ଚୋରା ଦେଶୀ ମଦ ଜବତ, ୩ ଗିରଫ

କଳାପଥର(ବାଙ୍କୀ) : ବାଙ୍କୀ ଅବକାରୀ ବିଭାଗ ତରଫରୁ ଆଜି ଅଞ୍ଚଳର ବିଭିନ୍ନ ସ୍ଥାନରେ ଚୋରା ମଦ ବିକ୍ରି କରୁଥିବା ଅଭିଯୋଗରେ ଚଢାଉ କରାଯାଇଥିଲା। ଅବକାରୀ ବିଭାଗର ଏହି ତଦନ୍ତ ସମୟରେ ବିଭିନ୍ନ ସ୍ଥାନରୁ ୪୦ ଲିଟର ଦେଶୀ ମଦ ଜବତ ହେବା ସହିତ ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏହା ସହିତ ମଦ କାରବାର ହେଉଥିବା ଏକ ଆକ୍ଟିଭା ଗାଡିକୁ ଜବତ କରାଯାଇଛି।
ସୂଚନା ଅନୁସାରେ, ଆଜି କୃଷ୍ଣପୁର ଗ୍ରାମର ଜଣେ ଚୋରା ମଦ ବ୍ୟବସାୟୀ ନିଜର ଏକ ଆକ୍ଟିଭା ଗାଡି ନଂ ଓଡି୦୫ ଏନ ୭୨୦୪ ଯୋଗେଁ ଦେଶୀ ମଦ ନେଉଥିବା ବେଳେ ପୁଲିସ ଜାତମୁଣ୍ଡିଆ ନିକଟରେ ତାଙ୍କଠାରୁ ୨୦ ଲିଟର ମଦ ଜବତ କରିଥିଲା। ସେହିପରି ମାଳ ବିହାରପୁର ଗ୍ରାମର ପ୍ରଭାକର ସାହୁ ଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କ ଠାରୁ ୫ଲିଟର ଚୋରା ମଦ ଜବତ କରାଯାଇଥିବାବେଳେ ଭଗିପୁର ଗ୍ରାମର ଦୀପକ ମାଝି ନାମକ ଜଣେ ବିକ୍ରେତାଠାରୁ ୧୫ ଲିଟର ଦେଶୀମଦ ଜବତ କରାଯାଇ ଉକ୍ତ ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଅବକାରୀ ଇନ୍ସପେକ୍ଟର ତେଲେସ୍କର ଲାକ୍ରା, ଏସ ଆଇ ଦୀପକ ସାମଲ, କନଷ୍ଟେବଳ ସଂଜୟ କୁମାର ରାଉତ ଏହି ଚୋରା ମଦ ଚଢାଉ କାର୍ଯ୍ୟକ୍ରମରେ ସହେଯାଗ କରିଥିଲେ।