ଥାନାରେ ଥାର୍ଡ଼ ଡିଗ୍ରୀ, ନିଜ ଆଡୁ ମାମଲା ରୁଜୁ କଲେ ମାନବାଧିକାର ଆୟୋଗ

ଭୁବନେଶ୍ୱର: ମାଲକାନାଗିରି ଚିତ୍ରକୋଣ୍ଡା ଥାନାରେ ଏକ ଚୋରି ମାମଲାକୁ ନେଇ ୪ଜଣ ନାବାଳକଙ୍କୁ ହାଜତରେ ପ୍ରବଳ ମାଡ ମରାଯିବା ସହ ବିଦ୍ୟୁତ କରେ ଦିଆଯାଇଥିଲା। ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ରାଜ୍ୟ ମାନବାଧିକାର ଆୟୋଗ ନିଜଆଡୁ ମାମଲା ରୁଜୁ କରିଛନ୍ତି। ଏ ନେଇ ଆୟୋଗ ମାଲକାନାଗିରି ଏସପିଙ୍କୁ ଘଟଣା ସମ୍ପର୍କରେ ରିପୋର୍ଟ ତଲବ କରିବା ସହ ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ସବିଶେଷ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି।
ଗତ ୧୨ ତାରିଖରେ ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରୁ ଚୋରି ହୋଇଥିଲା। ଘର ମାଲିକଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ସନ୍ଦେହରେ ୪ଜଣ ନାବାଳକଙ୍କୁ ଘରୁ ଉଠାଇ ଆଣିଥିଲା। ସେମାନଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡ ପଠାଇବା ପରିବେର୍ତ୍ତେ ପୁଲିସ ସେମାନଙ୍କୁ ହାଜତରେ ରଖି ଶାରୀରିକ ନିର୍ୟାତନା ଦେଇଥିଲା। ତିନିଦିନ କାଳ ସେମାନଙ୍କୁ ମାଡ ମାରିବା ସହ ବିଦ୍ୟୁତ୍ କରେଣ୍ଙ ଦିଆଯାଇଥିଲା। ତିନିଦିନ ପରେ ଜଣକୁ ପୁଲିସ ଛାଡିଦେଇଥିଲା ବେଳେ ଅନ୍ୟମାନଙ୍କୁ ଗିରଫ ଦର୍ଶାଇଥିଲା। ଥାନାରୁ ଫେରିବା ପରେ ନାବାଳକ ଜଣକ ପରିବାର ଲୋକଙ୍କୁ ପୁଲିସର ନିର୍ୟାତନା ସମ୍ପର୍କରେ ଜଣାଇଥିଲେ। ଏହି ଘଟଣା ଜଣାପଡିବା ପରେ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହୋଇଥିଲା।
ସେହିପରି ୨୦୨୦ ଡିସେମ୍ବର ୨୦ ତାରିଖ ରାଉରକେଲା ଉଦିତନଗର ଥାନାରେ ଅନୁରୂପ ଭାବେ ମୋବାଇଲ ଚୋରି ଅଭିଯୋଗରେ ଜଣେ ନାବାଳକକୁ ଧରିଆଣି ନିର୍ୟାତନା ଦେବା ଅଭିଯୋଗରେ ଏସଆଇ ମାନସ ରଞ୍ଜନ ନାୟକଙ୍କୁ ନିଲମ୍ବିତ କରାଯାଇଛି। ପରିବାର ଲୋକଙ୍କ ଅଭିଯୋଗକ୍ରମେ ରାଜ୍ୟ ମାନବାଧିକାର ଆୟୋଗ ଘଟଣାର ତଦନ୍ତ କରୁଥିଲେ। ଏହି ଘଟଣାରେ ଆୟୋଗ ନିଲମ୍ବିତ ଏସଆଇଙ୍କ ସମେତ ଥାନାର ଅନ୍ୟ ତିନିଜଣ କର୍ମଚାରୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ ନିଜର ପକ୍ଷ ରଖିବା ପାଇଁ ନୋଟିସ ଜାରି କରିଛନ୍ତି।