ପଶ୍ଚିମ ଆଶ୍ବସ୍ତ: ସବୁଜ ବଳୟକୁ ଫେରିଲା ୬ ଜିଲା, କମୁଛି କୋଭିଡ ସଂକ୍ରମଣ ଓ ମୃତ୍ୟୁ

ସମ୍ବଲପୁର: ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ହୋଇଥିବାବେଳେ ମେ ପ୍ରଥମ ସପ୍ତାହରେ ପଶ୍ଚିମ ଓଡ଼ିଶାରେ ସ୍ଥିତି ଭୟାବହ ରହିଥିଲା। ସକ୍ରିୟ ଚିକିତ୍ସାଧୀନଙ୍କ ସଂଖ୍ୟାକୁ ନେଇ ମେ ୯ ତାରିଖରେ ପଶ୍ଚିମ ଓଡ଼ିଶାର ୧୦ରୁ ୯ଟି ଜିଲା ଲାଲ ବଳୟ (ଜୋନ)ରେ ଥିବାବେଳେ କେବଳ ଦେବଗଡ଼ ଜିଲା ହଳଦିଆ ବଳୟରେ ଥିଲା। ତେବେ, ମେ ଶେଷ ସପ୍ତାହ ତଥା ଜୁନରେ କରୋନା ସଂକ୍ରମଣ କମିଛି। ବିଭିନ୍ନ ଜିଲାରେ କରୋନା ପରୀକ୍ଷା ଅନୁପାତରେ ଚିହ୍ନଟଙ୍କ ସଂଖ୍ୟା ୧ରୁ ୩ ପ୍ରତିଶତ ରହୁଥିବା ସୂଚନା ମିଳିଛି। ସୂଚନାନୁଯାୟୀ ଗୁରୁବାର ସନ୍ଧ୍ୟା ସୁଦ୍ଧା ପଶ୍ଚିମର କେବଳ ସୁନ୍ଦରଗଡ଼ ଜିଲା ଲାଲ ବଳୟରେ ଥିବାବେଳେ ବରଗଡ଼, ବୌଦ୍ଧ ଓ କଳାହାଣ୍ଡି ଜିଲା ହଳଦିଆ ବଳୟ ଏବଂ ଅନ୍ୟ ୫ଟି ଜିଲା ସବୁଜ ବଳୟରେ ରହିଛି। କୋଭିଡ ନିୟମାନୁଯାୟୀ ୧ରୁ ୫୦୦ ଜଣ ସକ୍ରିୟ ଆକ୍ରାନ୍ତ ଥିଲେ ସବୁଜ ବଳୟ, ୫୦୧ରୁ ୧୦୦୦ ଜଣ ସକ୍ରିୟ ଆକ୍ରାନ୍ତ ଥିଲେ ହଳଦିଆ ବଳୟ ଏବଂ ୧୦୦୧ରୁ ଊର୍ଦ୍ଧ୍ବ ସକ୍ରିୟ ଆକ୍ରାନ୍ତ ଥିଲେ ଲାଲ ବଳୟ ଅନ୍ତର୍ଭୁକ୍ତ କରାଯାଉଛି।
ଅନ୍ୟପକ୍ଷରେ କୋଭିଡ ଡାକ୍ତରଖାନାରେ ଚିକିତ୍ସାଧୀନଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲା ନିର୍ଭର କରୁଥିବା ଭିମସାରର ଦୁଇ କୋଭିଡ ଡାକ୍ତରଖାନାରେ ଗତ ୧୧ରୁ ୧୭ ତାରିଖ ସାତ ଦିନରେ ୨୭ ଜଣ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ବରଗଡ଼ ଜିଲାର ସର୍ବାଧିକ ୯ ଜଣ ଥିବାବେଳେ ସମ୍ବଲପୁର ଓ ସୋନପୁର ଜିଲାର ୪ ଜଣ ଲେଖାଏ, ଦେବଗଡ଼ ଓ ସୋନପୁର ଜିଲାର ୩ ଜଣ ଲେଖାଏ, ବଲାଙ୍ଗିର ଓ ବୌଦ୍ଧ ଜିଲାର ୨ ଜଣ ଲେଖାଏ ଏବଂ ଝାରସୁଗୁଡ଼ା, ଅନୁଗୋଳ ଓ କଳାହାଣ୍ଡିର ଜଣେ ଲେଖାଏ ରହିଛନ୍ତି। ମେ ୧୦ ତାରିଖ ଭିମସାରରେ ଚିକିତ୍ସାଧୀନ ମୃତ୍ୟୁ ସଂଖ୍ୟା ସର୍ବାଧିକ ୨୨ରେ ପହଞ୍ଚିଥିଲା। ଅଶ୍ବିନୀ ପରିଚାଳିତ ସମ୍ବଲପୁର କୋଭିଡ ଡାକ୍ତରଖାନାରେ ଏହି ସମୟ ମଧ୍ୟରେ ମାତ୍ର ୫ ଜଣଙ୍କ ଚିକିତ୍ସାଧୀନ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସରକାରୀ ଭାବେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନାନୁଯାୟୀ ଗତବର୍ଷ କରୋନା ମହାମାରୀ ଆରମ୍ଭ ହେବାଦିନଠାରୁ ଆଜିପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ସୁନ୍ଦରଗଡ଼ ଜିଲାରେ ସର୍ବାଧିକ ୩୨୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କଳାହାଣ୍ଡି ଜିଲାରେ ୧୬୩, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲାରେ ୧୦୨ ଲେଖାଏ, ବରଗଡ଼ ଜିଲାରେ ୮୫, ବଲାଙ୍ଗିର ଜିଲାରେ ୭୬, ବୌଦ୍ଧ ଜିଲାରେ ୭୫, ନୂଆପଡ଼ା ଜିଲାରେ ୬୬, ସୁବର୍ଣ୍ଣପୁର ଜିଲାରେ ୩୭ ଓ ଦେବଗଡ଼ ଜିଲାରେ ୩୧ ଜଣଙ୍କ ମୃତ୍ୟୁ ହୋଇଛି। ତେବେ, ବେସରକାରୀ ଭାବେ ଏହି ସଂଖ୍ୟା ବହୁ ଅଧିକ ହେବ ବୋଲି କୁହାଯାଉଛି।
ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ସୁନ୍ଦରଗଡ଼ ଜିଲାରେ ସର୍ବାଧିକ ସକ୍ରିୟ ୧୨୧୯ ଜଣ ଚିକିତ୍ସାଧୀନ ଥିବାବେଳେ ବରଗଡ଼ରେ ୭୨୪, ବୌଦ୍ଧରେ ୬୪୩, କଳାହାଣ୍ଡିରେ ୫୧୭, ସୋନପୁରରେ ୪୯୨, ସମ୍ବଲପୁରରେ ୩୨୦, ବଲାଙ୍ଗିରରେ ୨୯୧, ଝାରସୁଗୁଡ଼ାରେ ୧୬୩, ଦେବଗଡ଼ରେ ୧୮୬ ଓ ନୂଆପଡ଼ାରେ ୧୩୯ ଜଣ ସକ୍ରିୟ ରହିଛନ୍ତି। ଏହି ସମୟରେ ରାଜ୍ୟରେ ୩୭୦୮୬ ଜଣ ସକ୍ରିୟ ଚିକିତ୍ସାଧୀନଙ୍କ ମଧ୍ୟରୁ ପଶ୍ଚିମ ଓଡ଼ିଶାର ୧୦ଟି ଜିଲାରେ ୪୬୯୪ ଜଣ ସକ୍ରିୟ ଥିବା ଜଣାପଡ଼ିଛି।
ପଶ୍ଚିମ ଓଡ଼ିଶାରେ କରୋନା ସଂକ୍ରମଣ ଦିନକୁଦିନ ହ୍ରାସ ପାଉଛି। ଶୁକ୍ରବାର ରାଜ୍ୟରେ ଚିହ୍ନଟ ୩୮୦୬ ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ପଶ୍ଚିମ ଓଡ଼ିଶାରୁ ୪୪୪ ଜଣ ରହିଛନ୍ତି। ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲାରୁ ସର୍ବାଧିକ ୧୧୯ ଜଣ ଚିହ୍ନଟ ହେବା ସହ ବରଗଡ଼ରେ ୫୮, ସମ୍ବଲପୁରରେ ୪୫, କଳାହାଣ୍ଡିରେ ୪୩, ସୁବର୍ଣ୍ଣପୁରରେ ୩୬, ବୌଦ୍ଧରେ ୩୫, ନୂଆପଡ଼ାରେ ୩୧, ଦେବଗଡ଼ରେ ୩୦, ବଲାଙ୍ଗିରରେ ୨୮ ଓ ଝାରସୁଗୁଡ଼ାରେ ୧୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Comments are closed.