ଯାଞ୍ଚ କରିବା ପରେ ଚାରି ଜଣ ନୁହଁ ଏହି ଘଟଣାରେ ଛଅ ଜଣ ଅଭିଯୁକ୍ତ ସାମିଲ ଥିବା ପୁଲିସ ଜାଣିବାକୁ ପାଇଥିଲା। ଦୁଇ ଜଣ ମୁଖ୍ୟ ଅଭିଯୁକ୍ତ ଚାରି ଜଣଙ୍କୁ ଖବର ପହଞ୍ଚାଉଥିଲେ। ଫୁଟେଜର ତଥ୍ୟ ବ୍ୟବହାର କରି ପୁଲିସ ସୋମବାର ସେହି ଚାରି ଜଣଙ୍କୁ ଗିରଫ କରିଛି। ଗିରଫ ଚାରି ଜଣ ହେଲେ ବିଭୂତିପଡାର ରାକେଶ ଭୋଇ(୨୭) ଓ ଗୈାତମ ସୁନା(୨୫), ଚିମନୀଭାଟିପଡାର ସିତୁ ବନଛୋର(୩୦) ଓ ବିକାଶ ବୁଡେକ(୨୧) ବୋଲି ପୁଲିସ ସୂଚନା ଦେଇଛି। ଅଭିଯୁକ୍ତ ମାନଙ୍କ ପାଖରୁ ନଗଦ ଦୁଇ ହଜାର ଟଙ୍କା ଓ ଗୋଟିଏ ମୋଟରସାଇକେଲ ପୁଲିସ ଜବତ କରିଥିବା ଟାଉନ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।