ଚିତ୍ରକଳା ଦ୍ୱାରା କରୋନା ସଚେତନତା ବାର୍ତ୍ତା

ରେଢ଼ାଖୋଲ: ଏବେ ସମଗ୍ର ଦେଶରେ ମହାମାରୀ କରୋନା ଭୂତାଣୁର ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ କିପରି ପ୍ରତିରୋଧ କରାଯିବ ସେ ବାବଦରେ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ବିଶେଷକରି ଲୋକଙ୍କ ମଧ୍ୟରେ ଏହି ରୋଗ ସମ୍ପର୍କରେ କିପରି ଅଧିକରୁ ଅଧିକ ସଚେତନତା ସୃଷ୍ଟି କରାଯାଇ ପାରିବ ସେଥିପାଇଁ ବେଶି ଧ୍ୟାନ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ କର୍ତୃପକ୍ଷ ଓ ଭୀମଭୋଇ ଆର୍ଟ ସୋସାଇଟି ପକ୍ଷରୁ ୩ଡି ଚିତ୍ରକଳା ମାଧ୍ୟମରେ କରୋନା ସମ୍ପର୍କରେ ସଚେତନତା ବାର୍ତ୍ତା ଦେବାକୁ ଚେଷ୍ଟା କରାଯାଇଛି।

ଚିତ୍ରଶିଳ୍ପୀ ସୁଧୀର କୁମାର ସ୍ୱାଇଁ ଓ ସୁରେଶ କୁମାର ପୋଢ଼ ପ୍ରମୁଖ ସ୍ଥାନୀୟ ଭୀମଭୋଇ ଛକ ୫୫ ନମ୍ବର ଜାତୀୟ ରାଜପଥକୁ କାନଭାସ କରି କୋରନାର ଭୟବହତା ବାବଦରେ ଜନସାଧାରଣଙ୍କୁ ସଚେତନତା ସୃଷ୍ଟି କରିଛନ୍ତି। ଏହି ଅବସରରେ ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ କନିକା ଚକ୍ରବର୍ତୀ, ଉପାଧ୍ୟକ୍ଷ ସୁନିଲ୍‍ କୁମାର ପ୍ରଧାନ ପ୍ରମୁଖ ଚିତ୍ରଶିଳ୍ପୀଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିବା ସହିତ ସେମାନଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ରଂଜିତ ସିଂ, ବରୁଣ କୁମାର ଦେହୁରୀ,ପର୍ଶୁରାମ ପ୍ରଧାନ ପ୍ରମୁଖ ସହଯୋଗ କରିଛନ୍ତି। ଆଗାମୀ ଦିନରେ ସୋସାଇଟି ତରଫରୁ ଏହିପରି ଅନେକ କାର୍ଯ୍ୟକ୍ରମ କରାଯିବ ବୋଲି ଏହାର ସଂପାଦକ ସୁଧୀର କୁମାର ସ୍ୱାଇଁ ପ୍ରକାଶ କରିଛନ୍ତି।

Comments are closed.