ନାମାଙ୍କନ ପତ୍ର ଦାଖଲ କଲେ ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ବର : ରାଜ୍ୟସଭା ନିର୍ବାଚନ ପାଇଁ ବୁଧବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡିର ୪ ପ୍ରାର୍ଥୀ । ଆଜି ସଚିବାଳୟସ୍ଥିତ ରାଜ୍ୟସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ବିଜେଡି ରାଜ୍ୟସଭା ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବିଜେଡିର ୪ ପ୍ରାର୍ଥୀ ସୁବାସ ସିଂ, ମୁନା ଖାଁ, ସୁଜିତ୍ କୁମାର ଓ ମମତା ମହନ୍ତ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏବଂ ଦଳର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଖାଲି ପଡିଥିବା ୪ଟି ରାଜ୍ୟସଭା ଆସନ ପାଇଁ ଗତ ଶନିବାର ଦିନ ପ୍ରାର୍ଥୀ ଘୋଷଣା କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ରାଜ୍ୟସଭାରେ ଖାଲି ପଡୁଥିବା ୪ ଆସନ ପାଇଁ ବହୁ ହେବିୱେଟ ନେତା ଆଶାୟୀ ଥିଲେ ମଧ୍ୟ ନବୀନ ଶେଷ ସମୟରେ ସୁବାସ ସିଂ, ମୁନା ଖାଁ, ସୁଜିତ୍ କୁମାର ଓ ମମତା ମହନ୍ତଙ୍କ ନାମ ଘୋଷଣା କରିଥିଲେ। ତେବେ ଆସନ୍ତା ୨୬ ତାରିଖରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ । ୧୭ ରାଜ୍ୟରେ ଖାଲିପଡ଼ିଥିବା ୫୫ ଆସନରେ ଏହି ନିର୍ବାଚନ ହେବ । ସେଥିମଧ୍ୟରୁ ଓଡ଼ିଶାର ୪ଟି ଆସନ ରହିଛି ।

 

Comments are closed.