୩ୟ ଟି-୨୦ : ଭାରତର ଲକ୍ଷ୍ୟ ୩-୦

ଚେନ୍ନଇ : ରବିବାର ଏଠାରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ୩ୟ ତଥା ଅନ୍ତିମ ଟ୍ୱେଣ୍ଟି-୨୦ ମ୍ୟାଚ୍ ଖେଳିବାକୁ ଯାଉଥିବା ବେଳେ ଏହି ମ୍ୟାଚ୍ ଜିତି ୩-୦ରେ ସିରିଜ୍ ପୋଛିବାକୁ ଘରୋଇ ଦଳ ଲକ୍ଷ୍ୟ ରଖିଛି। ୨-୦ରେ ଆଗୁଆରହି ଭାରତ ସିରିଜ୍ ଜିତି ନେଇଥିବାରୁ ରବିବାରର ଏହି ମ୍ୟାଚ୍ ଔପଚାରିକତାରେ ପରିଣତ ହୋଇଯାଇଛି। ତେବେ ଯୁବ ଭାରତୀୟ ଦଳ ମ୍ୟାଚରେ ଆଦୌ ଢିଲାପଣ ଦେଖାଇବ ନାହିଁ ନିଶ୍ଚୟ। ଅଷ୍ଟ୍ରେଲିଆ ଗସ୍ତରେ ଯିବା ପୂର୍ବରୁ ତା’ର ଶେଷ ଆନ୍ତର୍ଜାତିକ ମ୍ୟାଚ୍ ଜିତିବାକୁ ଭାରତ ନିଶ୍ଚୟ ଚାହିଁବ। ଏହି ମ୍ୟାଚ୍ ଜିତିଲେ ଭାରତ କେବଳ ୩-୦ରେ ଟ୍ୱେଣ୍ଟି-୨୦ ସିରିଜ୍ ଜିତିବ ନାହିଁ; ଗସ୍ତରେ ଏହା ଭାରତ ସପକ୍ଷରେ ସ୍କୋର୍ ୮-୧ ହୋଇଯିବ।
ପ୍ରଥମ ୩ଟି ଦିନିକିଆ ମ୍ୟାଚରେ କିଛିଟା ସଂଘର୍ଷ କରିଥିବା ୱେଷ୍ଟଇଣ୍ଡିଜ ଶେଷ ୨ଟି ଦିନିକିଆରେ ଯେପରି ଆତ୍ମସମର୍ପଣ କରିଥିଲା; ଗତ ୨ଟି ଟ୍ୱେଣ୍ଟି-୨୦ ମ୍ୟାରରେ ମଧ୍ୟ ସେପରି ପ୍ରଦର୍ଶନ କରିଛି। ତେବେ ପ୍ରଥମ ଟ୍ୱେଣ୍ଟି-୨୦ରେ ଇଣ୍ଡିଜ୍ ବୋଲର କିଛି ସମୟ ପାଇଁ ଦଳକୁ ବିଜୟର ଆଶା ଦେଇଥିଲେ ହେଁ ୨ୟ ଟ୍ୱେଣ୍ଟି-୨୦ରେ ରୋହିତ ଶର୍ମାଙ୍କ ପ୍ରହାରରେ ସେମାନେ ଛତ୍ରଭଙ୍ଗ ଦେଇଥିଲେ। ଅପରାଜିତ ୧୧୧ ରନ୍କରି ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ରୋହିତ ୪ଟି ଆନ୍ତର୍ଜାତିକ ଟ୍ୱେଣ୍ଟି-୨୦ ଶତକ ମାରିଥିଲେ। ୨ଟିଯାକ ମ୍ୟାଚ୍ରେ ଭାରତୀୟ ବୋଲର ଚମତ୍କାର ପ୍ରଦର୍ଶନ କରିଛନ୍ତି। ୩ଟି ଫର୍ମାଟ ମଧ୍ୟରୁ ଟ୍ୱେଣ୍ଟି୨୦ରେ ଭାରତକୁ ୱେଷ୍ଟଇଣ୍ଡିଜ୍ କଡ଼ା ଟକ୍କର ଦେବ ବୋଲି ଆଶା କରା ଯାଉଥିଲେ ହେଁ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ତେବେ ସିରିଜ୍ ହାରି ସାରିଥିବାରୁ ଇଣ୍ଡିଜ୍ର ବ୍ୟାଟ୍ସମ୍ୟାନ ନିର୍ଭିକ ହୋଇ ଖେଳିବେ। ପୁଣି ଚେନ୍ନଇର ଛୋଟ ବାଉଣ୍ଡରୀ ଓ ବ୍ୟାଟିଂ ପିଚ୍ର ଫାଇଦା ସେମାନେ ନେବାର ପ୍ରୟାସ କରିବେ। ଭାରତ ସିରିଜ୍ ଜିତି ସାରିଥିବାରୁ ବାକି ଖେଳାଳିଙ୍କୁ ସୁଯୋଗ ଦେବାକୁ ଚାହିଁବ। ତେଣୁ ବ୍ୟାଟିଂ ବିଭାଗରେ ଅମ୍ବତି ରାୟୁଡୁଙ୍କ ସ୍ଥାନରେ ଶ୍ରେୟାସ ଆୟର ଖେଳିପାରନ୍ତି। ଅଷ୍ଟ୍ରେଲିଆ ଗସ୍ତକୁ ଦେଖି ଉମେଶ ଯାଦବ, କୁଲଦୀପ ଯାଦବ ଓ ଯଶପ୍ରୀତ ବୁମ୍ରାଙ୍କୁ ଶେଷ ମ୍ୟାଚ୍ରୁ ବିଶ୍ରାମ ଦିଆ ଯାଇଥିବାରୁ ସେମାନଙ୍କ ସ୍ଥାନରେ ସିଦ୍ଧାର୍ଥ କୌଲ, ଶାହାବାଜ୍ ନଦ୍ଦିମ୍ ଓ ୱାଶିଂଟନ ସୁନ୍ଦର ଖେଳିପାରନ୍ତି। ୱେଷ୍ଟଇଣ୍ଡିଜ୍ ବିଶ୍ୱ ଚମ୍ପିଆନ୍ ହୋଇଥିଲେ ହେଁ ଉଭୟ ମ୍ୟାଚ୍ରେ ଏହା ଯେପରି ପ୍ରଦର୍ଶନ କରିଛି; ତାହା ଦଳକୁ ନିରାଶ କରିଛି। ତେଣୁ ସ୍ୱଦେଶ ଫେରିବା ପୂର୍ବରୁ ଏହା ଅନ୍ତିମ ମ୍ୟାଚ୍ ଜିତିବାକୁ ପ୍ରାଣପଣେ ଉଦ୍ୟମ କରିବ।