ଯବାନଙ୍କ ଡକାୟତି ଉଦ୍ୟମ: ଛୁରାମାଡ଼ରେ ୩ ଗୁରୁତର

ଫୁଲବାଣୀ : ଜଣେ ଯବାନ ଡକାୟତି ଉଦ୍ୟମ କରିବା ବେଳେ ପ୍ରତିରୋଧର ସମ୍ମୁଖୀନ ହେବାରୁ ତିନିଜଣଙ୍କୁ ଛୁରାମାଡ କରି ଲହୁଲୁହାଣ କରିବା ଭଳି ଘଟଣା କନ୍ଧମାଳ ଜିଲା ବାଲିଗୁଡା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସଂପୃକ୍ତ ଯବନାଙ୍କୁ ଲୋକେ କାବୁ କରି ନିର୍ଦ୍ଧୁମ ଛେଚି ପୁଲିସରେ ହସ୍ତାନ୍ତର କରିଛନ୍ତି।
ସୂଚନା ମୁତାବକ ଆଇଆରବି ୮ମ ବାଟାଲିୟନର ଯବାନ ମାନସକୁମାର ମାଝୀ ବାଲିଗୁଡା ଉପଖଣ୍ଡ କାରାଗାରରେ ଜଗୁଆଳ ଭାବେ କାମ କରନ୍ତି। ଗତକାଲି ରାତିରେ ସେ ବାଲିଗୁଡା ଅନ୍ଧାର କଲୋନୀ ସାହିରେ ଅଭିଜିତ ପ୍ରଧାନଙ୍କ ଘର ଭିତରକୁ ଡକାୟତି ପାଇଁ ପଶିଥିଲେ। ସେହି ସମୟରେ ଅଭିଜିତ ପ୍ରଧାନଙ୍କ ଦୁଇବର୍ଷର ଝିଅର ବେକରେ ଛୁରୀ ଲଗାଇ ଘରେ ଥିବା ସୁନା ଅଳଙ୍କାର ସହ ଟଙ୍କା ଦେଇ ଦେବାକୁ ଅଭିଜିତଙ୍କ ପତ୍ନୀଙ୍କୁ ଧମକ ଦେଇଥିଲା। ସେହି ସମୟରେ ଝିଅଟିର ମା’ ପିନ୍ଧିଥିବା ସୁନା ଚେନଟି ବଢାଇଦେଇ କନ୍ୟାକୁ ଛାଡି ଦେବାକୁ ନେହୁରା ହୋଇଥିଲା। ଅଭିଜିତଙ୍କ ସାନଭାଇ ଅବିନାଶ ପ୍ରଧାନ ହଠାତ ଯବାନଙ୍କୁ ପଛପଟୁ କାବୁ କରିଥିଲେ। କିନ୍ତୁ ଯବାନ ଜଣକ ତାଙ୍କଠାରୁ ମୁକୁଳି ଯାଇଥିଲା। ଘର ଭିତରୁ ଚିତ୍କାର ଶୁଣି
ସାହି ପଡୋଶୀ ରୁଣ୍ଡ ହୋଇ ଯାଇଥିଲେ। କିନ୍ତୁ ଯବାନ ଜଣକ ପଡୋଶୀ ଘରର ମହିଳା ବିଜୟଲକ୍ଷ୍ମୀ ପଣ୍ଡାଙ୍କ ବେକରେ ଛୁରୀ ଲଗାଇ ମାରିଦେବାକୁ ଚେତାବନୀ ଦେଇଥିଲା। ବିଜୟଲକ୍ଷ୍ମୀ କୌଣସିମତେ ମୁକୁଳିବାକୁ ଉଦ୍ୟମ କରିବା ବେଳେ ମାନସ ତାଙ୍କୁ ଛୁୁରିରେ ଆଘାତ କରିଥିଲା । ଅଭିଜିତ ଓ ଅଭିନାଶ ପ୍ରଧାନଙ୍କୁ ମଧ୍ୟ ମାନସ ଛୁରିରେ ଆଘାତ କରିଥିଲା। ଯବାନଙ୍କ ଏଭଳି ଉନ୍ମତ୍ତ କାରନାମା ଦେଖି ରୁଣ୍ଡ ହୋଇଥିବା ଲୋକେ ତାଙ୍କୁ କାବୁ କରି ନିସ୍ତୁକ ଛେଚିଥିଲେ। ପରେ ଗୋଡହାତ ବାନ୍ଧି ପୁଲିସକୁ ଖବର ଦେଇଥିଲେ।

Comments are closed.