୩ୟ ଟ୍ବେଣ୍ଟି-୨୦ : ସିରିଜ୍ ବିଜୟ ଲକ୍ଷ୍ୟରେ ଉଭୟ ଦଳ

0

ହାମିଲ୍‌ଟନ : ଭାରତ ତା’ର ଟ୍ବେଣ୍ଟି-୨୦ ଇତିହାସରେ ସବୁଠାରୁ ବଡ଼ ପରାଜୟ ପରେ ଲଢ଼ୁଆ ପ୍ରଦର୍ଶନ ସହ ସିରିଜ୍‌କୁ ଫେରିପାରିଛି । ପ୍ରଥମ ମ୍ୟାଚ୍‌କୁ ଘରୋଇ ନ୍ୟୁଜିଲାଣ୍ଡ ୮୦ ରନ୍‌ରେ ଜିତିଥିବା ବେଳେ ୨ୟ ମ୍ୟାଚ୍‌କୁ ଭାରତ ସହଜରେ ୭ ୱିକେଟରେ ଜିତିପାରିଛି। ସିରିଜ୍ ଏବେ ୧-୧ ସ୍ଥିତିରେ ଥିବା ବେଳେ ଉଭୟ ଦଳ ପାଇଁ ରବିବାର ଖେଳାଯିବାକୁ ଥିବା ୩ୟ ତଥା ଅନ୍ତିମ ​ଟ୍ବେଣ୍ଟି-୨୦ ‘କର ବା ମର’ ପରିସ୍ଥିତି ସୃଷ୍ଟିକରିଛି। ଏହି ମ୍ୟାଚ୍‌ର ବିଜେତା ହିଁ ସିରିଜ୍ କବ୍‌ଜା କରିବ। ତେଣୁ ଏହି ଗସ୍ତରେ ବୋଧହୁଏ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ରବିବାର ଖେଳାଯିବ। ତା’ର କ୍ରିକେଟ ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡ଼ିବାର ସୁଯୋଗ ଭାରତ ପାଖରେ ରହିଛି। ନ୍ୟୁଜିଲାଣ୍ଡ ମାଟିରେ ଭାରତ ଆଦୌ ଟ୍ବେଣ୍ଟି-୨୦ ସିରିଜ୍ ଜିତିନଥିବା ବେଳେ ଏହି କୃତିତ୍ବ ହାସଲ କରିବାର ସୁଯୋଗ ରୋହିତ ଶର୍ମାଙ୍କ ଦଳ ପାଖରେ ରହିଛି।
ନଭେମ୍ବରରେ ସ୍ବଦେଶ ଛାଡ଼ିଥିବା ଭାରତୀୟ ଦଳ ସୋମବାର ଘରବାହୁଡ଼ା କରିବାକୁ ଥିବା ବେଳେ ଶେଷ ମ୍ୟାଚ୍‌କୁ ଜିତିବାକୁ ନିଶ୍ଚୟ ଚାହିଁବ। ଅଷ୍ଟ୍ରେଲିଆରେ ୨ଟି ସିରିଜ୍ ଜିତିଥିବା ଭାରତୀୟ ଦଳ ପଡ଼ୋଶୀ ନ୍ୟୁଜିଲାଣ୍ଡରେ ​ଦିନିକିଆ ସିରିଜ୍ ଜିତିସାରିଛି। ଶେଷ ସିରିଜ୍ ଜିତିବା ଲକ୍ଷ୍ୟରେ ଭାରତୀୟ ଦଳ ରହିଛି। ନ୍ୟୁଜିଲାଣ୍ଡ ମଧ୍ୟ ତା’ର ରେକର୍ଡ ବଜାୟ ରଖିବାକୁ ଚାହିଁବ। ଘରୋଇ ମାଟିରେ ଭାରତଠାରୁ ଆଦୌ ଟ୍ବେଣ୍ଟି-୨୦ ସିରିଜ୍ ହାରିନାହିଁ ନ୍ୟୁଜିଲାଣ୍ଡ। ପୁଣି ଏହି ସିରିଜ୍ ଜିତି ଭାରତଠାରୁ ଦିନିକିଆ ସିରିଜ୍ ପରାଜୟ ପ୍ରତିଶୋଧ ନେବାକୁ ଘରୋଇଦଳ ନିଶ୍ଚୟ ପ୍ରୟାସ କରିବ।

ପ୍ରଥମ ଟ୍ବେଣ୍ଟି-୨୦ରେ ଭାରତୀୟ ଦଳ ଯେଉଁଯେଉଁ ବିଭାଗରେ ବିଫଳ ହୋଇଥିଲା; ୨ୟ ମ୍ୟାଚ୍‌ରେ ସମସ୍ତ ବିଭାଗରେ ତ୍ରୁଟି ସୁଧାରିପାରିଛି। ଭାରତର ୩ ପେସ୍ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦୁଇ ସ୍ପିନର ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ପୁଣି କ୍ରିଜ୍‌କୁ ଓହ୍ଲାଇଥିବା ୫ ଜଣଯାକ ବ୍ୟାଟ୍‌ସମ୍ୟାନ୍ ରନ୍ ସ୍କୋର୍ କରିଥିଲେ। ପୁଣି ୨ୟ ମ୍ୟାଚ୍‌ରେ କୌଣସି ଭାରତୀୟ ଫିଲ୍‌ଡର କ୍ୟାଚ୍ ମଧ୍ୟ ଛାଡ଼ିନାହାନ୍ତି। ଏପରି ପ୍ରଦର୍ଶନ ପରେ ଭାରତୀୟ ଦଳର ଆତ୍ମବିଶ୍ବାସ ବଢ଼ିଯାଇଛି। ବିରାଟ କୋହଲି ଓ ଯଶପ୍ରୀତ ବୁମ୍‌ରାଙ୍କ ଅନୁପସ୍ଥିତି ସତ୍ତ୍ବେ ଭାରତ ସହଜରେ ଦିନିକିଆ ସିରିଜ୍ ଜିତିବା ଏବଂ ଟ୍ବେଣ୍ଟି-୨୦ ସିରିଜ୍‌କୁ ୧-୧ ସ୍ଥିତିରେ ପହଞ୍ଚାଇବା ନିଶ୍ଚୟ ପ୍ରଶଂସାଜନକ। ପ୍ରଥମ ମ୍ୟାଚ୍‌ରେ ବଡ଼ ପରାଜୟ ସତ୍ତ୍ବେ ଭାରତ ୨ୟ ମ୍ୟାଚ୍‌ରେ ଅପରିବର୍ତ୍ତିତ ଏକାଦଶ ନେଇ ଓହ୍ଲାଇବାର ସାହସିକ ନିଷ୍ପତ୍ତି ନେଇଥିଲା। ଏହାର ସୁଫଳ ଭାରତକୁ ମିଳିଛି। ଉଭୟ ବୋଲର ଓ ବ୍ୟାଟ୍‌ସମ୍ୟାନ୍ ତାଙ୍କ ପ୍ରଦର୍ଶନରେ‌ ବେଶ୍ ଉନ୍ନତି କରି ପାରିଛନ୍ତି। ତେଣୁ ରବିବାର ମଧ୍ୟ ଭାରତ ଅପରିବର୍ତ୍ତିତ ଏକାଦଶ ନେଇ ଖେଳିବାର ନିଷ୍ପତ୍ତି ନେଇପାରେ।
ନ୍ୟୁଜିଲାଣ୍ଡ ଦଳରେ ମଧ୍ୟ କଲିନ୍ ଡି ଗ୍ରାଣ୍ଡହୋମ୍‌ଙ୍କ ପ୍ରଦର୍ଶନ ନେଇ ପ୍ରଶ୍ନବାଚୀ ଥିଲେ ମଧ୍ୟ ୨ୟ ଦିନିକିଆରେ ଲଢ଼ୁଆ ପ୍ରଦର୍ଶନ କରି ଦଳରେ ସ୍ଥାନ ସୁରକ୍ଷିତ କରି ପାରିଛନ୍ତି। ଶେଷ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୨ଟି ପରିବର୍ତ୍ତନ କରିପାରେ। ଫାଷ୍ଟବୋଲର ଲୋକି ଫର୍ଗୁସନ୍‌ଙ୍କୁ ଶେଷ ମ୍ୟାଚ୍‌ରୁ ବିଶ୍ରାମ ମିଳିଥିବାରୁ ତାଙ୍କ ସ୍ଥାନରେ ନବାଗତ ପେସ୍ ବୋଲର ବ୍ଲେୟାର ଟିକ୍‌ନର ଖେଳିପାରନ୍ତି। ଫଳରେ ଟିକ୍‌ନର ଆନ୍ତର୍ଜାତିକ କ୍ରିକେଟ ଜୀବନର ଆରମ୍ଭ କରିବେ। ପୁଣି ଗତ ୨ଟିଯାକ ମ୍ୟାଚ୍‌ରେ ଅତ୍ୟଧିକ ରନ୍ ବ୍ୟୟ କରିଥିବା ଫାଷ୍ଟବୋଲର ସ୍କଟ୍ କୁଗ୍‌ଲେଇନ୍‌ଙ୍କ ସ୍ଥାନରେ ଅଲ୍‌ରାଉଣ୍ଡର ଜେମ୍‌ସ ନିସାମ୍ ଖେଳିପାରନ୍ତି। ଫଳରେ ଘରୋଇ ଦଳର ବ୍ୟାଟିଂ ଶକ୍ତି ବୃଦ୍ଧିପାଇବ। ପିଚ୍‌ ବ୍ୟାଟିଂ ସହାୟକ ହେବ। ପୁଣି ଅକ୍‌ଲାଣ୍ଡ ଅପେକ୍ଷା ଏଠାକାର ପଡ଼ିଆ ସାମାନ୍ୟ ବଡ଼। ଆଉଟ୍‌ଫିଲ୍‌ଡ ଦ୍ରୁତ ଥିବାରୁ ୨୦୦ ରନ୍ ଏଠାରେ ସମ୍ଭବ। ଆଉ ୨ଟି ଛକା ମାରିପାରିଲେ ରୋହିତ ଶର୍ମା ୱେଷ୍ଟଇଣ୍ଡିଜ୍‌ର କ୍ରିସ୍ ଗେଲ୍‌ ଓ ନ୍ୟଜିଲାଣ୍ଡର ମାର୍ଟିନ୍ ଗପ୍‌ଟିଲଙ୍କୁ ପଛରେ ପକାଇ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ରେ ସର୍ବାଧିକ ଛକା ମାରିବାର ବିଶ୍ବରେକର୍ଡ ହାସଲ କରିବେ।

Leave A Reply