ସମୟ ପୂର୍ବରୁ ସନ୍ତାନ ପ୍ରସବ ପାଇଁ ମହିଳାଙ୍କୁ ଦିଆଗଲା ୪.୧୨ କୋଟି ଟଙ୍କାର ଡାକ୍ତରଖାନା ଖର୍ଚ୍ଚ ଚିଠା

ଅର୍ଲାଣ୍ଡୋ (ଫ୍ଲୋରିଡା): ନିର୍ଦ୍ଧାରିତ ସମୟ ପୂର୍ବରୁ ସନ୍ତାନ ପ୍ରସବ କରିଥିବାରୁ ଜଣେ ମହିଳାଙ୍କୁ ଡାକ୍ତରଖାନା ପକ୍ଷରୁ ୪.୧୨ କୋଟି ଟଙ୍କାର ଖର୍ଚ୍ଚ ଚିଠା ଦିଆଯାଇଛି । ଉକ୍ତ ଚିଠା ଦେଖିବାପରେ ମହିଳା ଜଣକ ତାହାକୁ ବିଶ୍ୱାସ କରିପାରିନଥିଲେ । ସେ ଉକ୍ତ ଚିଠାରେ ତ୍ରୁଟି ଥିବା ଏବଂ ପୁନଃ ହିସାବ କରିବାକୁ କହିବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ସେଥିରେ ସଂଶୋଧନ କରିଛନ୍ତି । ଫ୍ଲୋରିଡାରେ ଏହି ଘଟଣା ଘଟିଛି । ବିଶି ବେନେଟ ନାମ୍ନୀ ଜଣେ ବୀମା କର୍ମଚାରୀ ଗର୍ଭବତୀ ହୋଇଥିଲେ । ତେବେ ଗର୍ଭଧାରଣର ସାତମାସ ପରେ ତାଙ୍କର ସମସ୍ୟା ଦେଖାଦେଲା । ୨୦୨୦ ନଭେମ୍ବର ମାସରେ ସେ ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନା ନିଆଗଲା । ସେଠାରେ ତାଙ୍କର ଅସ୍ତ୍ରୋପଚାର ଜରିଅରେ ପ୍ରସବ କରାଗଲା । କିନ୍ତୁ ତାହା ଜଟିଳ ଥିଲା । ସ୍ୱାଭାବିକ ଭାବରେ ସନ୍ତାନ ଜନ୍ମ ସମୟରେ ପ୍ରଥମେ ଗର୍ଭସ୍ଥ ଶିଶୁର ମୁଣ୍ଡ ବାହାରକୁ ଆସୁଥିବାବେଳେ ତାଙ୍କ କ୍ଷେତ୍ରରେ ମୁଣ୍ଡ ଶେଷରେ ବାହାରକୁ ଆସିଥିଲା । ସେଥିପାଇଁ ଡାକ୍ତରୀ ଦଳକୁ ଅତ୍ୟନ୍ତ ଯତ୍ନର ସହିତ ପ୍ରସବ କରାଇବାକୁ ପଡିଥିଲା । ଜନ୍ମ ପରେ ଶିଶୁଟି ନକାନ୍ଦିବାରୁ ବିଶିଙ୍କ ପରିବାରଲୋକ ଚିନ୍ତିତ ହୋଇପଡିଥିଲେ । ଉଭୟ ନବଜାତ ଶିଶୁ ଓ ବିଶିଙ୍କୁ ଦୁଇମାସ ପର୍ଯ୍ୟନ୍ତ ଡାକ୍ତରଖାନାରେ ରହିବାକୁ ପଡିଥିଲା । ଦୁଇମାସ ମଧ୍ୟରେ ଶିଶୁର ସ୍ୱାସ୍ଥ୍ୟରେ ଯଥେଷ୍ଟ ଉନ୍ନତି ଆସିବା ସହିତ ସେ କାନ୍ଦିବା ଏବଂ ସ୍ତନ୍ୟପାନ କରିବା ଆରମ୍ଭ କରିଥିଲା । ପରେ ତାକୁ ବିଶି ଓ ତାଙ୍କ ସ୍ୱାମୀ ସେମାନଙ୍କ ଘର ପାଖ ଏକ ଡାକ୍ତରଖାନା ଆଡଭେଣ୍ଟ ହେଲଥ ଅର୍ଲାଣ୍ଡୋକୁ ସ୍ଥାନାନ୍ତର କରିଥିଲେ । ତାହାଛଡା ଉକ୍ତ ଡାକ୍ତରଖାନା ବିଶି କାର୍ଯ୍ୟ କରୁଥିବା ବୀମା କମ୍ପାନୀର ନେଟୱର୍କ ମଧ୍ୟରେ ରହିଥିଲା । କିନ୍ତୁ ଡାକ୍ତରଖାନା ପରିବର୍ତ୍ତନ କରିବା କାରଣରୁ ବିଶିଙ୍କ ନିକଟକୁ ଡାକ୍ତରଖାନା ପକ୍ଷରୁ ଖର୍ଚ୍ଚର ଏକ ଲମ୍ବା ଚିଠା ଆସିଲା । ପ୍ରଥମ ଡାକ୍ତରଖାନା ପକ୍ଷରୁ କୁହାଗଲା ଯେ ୫୬ ଦିନ ଧରି ନବଜାତ ଶିଶୁକୁ ଅତ୍ୟନ୍ତ ଉଚ୍ଚ ବୈଷୟିକ, ଜୀବନ ରକ୍ଷାକାରୀ ଶ୍ୱାସ ପ୍ରଶ୍ୱାସକାରୀ ବ୍ୟବସ୍ଥା ଏବଂ ପୋଷଣ ବ୍ୟବସ୍ଥା ମଧ୍ୟରେ ରଖାଯାଇଥିଲା । ତାହାଛଡା ବିଶିଙ୍କ ନିଯୁକ୍ତିଦାତା କମ୍ପାନୀ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟ ପ୍ଲାନ ପରିବର୍ତ୍ତନ କରିଦେଇଥିଲେ । ଏହି କାରଣରୁ ଡାକ୍ତରଖାନା ପକ୍ଷରୁ ଖର୍ଚ୍ଚ ତାଲିକା ପ୍ରସ୍ତୁତିରେ ତ୍ରୁଟି ପରିଲକ୍ଷିତ ହୋଇଥିଲା । ପାଖାପାଖି ୪.୧୨ କୋଟି ଟଙ୍କାର ଡାକ୍ତରଖାନାର ଖର୍ଚ୍ଚ ତାଲିକା ଦେଖି ବିଶି ଓ ତାଙ୍କ ସ୍ୱାମୀଙ୍କର ହୋସ ଉଡିଯାଇଥିଲା । ସେମାନେ ସଂପୃକ୍ତ ବୀମା କମ୍ପାନୀ ଏବଂ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବା ପରେ ଉକ୍ତ ଖର୍ଚ୍ଚ ତାଲିକାରେ ସଂଶୋଧନ କରାଯାଇଥିଲା ।

Comments are closed.