ପୁଣି ୨୪ ଓମିକ୍ରନ ସଂକ୍ରମିତ : ରାଜ୍ୟରେ ତୃତୀୟ ଲହର

ଭୁବନେଶ୍ବର : କରୋନାର ତୃତୀୟ ଲହର ଆରମ୍ଭ ହୋଇଛି । ଦିନକରେ ଦେଶରୁ ୫୮ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଓଡ଼ିଶାରେ ଏହି ସଂଖ୍ୟା ବୁଧବାର ୧୨୧୬ ରହିଛି। ଏଥିସହ ୨୪ ଜଣ ଓମିକ୍ରନ ସଂକ୍ରମିତ ମଧ୍ୟ ଚିହ୍ନଟ ହେବା ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଛି। ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର କଡ଼ା କଟକଣା ଜାରି କରିବାକୁ ନିଷ୍ପତ୍ତି ନେଇ ଜାନୁୟାରୀ ପାଇଁ ସଂଶୋଧିତ ମାର୍ଗଦର୍ଶିକା ଜାରି କରିଛନ୍ତି। ସ୍ବତନ୍ତ୍ର ରିଲିଫ ଆୟୁକ୍ତ ପକ୍ଷରୁ ଏହି ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି। ରାଜ୍ୟରେ ତୃତୀୟ ଲହର ଆରମ୍ଭ ହୋଇଥିବାବେଳେ ଓମିକ୍ରନ ବି ଗୋଷ୍ଠୀ ସଂକ୍ରମଣର ରୂପ ନେଇସାରିଥିବା ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ରଖିଲେଣି। କରୋନା ସହ ଓମିକ୍ରନ୍‌ ସଂକ୍ରମଣ ଆଗକୁ ଆହୁରି ବଢ଼ିବ। ଦୈନିକ ଦ୍ୱିଗୁଣ, ତିନିଗୁଣରେ ପହଞ୍ଚିବ ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ଆଶଙ୍କା ବ୍ୟକ୍ତ କରିଛନ୍ତି। ରାଜ୍ୟରେ ସଂକ୍ରମଣ ହାର ୧% ଉପରକୁ ଗଲାଣି। ବର୍ତ୍ତମାନ ଗୋଷ୍ଠୀ ସଂକ୍ରମଣ ଚାଲିଛି। ଦିଲ୍ଲୀ ପରି ଆମର ବି ସେହି ଅନୁପାତରେ ବୃଦ୍ଧି ପାଇବ। ସଂକ୍ରମଣ ରୋକିବା ପାଇଁ ଭିଡ଼ ଏଡ଼ାଇବା ସହ ତୁଣ୍ଡି ପିନ୍ଧିବା ଜରୁରୀ ବୋଲି କହିଛନ୍ତି।
ବୁଧବାର ଗୋଟିଏ ଦିନରେ ସର୍ବାଧିକ ୨୪ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫ ବିଦେଶ ଫେରନ୍ତା ହୋଇଥିବାବେଳେ ୧୯ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଜଣାପଡିଛି। ବୁଧବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କୁ ମିଶାଇ ମୋଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୬୧ରେ ପହଞ୍ଚିଛି। ପୂର୍ବରୁ ୨୧୮ଜଣଙ୍କ ନମୁନା ସଂଗ୍ରହ କରାଯାଇ ଜିନମ ସିକ୍ବନ୍ସିଂ ନିମନ୍ତେ ପଠାଯାଇଥିଲା। ବିବରଣୀ ଆସିବା ପରେ ୨୪ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏବେ ବିଦେଶ ଫେରନ୍ତା ବ୍ୟତୀତ ସ୍ଥାନୀୟ ଅଞ୍ଚଳରୁ ଅଧିକ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବିଦେଶ ଫେରନ୍ତାଙ୍କ ଅପେକ୍ଷା ସ୍ଥାନୀୟ ସଂକମ୍ରିତ ୪ଗୁଣ ରହିଛନ୍ତି। ଏହାକୁ ନେଇ ସ୍ବାସ୍ଥ୍ୟ ବିଭାଗ ଚିନ୍ତା ବଢିଛି। କରୋନା ନିୟମ କଡ଼ାକଡ଼ି ଅନୁପାଳନ କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
ପୂର୍ବରୁ ଗୋଟିଏ ଦିନରେ ସର୍ବାଧିକ ୨୩ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଯେଉଁଥିରେ ବିଦେଶ ଫେରନ୍ତାଙ୍କ ସଂଖ୍ୟା ୧୧ ଥିଲା। ମାତ୍ର ଆଜି ଚିହ୍ନଟ ହୋଇଥିବା ୨୪ ଆକ୍ରାନ୍ତଙ୍କ ମଧ୍ୟରେ ୧୯ ସ୍ଥାନୀୟ ସଂକ୍ରମିତ ରହିବା ଗୋଷ୍ଠୀ ସଂକ୍ରମଣର ଆଭାସ ଦେଉଛି। ସବୁ ଆକ୍ରାନ୍ତଙ୍କ ଠାରେ ସାମାନ୍ୟ ଲକ୍ଷଣ ଥିବାବେ‌େଳ ସମସ୍ତେ ସୁସ୍ଥ ଥିବା ଜଣାପଡିଛି। ଓମିକ୍ରନ ଚିହ୍ନଟ ବ୍ୟକ୍ତିବିଶେଷଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ତାହାର ଅନୁଧ୍ୟାନ ଚାଲିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁୁ ସୂଚନା ଦିଆଯାଇଛି।

Comments are closed.